Unknown

 

 

 

 

 

 

 

 

 

 

 

 

ଗୋପନ ପତ୍ର ଓ ଅନ୍ୟ ସାତଟି ଗଳ୍ପ

କୃଷ୍ଣଚରଣ ବେହେରା

 

 

 

 

 

 

 

 

 

 

 

 

 

ଶ୍ରୀମତୀ ହରିପ୍ରିୟା ମହାପାତ୍ର ଓ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

କର–କମଳେଷୁ........

 

ସୂଚନା

 

ତିନି ବର୍ଷ ତଳେ ମୋର ପ୍ରଥମ ଗଳ୍ପଗ୍ରନ୍ଥ ‘ସୃଷ୍ଟିର ସ୍ୱପ୍ନ’ ପ୍ରକାଶିତ ହୋଇଥିଲା । ତହିଁରେ ଥିବା ଗଳ୍ପଗୁଡ଼ିକ ପାଠକମାନଙ୍କ ଦ୍ୱାରା ଆଦୃତ ହେବାରୁ ମୁଁ ଉତ୍ସାହିତ ହୋଇ ଇତି ମଧ୍ୟରେ ଅନେକ ଗଳ୍ପ ରଚନା କରିଛି । ତନ୍ମଧ୍ୟରୁ କେତେକ ବାଛି ବାଛି ଏହି ସଂକଳନରେ ପ୍ରକାଶ କରାଗଲା । ବୋଲିବା ବାହୁଲ୍ୟ ଯେ—‘ପୁରୁଷୋତ୍ତମ’ ବ୍ୟତୀତ ସଂକଳନସ୍ଥ ଅନ୍ୟ ସମସ୍ତ ଗଳ୍ପ ସମ୍ପୂର୍ଣ୍ଣ କାଳ୍ପନିକ । ଏଗୁଡ଼ିକ ମଧ୍ୟରେ ସମାଜର କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ୱା ଅନୁଷ୍ଠାନ ପ୍ରତି ପରୋକ୍ଷରେ ସୁଦ୍ଧା କୌଣସି ପ୍ରକାର ଇଙ୍ଗିତ ବା ଆକ୍ଷେପ କରାଯାଇ ନାହିଁ ।

 

ମୋର ସ୍ନେହର ଛାତ୍ର-ଛାତ୍ରୀ ଶ୍ରୀମାନ୍‌ କ୍ଷେତ୍ରବାସୀ ନାୟକ ଓ ଶ୍ରୀମତୀ ଆରଦ୍ରାମଣି ମହାପାତ୍ର ଏହି ଗ୍ରନ୍ଥର ପାଣ୍ଡୁଲିପି ପ୍ରସ୍ତୁତ କାର୍ଯ୍ୟରେ ମୋତେ ସାହାଯ୍ୟ କରିଛନ୍ତି । ସେମାନଙ୍କ ପ୍ରତି ମୋର ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି । ଇତି ।

 

ଭଦ୍ରକ କଲେଜ

କୃଷ୍ଣଚରଣ ବେହେରା

୧୫ ।୧୧ । ୧୯୬୨

 

✽✽✽

 

ଏଥିରେ ଅଛି :–

 

୧.

ମିସ୍‌ ତନିମା ମହାନ୍ତି

୨.

ତ୍ରିଶଙ୍କୁ

ଗୋପନ ପତ୍ର

୪.

ପରକୀୟା

୫.

ମଇଳା କୁଣ୍ଡ

୬.

ଏକ ବିଫଳ ଜୀବନର କାହାଣୀ

୭.

ପୁରୁଷୋତ୍ତମ

୮.

ଗୋଟିଏ ଗଳ୍ପର ନାୟିକା

✽✽✽

 

ମିସ୍‌ ତନିମା ମହାନ୍ତି

 

ମିସ୍‌ ତନିମା ମହାନ୍ତିଙ୍କ ଆଖିରେ ଆଜି ଅଶ୍ରୁ ।

 

ସେ କାନ୍ଦୁଛନ୍ତି । ଯେଉଁ ଆଖି ଚିରଦିନ ହାସ୍ୟୋଜ୍ଜ୍ୱଳ ଓ ଚଳ ଚଞ୍ଚଳ—ଯେଉଁ ମଦିର ନୟନ-ଭଙ୍ଗୀର କେତେ ଯୁବକ-ଚିତ୍ତ ମୁଗ୍‌ଧ, ଉନ୍ମତ୍ତ, ସେହି ନୟନର ଲୁହ-ପଖଳା ପକ୍ଷ୍ମ ଉପରେ ଆଜି ବେଦନାର ବେପଥୁମାନ୍‌ ବିନ୍ଦୁ !

 

–କାନ୍ଦନା ତନ ! ବିରହ, ବିଚ୍ଛେଦ, ଏ ସବୁ କାବ୍ୟ ଉପନ୍ୟାସର ନିରର୍ଥକ ଶବ୍ଦ-ବିନ୍ୟାସ ମାତ୍ର । ପ୍ରେମିକ ପ୍ରବାସୀ ହେଲେ, ପ୍ରେମିକା ଯେ ବିରହ ଜ୍ୱାଳାରେ ଦହ୍ୟମାନ ହେବ—ଏହାର କୌଣସି କାରଣ ନାହିଁ । ବିଶେଷତଃ ଏ ଟେଲିଫୋନ୍‌, ଟେଲିଭିଜନ୍‌ ଯୁଗରେ ବାସ, ପ୍ରବାସର କଳ୍ପନା ନିତାନ୍ତ ନିରର୍ଥକ । ତମେ ଦୁଃଖ କରନା । ଏ ବିଚ୍ଛେଦ ଆମର ଆସନ୍ନ ମିଳନର ମଙ୍ଗନ ଅଧିବାସ ମାତ୍ର ।

 

–ଏ ସବୁ କଥା କହି ମୋତେ ଭୁଲାଅ ନା ସୁଶାନ୍ତ ବାବୁ । ଏ ଦୀର୍ଘ ଛ’ମାସ କାଳ ତୁମକୁ ଛାଡ଼ି ରହିବା ମୋ ପକ୍ଷର ସଂପୂର୍ଣ୍ଣ ଅସମ୍ଭବ ।

 

–କିଛି ଅସମ୍ଭବ ନୁହେଁ ତନୁ । ବିଶେଷତଃ ତମ ପରି ଆଧୁନିକା ଶିକ୍ଷିତା ଯୁବତୀଙ୍କ ପକ୍ଷରେ । ଯାଅ । ମୁଁ ତମକୁ ଯେଉଁ କର୍ମପନ୍ଥାର ନିର୍ଦ୍ଦେଶ ଦେଇଛି, ତାହାରି ଭିତରେ ନିମଗ୍ନ ରହ । ଦିନରାତି କାମରେ ଲାଗି ରହିଲେ, ମୋ କଥା ଭୁଲି ହୋଇଯିବ ।

 

–ତମ କଥା ଭୁଲି ପାରିବ ? ନା–ନା–ନା–

 

ମିସ୍‌ ମହାନ୍ତି ସେଣ୍ଟ୍‌-ଭିଜା ରୁମାଲ କୋଣରେ ଲୁହ ପୋଛିଲେ । ସହରର ପ୍ରତିପତ୍ତିଶାଳୀ ଧନିକ ଓକିଲଙ୍କ କନ୍ୟା ସେ—ସୁନ୍ଦରୀ, ସ୍ୱାସ୍ଥ୍ୟବତୀ । କଲେଜ ଜୀବନରୁ ସୁଶାନ୍ତବାବୁଙ୍କ ପ୍ରତି ତାଙ୍କର ଗଭୀର ଅନୁରକ୍ତି । ସୁଶାନ୍ତ ନାୟକ ବିଶିଷ୍ଟ ଗାନ୍ଧୀବାଦୀ, ଦେଶ ସେବକ, ପୁଣି ବିଶ୍ୱବିଦ୍ୟାଳୟର କୃତୀ ଛାତ୍ର । କୃଷି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଅଧିକାର କରି ସେ ଯେତେବେଳେ ବିଶ୍ୱବିଦ୍ୟାଳୟର ଦୁଆର ବନ୍ଧ ଡେଇଁଲେ, ସେତେବେଳେ ସମସ୍ତେ ଆଶା କରିଥିଲେ ଯେ—ସୁଶାନ୍ତ ବାବୁ ଭାରତ ସରକାରଙ୍କ ଅଧୀନରେ ଜଣେ ଉଚ୍ଚ ପାହ୍ୟା ଅଫିସର୍‌ ହୋଇ ବସିଯିବେ । କିନ୍ତୁ ଚାକିରି ପ୍ରତି ତାଙ୍କର ଆଦୌ ମୋହ ନ ଥିଲା । ସେ ବାଛି ନେଲେ ନିଜର ସ୍ୱାଧୀନ କର୍ମପନ୍ଥା । କାହିଁ ଦିଲ୍ଲୀ, କାହିଁ ଓଡ଼ିଶାର ଏକ ଅଖ୍ୟାତ ମଫସଲ ଗାଁ ମୁଣ୍ଡାବିଲି । ସେଇଠି ସେ ଆରମ୍ଭ କଲେ ଏକ ବିରାଟ କୃଷିଫାର୍ମ । ମୋଟେ ଦୁଇଟା ବର୍ଷ ଭିତରେ ଫାର୍ମରେ ଭଲ ଫସଲ ଉତ୍ପାଦନ କରି ସେ ଦେଶବାସୀ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି । ଏବେ ଉନ୍ନତ ଧରଣର କୃଷି ବିଷୟରେ ଗବେଷଣା କରିବା ଲାଗି ସରକାରଙ୍କ ତରଫରୁ ସେ ଆମେରିକା ଯାଉଛନ୍ତି । ଏହି ସୌମ୍ୟ ଦର୍ଶନ, ଉଚ୍ଚଶିକ୍ଷିତ କର୍ମଠ ଯୁବକଙ୍କୁ ଜୀବନର ସାଥି ରୂପେ ପାଇବା ଲାଗି ମିସ୍‌ ମହାନ୍ତି ବହୁ ଦିନରୁ ଲାଳାୟିତା; କିନ୍ତୁ ତାଙ୍କ ‘ସହଧର୍ମିଣୀ’ ହେବା ଲାଗି ସେ ଟିକିଏ କୁଣ୍ଠାବୋଧ କରନ୍ତି । ସହରର ‘‘ସୋସାଇଟି’ ‘ଆସୋସିଏସନ୍‌’ ଛାଡ଼ି ସେ ମଫସଲ ପଲ୍ଲୀରେ କିପରି ଯାଇ ନୀରସ, ଶୁଷ୍କ ଜୀବନ ଯାପନ କରିବେ । ସେଠି ତ ନାହିଁ କ୍ଳବ୍‌, ପାର୍ଟି—ନାହିଁ ସିନେମା, ଥିଏଟ୍‌ର । ଅସ୍ୱାସ୍ଥ୍ୟକର ଚାଷ ଜମିର ବଣ ଖମାଣ ଭିତରେ—ନାଷ୍ଟି ମଳିମୁଣ୍ଡିଆ ଚାଷୀଙ୍କ ସଙ୍ଗରେ ସେ କିପରି ବଞ୍ଚିବେ । ସହରର ଅଭିଜାତ ଦୁଲାଳୀ ମିସ୍‌ ତନିମା ମହାନ୍ତିଙ୍କ ପକ୍ଷରେ ଅସହ୍ୟ ସେ ଜୀବନ । କିନ୍ତୁ ସୁଶାନ୍ତଙ୍କୁ ‘ଆପଣାର’ କରି ପାଇବାକୁ ହେଲେ, ତାଙ୍କ ସହିତ ସୁଦୂର ମଫସଲରେ ରହି ‘ତାପସିକ ଜୀବନ’ ଯାପନ କରିବା ଛଡ଼ା ମିସ୍‌ ମହାନ୍ତିଙ୍କର ଆଉ ଯେ ଗତ୍ୟନ୍ତର ନାହିଁ ।

 

ଆଦର୍ଶବାଦୀ ସୁଶାନ୍ତ ବରାବର କହନ୍ତି—‘‘ତାପସିକ ଜୀବନ ହିଁ ବଞ୍ଚିବାର କଳା ।’’

 

ମିସ୍‌ ମହାନ୍ତି ଏ କଥାରେ ବରାବର ଯୁକ୍ତି କରନ୍ତି—‘‘ଏ ବୈଦିକ ଯୁଗ ନୁହେଁ ସୁଶାନ୍ତ ବାବୁ, ତମେ ସମାଜରେ ରହି ମଧ୍ୟ ଶୁଦ୍ଧ ପୂତ ତାପସ ବ୍ରତ ପାଳନ କରି ପାରିବ । ବିଂଶ ଶତାବ୍ଦୀର ଏ ପ୍ରଗତିଶୀଳ ବିଜ୍ଞାନ ଯୁଗ—ରାଜନୀତିର ଯୁଗ । ନଗରଜୀବନହିଁ ଏ ଯୁଗ ସଭ୍ୟତାର ପ୍ରତିଭୂ ।’’

 

‘‘ନଗର-ସର୍ବସ୍ୱ ପାଶ୍ଚାତ୍ତ୍ୟ ଦେଶମାନଙ୍କରେ ତାହା ହୋଇପାରେ ତନୁ । କିନ୍ତୁ ଗ୍ରାମ-ବହୁଳ ଭାରତବର୍ଷରେ ପଲ୍ଲୀର ସରଳ ସୁନ୍ଦର ଜୀବନହିଁ ଆମ ସଭ୍ୟତାର ବାହକ ଓ ଧାରକ । ତେଣୁ ମହାତ୍ମା ଗାନ୍ଧି....’’

 

—ମହାତ୍ମା ଗାନ୍ଧୀ କଣ କହିଥିଲେ, ମୁଁ ଶୁଣିବାକୁ ଚାହେଁନା । ମୋ ନିଜ ଅନୁଭବ ଓ ବିଚାର ବୁଦ୍ଧି ବଳରେ ମୁଁ ଜାଣୁଛି—ଆଜିର ସମାଜର ପୂର୍ବର ସେଇ ତାପସିକ ଜୀବନ ଯାପନ କରିବା ଅସମ୍ଭବ, ଅନାବଶ୍ୟକ ମଧ୍ୟ ।

 

‘‘ଏ ତମର ସଙ୍କୀର୍ଣ୍ଣ ବ୍ୟକ୍ତିଗତ ଅଭିମତ ତନୁ !’’

 

ଯୁକ୍ତି ବଢ଼ି ବଢ଼ି ମନାନ୍ତର ଉପୁଜି ପାରେ—ଏଇ ଭୟରେ ନୀରବ ରହନ୍ତି ତନିମା ।

 

ସୁଶାନ୍ତ ଆମେରିକା ଚାଲିଗଲେ । ଗଲାବେଳେ ମିସ୍‌ ମହାନ୍ତି ନିଜ ପ୍ରେମର ଅଭିଜ୍ଞାନ ସ୍ୱରୂପ ନିଜର ଏକ ନାମାଙ୍କିତ ମୁଦ୍ରିକା ତାଙ୍କ ହସ୍ତରେ ପିନ୍ଧାଇ ଦେଇଥିଲେ ଏବଂ ଆକୁଳ ଭାବେ ଆତ୍ମ ନିବେଦନ କରିଥିଲେ—ମୋତେ ଭୁଲିବନି ସୁଶାନ୍ତ ବାବୁ ।

 

ସୁଶାନ୍ତ ଭୁଲି ନାହାନ୍ତି; ତନିମାଙ୍କ ନିକଟକୁ ସେ ନିୟମିତ ଚିଠି ଦିଅନ୍ତି ଏବଂ ପ୍ରତି ଚିଠିରେ ପଚାରି ପଠାନ୍ତି—ମୁଣ୍ଡାବିଲିର ପଲ୍ଲୀ ଅଞ୍ଚଳରେ ସେ କିପରି ଭାବରେ ତାଙ୍କର କର୍ମପନ୍ଥା ପାଳନ କରୁଛନ୍ତି ।

 

ମସି୍‌ ମହାନ୍ତି ସହରର ପ୍ରାସାଦ ଭିତରେ ବିଜୁଳିବତି, ବିଜୁଳି ପଙ୍ଖା ତଳେ ବସି ତାର ଉତ୍ତର ଲେଖନ୍ତି—ମୁଣ୍ଡାବିଲି ଅଞ୍ଚଳକୁ ମୁଁ ମାସରେ ଥରେ ଦୁଇଥର କରି ଯାଉଛି । ତମର ଉତ୍ସାହୀ କର୍ମୀମାନଙ୍କୁ ସଙ୍ଗରେ ଘେନି ଘରେ ଘରେ ଔଷଧ ବାଣ୍ଟୁଛି—ରାସ୍ତା ଘାଟ, ପୋଖରୀ ଅଳିଆ ଗଦା ସଫା କରାଉଛି—ଲୋକମାନଙ୍କୁ ସ୍ୱାସ୍ଥ୍ୟରକ୍ଷାର ମୌଳିକ ନିୟମମାନ ବୁଝାଉଛି । ସ୍ଥାନେ ସ୍ଥାନେ ନୈଶ ବିଦ୍ୟାଳୟମାନ ବସାଇ ନିରକ୍ଷର ଲୋକଙ୍କୁ ସାକ୍ଷର କରିବାର ଉଦ୍ୟମ କରୁଛି । ମୋ ଯିବାଦ୍ୱାରା ସେଠାକାର ଲୋକମାନେ ସବୁ କାର୍ଯ୍ୟରେ ବିଶେଷ ଉତ୍ସାହ ପ୍ରକାଶ କରୁଛନ୍ତି ।

 

ଏପରି ଚିଠିରେ ସୁଶାନ୍ତ ମନେ ମନେ ଖୁବ୍‌ ଆନନ୍ଦିତ ହୁଅନ୍ତି; କାରଣ ତାଙ୍କର ମହତ୍‌ ଆଦର୍ଶରେ ହିଁ ତନିମା ନିଜକୁ ଗଢ଼ି ପାରିଛନ୍ତି । ସହଧର୍ମିଣୀ ହୋଇ ପାରିଲେ ତେଣିକି ପତ୍ନୀ ହେବାକୁ ଆଉ ଅସୁବିଧା ନାହିଁ ।

 

ଛ’ମାସ ପରେ ସୁଶାନ୍ତ ସ୍ୱଦେଶକୁ ବାହୁଡ଼ିଲେ । ଫାଲ୍‍ଗୁନର ଏକ ମଙ୍ଗଳ ଲଗ୍ନରେ ତନିମାଙ୍କ ସହିତ ତାଙ୍କର ମିଳନ ହେଲା—ପ୍ରଜାପତି ମିଳନ—ଯଥା ନଳସ୍ୟ ଦମୟନ୍ତି ।

 

ଠିକ୍‌ ବିଭାଘର ପରେ ପରେ ତନିମା ପ୍ରସ୍ତାବ କଲେ—ପ୍ରିୟତମ, ଚାଲ ଭୂସ୍ୱର୍ଗ କାଶ୍ମୀରରେ ଆମର ମଧୁ ଚନ୍ଦ୍ରିକା ଯାପନ କରିବା ।

 

ସୁଶାନ୍ତଙ୍କ ମୁଖରେ ସ୍ମିତ ହାସ୍ୟ ଖେଳିଗଲା–‘‘କାଶ୍ମୀର ଭୂସ୍ୱର୍ଗ ହେଲା, ଚେଷ୍ଟା କଲେ ମୁଣ୍ଡାବିଲି କାହିଁକି ନ ହେବ ତନୁ । ଚାଲ, ମୋର ସେଇ ସ୍ୱପ୍ନର କାଶ୍ମୀରରେ ହିଁ ମଧୁଚନ୍ଦ୍ରିକା ଯାପନ କରିବା ।’

 

ଏ ପ୍ରସ୍ତାବରେ ତନିମାଙ୍କ ଆନ୍ତରିକ ସମର୍ଥନ ନ ଥିଲେ ମଧ୍ୟ ସେ ବାଧ୍ୟ ହୋଇ ମୁଣ୍ଡାବିଲି ଯାତ୍ରାଲାଗି ପ୍ରସ୍ତୁତ ହେଲେ ।

 

ଶକ୍ତିଘାଟ ରେଲଓ୍ୱେ ଷ୍ଟେସନରେ ଓହ୍ଲାଇ ସେମାନେ ଗୋଟିଏ ଶଗଡ଼ ବ୍ୟବସ୍ଥା କଲେ । ଶକ୍ତିଘାଟଠାରୁ ମୁଣ୍ଡାବିଲି–ଦୀର୍ଘ ବାର ମାଇଲ୍‌ କଚ୍ଚା ରାସ୍ତା । ଶଗଡ଼ ବ୍ୟତୀତ ଅନ୍ୟ କୌଣସି ଯାନ ବାହନ ନାହିଁ। ତନିମା ଭାବିଥିଲେ—ରେଲଗାଡ଼ିରୁ ଓହ୍ଲାଇବାକ୍ଷଣି ସେମାନଙ୍କ ଲାଗି ପ୍ଲାଟଫର୍ମ ମୁହଁରେ ସୁସଜ୍ଜିତ ମୋଟରକାର୍‌ ଠିଆ ହୋଇଥିବ । କିନ୍ତୁ ସେ ନିରାଶ ହେଲେ । ସଭୟେ ଶଗଡ଼ ଉପରକୁ ଉଠୁଁ ଉଠୁଁ ତାଙ୍କର ଡାହାଣ ଗୋଡ଼ର କାଣି ଆଙ୍ଗୁଳିଟି ଶଗଡ଼ ଦଣ୍ଡାରେ ଛେଚି ହୋଇ ଜଖମ ହୋଇଗଲା । ବେଦନାରେ ଆଖି ତାଙ୍କର ଲୁହ ଛଳ ଛଳ ହୋଇ ଉଠିଲା । ସେ ଦୁଃଖ ଓ ବିରକ୍ତିରେ କହି ପକାଇଲେ—‘‘ବାପାଙ୍କୁ କହି ଆମ କାର୍‌ଟା ଘେନି ଆସିଥିଲେ ହୋଇ ନ ଥାନ୍ତା !’’

 

–‘‘ତମେ ପରା ମୁଣ୍ଡାବିଲି କେତେଥର ଯାଇଛ ତନୁ ! କଚ୍ଚା ରାସ୍ତା, ବାଟରେ ପୁଣି ଦୁଇ ଦୁଇଟା ନଈ । କିପରି ସେ ଅଞ୍ଚଳକୁ ମୋଟରକାର୍‌ ଯିବ ! ବିଦେଶ ଯିବା ପୂର୍ବରୁ ମୁଁ ଲାଗିପଡ଼ି ଗୋଟିଏ ନଈ ପୋଲ ତିଆରି କରାଇଥିଲି । ଏଥର ଆର ନଈରେ ପୋଲ କରାଇ ଦେଲେ, ତେଣିକି କାର୍‌ ଯା-ଆସ କରି ପାରିବ ।’’

 

ତନିମା ନିରୁତ୍ତର ହୋଇ ଶଗଡ଼ ଭିତରେ ବଡ଼ ଅଶ୍ୱସ୍ତିକର ମନରେ ବସି ରହିଲେ ।

 

ବାଟରେ ପଡ଼ିଲା ନଈ । ନଈ ବାଲିରେ ଶଗଡ଼ ଚାଲିଲାନି । ଅଗତ୍ୟା ଦୁହିଁଙ୍କୁ ଶଗଡ଼ରୁ ଓହ୍ଲାଇ ପାଦରେ ନଈ ପାରି ହେବାକୁ ପଡ଼ିଲା । ଫଗୁଣ ମାସ । ନଈରେ ଆଣ୍ଠୁଏ ପାଣି । କିନ୍ତୁ କୁମ୍ଭୀର ଓ ସାପ ଭୟରେ ତନିମା ପାଣିରେ ପଶିବାକୁ ରାଜି ହେଲେ ନାହିଁ ।

 

‘‘ଏଠି କୁମ୍ଭୀର ନାହାନ୍ତି’’—ବୋଲି ସୁଶାନ୍ତ ତାଙ୍କୁ ଯେତେ ବୁଝାଇଲେ, ତହିଁରେ ସେ ଗୋଟେ କର୍ଣ୍ଣପାତ କଲେ ନାହିଁ । ଶେଷରେ ତାଙ୍କଲାଗି ସବାରିର ବ୍ୟବସ୍ଥା କରାଗଲା ।

 

ମୁଣ୍ଡାବିଲି—ସୁଶାନ୍ତଙ୍କର ସ୍ୱପ୍ନର କାଶ୍ମୀର । ଚାରିଆଡ଼େ ସବୁଜ ବନରେ ଆଚ୍ଛାଦିତ ଛୋଟ ବଡ଼ ପର୍ବତ ଶ୍ରେଣୀ, ତା’ ଭିତରେ ଲୀଳା ଚପଳା କିଶୋରୀ ପରି ସାନ ସାନ ଝରଣା କୁଳୁ କୁଳୁ ନାଦରେ କାହିଁ କୁଆଡ଼େ ବହି ଯାଉଛି । ଜାତି ଜାତିକା ଗଛ—ଜାତି ଜାତିକା ଲତା-କୁଞ୍ଜରେ ନେନ୍ଥି ନେନ୍ଥି ଫୁଲ ଫଳ, ଡାଳେ ଡାଳେ ପକ୍ଷୀମାନଙ୍କର କଳ କୂଜନ । ଅପୂର୍ବ ସେ ଶୋଭା !

 

ସେହି ଶୋଭାର ବଜାର ଭିତରେ ବାଘମରା ପାହାଡ଼ ପାଦ ଦେଶରେ ଏକ ଛୋଟ ଝରଣା କୂଳରେ ସୁଶାନ୍ତଙ୍କ ବିରାଟ ବଙ୍ଗଳା । ବଙ୍ଗଳା ପାଖକୁ ଆଡ଼ ଦୀର୍ଘ ଦୁଇମାଇଲ୍‌ ଧରି ତାଙ୍କର ବିସ୍ତୀର୍ଣ୍ଣ କୃଷି ଫାର୍ମ । ଟ୍ରାକ୍‌ଟର ଚାଲିଛି, ବୁଲ୍‌ଡୋଜର ଚିତ୍‌କାର କରି ଛୁଟିଛି । ଆଦିବାସୀ ସ୍ତ୍ରୀ ପୁରୁଷ ଦଳ ଦଳ ହୋଇ କାମ କରୁଛନ୍ତି । ପଡ଼ିଆ ଜମି ଉଠିଆ ହେଉଛି–ଶୁଷ୍କ ଟାଙ୍କର ଭୂଇଁ ଶସ୍ୟ ଶ୍ୟାମଳା ହୋଇ ହସି ଉଠିଛି ।

 

ସୁଶାନ୍ତ ଓ ତନିମାଙ୍କୁ ଦେଖି ଫାର୍ମ୍‌ର ସମସ୍ତ ଲୋକ ବଙ୍ଗଳା ନିକଟରେ ରୁଣ୍ଡ ହୋଇଗଲେ । ସମସ୍ତଙ୍କ ମନରେ ଭରା ଆନନ୍ଦ—ମୁଖରେ ହର୍ଷଧ୍ୱନି । କପୋତ କପୋତୀ ଯୋଡ଼ିକ ଆଜି ଯେପରି ଆପଣା ନୀଡ଼କୁ ବାହୁଡ଼ି ଆସିଛନ୍ତି—ଶାବକମାନଙ୍କ ଗହଣକୁ ।

 

ଦିନ କହିଗଲା । ସୁଶାନ୍ତ ପୁଣି ଗଭୀର ପ୍ରେରଣା ଓ ନୂତନ ଉତ୍ସାହ ଘେନି ଦିନ, ରାତି କାମରେ ଲାଗି ରହିଲେ । ଏକୁଟିଆ ପଡ଼ିଗଲେ ବିଚାରୀ ତନିମା । ସୁଶାନ୍ତଙ୍କ ସଙ୍ଗରେ ସେ କ୍ଷେତକୁ ଯାଇ ପାରନ୍ତି ନାହିଁ, କି ଘର ଭିତରେ ଏକୁଟଆ ପଡ଼ି ରହିବାକୁ ସୁଖ ପାଆନ୍ତି ନାହିଁ । ବଡ଼ ନିଃସଙ୍କ, ନିଷ୍ପନ୍ଦ ଜୀବନ । ମୁଣ୍ଡାବିଲିର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କର ସହରୀ ମନକୁ ପ୍ରଥମ କେତେ ଦିନ ଆକୃଷ୍ଟ କରି ରଖିଥିଲା । ତା’ପରେ ଆସିଲା ବିରକ୍ତି–ଗତାନୂ–ଗତିକତା ପ୍ରତି ଅବସାଦ । ସହରୀ ଜୀବନର ନିତ୍ୟ ନୂତନ ଆବେଗ, ଉତ୍ତେଜନା, ରୋମାନ୍‌ସ, ଆଡ଼ଭେଞ୍ଚର୍‌ କଥା ସେ ଅହରହ ଝୁରି ହେବାକୁ ଲାଗିଲେ । ଶରୀର ତାଙ୍କର ଦିନକୁ ଦିନ କ୍ଷୀଣ ହୋଇଗଲା ।

 

ଦିନେ ସୁଶାନ୍ତ ପଚାରିଲେ–‘‘ତମର ହେଲା କଣ ତନୁ ? ଇମିତି ଶୁଖିଲା ଦିଶୁଛ ଯେ ! ଦେହ କଣ କିଛି.....’’

 

‘‘ସେଥିରେ ତମର କଣ ଅଛି । ମୁଁ ମଲି ବା ଗଲି–’’ ତନିମାଙ୍କ କଣ୍ଠରେ ବ୍ୟଥା ଓ ଅଭିମାନର ସ୍ୱର ।

 

ସୁଶାନ୍ତ ଦୁଃଖିତ ହେଲେ, ବିରକ୍ତ ବି ହେଲେ—‘‘ଦିନ ରାତି ୨୪ ଘଣ୍ଟା ଜଣେ ଲୋକ ଏଇ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିଲେ, ବଞ୍ଚିବ କିମିତି ? କେତେ ଥର ତମକୁ କହିଲି ତନୁ, ମୋ ସାଙ୍ଗରେ କ୍ଷେତକୁ ଚାଲ, ନୋହିଲେ ପାଖ ଆଖ ଗାଁ ଗଣ୍ଡାକୁ ବୁଲି ଯାଅ । ବୁଲିବା ସାଙ୍ଗେ ଔଷଧ ବଣ୍ଟା କାମ ବି ହେବ । ମୋ କଥା ତ ତମେ ଶୁଣିଲ ନାହିଁ, ମୁଁ କରିବି କଣ ?’’

 

—‘‘ତମକୁ ମୋ ଲାଗି କିଛି କରିବାକୁ କହୁନି । ନିଜ କାମରେ ତମେ ଲାଗ । ତମେ–ତମେ ବଡ଼ ସ୍ୱାର୍ଥପର ।’’ ତନିମା ଆଉ ବେଶୀ କିଛି କହି ପାରିଲେ ନାହିଁ, ବିଛଣାରେ ମୁହଁ ମାଡ଼ି ସୁଁ ସୁଁ ହୋଇ କାନ୍ଦିବାକୁ ଲାଗିଲେ ।

 

ବିଷୟଟା କ୍ରମେ ଗୁରୁତର ହେଉଛି ଦେଖି ସୁଶାନ୍ତ ନୀରବ ହେଲେ—ବିଛଣା ନିକଟକୁ ଯାଇ କ୍ରନ୍ଦନରତା ତନିମାକୁ କୋଳକୁ ନେଲେ ।

 

ତହିଁ ଆରଦିନ ସକାଳେ ତନିମା ବସି ଏକୁଟିଆ ରେଡିଓ ଶୁଣୁଛନ୍ତି, ହଠାତ୍‌ ରେଡିଓଟା କଣ ବିଗିଡ଼ିଗଲା । ଯେତେ ମୋଡ଼ାମୋଡ଼ି କଲେ ବି ଆଉ ବାଜିଲା ନାହିଁ । ବିରକ୍ତ ହୋଇ ତନିମା ଉଠି ପଡ଼ିଲେ । ସୁଶାନ୍ତ କେତେବେଳୁ କାମକୁ ଚାଲିଯାଇଛନ୍ତି । କୂଅ ମୂଳରେ ଚାକର ପିଲାଟି ବସି ବାସନ ମାଜୁଛି । ଏତେ ବଡ଼ ବଙ୍ଗଳାଟା ଶୂନ୍‌ଶାନ୍‌ । ସାଙ୍ଗରେ ବସି ଖେଳିବାକୁ କୁକୁର ଛୁଆଟିଏ ବି ପାଖରେ ନାହିଁ । ତନିମା ଘରର ଚାରିଆଡ଼କୁ ଚାହିଁଲେ । କାନ୍ଥଗୁଡ଼ାକ ଯେପରି ରାକ୍ଷସୀ ମୂର୍ତ୍ତି ଧରି ତାଙ୍କ ଆଡ଼କୁ ମାଡ଼ି ଆସୁଛନ୍ତି । ଚାଳଟା ତାଙ୍କ ଉପରେ ମାଡ଼ି ପଡ଼ିବ ଯେପରି । ସେ ଭୟରେ ବାହାରକୁ ପଳାଇଗଲେ । ବାହାରେ ଦିଗନ୍ତ ବିସ୍ତୃତ ଶସ୍ୟ କ୍ଷେତ୍ର । ଦୂରରେ ଟ୍ରାକ୍‌ଟର ଗର୍ଜନ କରି ଚାଲିଛି । କଳା କଳା ଜୀବ ଗୁଡ଼ିଏ ତା’ ସାଙ୍ଗରେ କାମ କରୁଛନ୍ତି । ଶିରି ଶିରି ପବନରେ ବଂଶୀଧ୍ୱନି ସହିତ ଭାସି ଆସୁଛି ଆଦିବାସୀ ରମଣୀର କଣ୍ଠସ୍ୱର । ତନିମା ନିଜକୁ ବଡ଼ ନିଃସଙ୍ଗ ବୋଧ କଲେ । ସୁଶାନ୍ତ ! କାହିଁ ସେ କୁଆଡ଼େ ? ହା ହୃଦୟହୀନ ସୁଶାନ୍ତ । ପ୍ରସ୍ତରମୟୀ ଅଭିଶପ୍ତା ଭୂମିକୁ ତମେ ଅହଲ୍ୟାର ଜୀବନ ଦାନ କରିପାର ସତ, କିନ୍ତୁ ଜୀବନ୍ତ ଅହଲ୍ୟାର ହୃଦୟ ସ୍ପର୍ଶ କରିବା ତୁମ ପକ୍ଷରେ ଦୁଃସାଧ୍ୟ ।

 

ତନିମା ଆଉ ଠିଆ ହୋଇ ରହି ପାରିଲେ ନାହିଁ । ବାହାରି ପଡ଼ିଲେ ବଙ୍ଗଳାରୁ । କ୍ଷେତ ଭିତରେ ପଶି ଏକମୁହାଁ । ଚାଲିବାକୁ ଲାଗିଲେ । କୁଆଡ଼େ ଚାଲିଛନ୍ତି ଖିଆଲନାହିଁ । ମୁଣ୍ଡ ଉପରେ ଚୈତ୍ର ମାସର ଖରା । ତଳେ କାଦୁଅ ପାଣି, ଢେଲା ପଥର, କଣ୍ଟା ଖୁଞ୍ଚ । ପାଦ ଯୋଡ଼ିକ କ୍ଷତ ବିକ୍ଷତ ହୋଇ ରକ୍ତ ଝରୁଛି । ପାତଳ ଶାଢ଼ି ଚିରି ଗଲାଣି କେତେ ଜାଗା । ପେଲବ କପୋଳ ଦେଶରୁ ଝରି ପଡ଼ୁଛି ଅଜସ୍ର ସ୍ୱେଦ ବିନ୍ଦୁ । ଧଇଁ ସଇଁ ହୋଇ ସେ ଚାଲିଛନ୍ତି ।

 

ପ୍ରାୟ ଅଧ ମାଇଲ ରାସ୍ତା ଗଲା ପରେ ଦୂରରୁ ସୁଶାନ୍ତ ଦେଖି ପାରିଲେ—ତନିମା ଏକାକୀ ଛୁଟିଛନ୍ତି । ସେ ଆନନ୍ଦରେ ହାତ ଟେକି ଡାକ ଛାଡ଼ିଲେ–ତ–ନି–ମା–

 

ତନିମା ହଠାତ୍‌ ଠିଆ ହୋଇ ଯାଇ ସୁଶାନ୍ତଙ୍କୁ ପ୍ରତ୍ୟୁତ୍ତର ଦେବା ଲାଗି ହାତ ଟେକିଲେ । ମାତ୍ର ହାତ ସମ୍ପୂର୍ଣ୍ଣ ଉପରକୁ ଉଠିବା ସେ ଟଳି ପଡ଼ିଳେ ଭୂଇଁରେ ସଂଜ୍ଞାହୀନା ହୋଇ । ତୁଣ୍ଡରୁ ତାଙ୍କର ‘ସୁ–ଶା–ନ୍ତ’ ଡାକଟି ମଧ୍ୟ ସମ୍ପୂର୍ଣ୍ଣ ରୂପେ ଉଚ୍ଚାରିତ ହୋଇ ପାରିଲା ନାହିଁ ।

 

ତା’ପରେ ଦୁଇ ଦିନ ଧରି ତନିମାଙ୍କୁ ଭୀଷଣ ଜ୍ୱର । ବାପ ଘର—ସହରକୁ ଯିବାଲାଗି ସେ ବ୍ୟାକୁଳ ହେଲେ ଏବଂ ସଙ୍ଗରେ ଯାଇ ଛାଡ଼ି ଦେଇ ଆସିବାକୁ ସୁଶାନ୍ତଙ୍କୁ କହିଲେ । ଫାର୍ମ୍‌ କାମର ଭିଡ଼ ହେତୁ ସୁଶାନ୍ତ ଯିବାକୁ ଅମଙ୍ଗ ହେବାରୁ ଦୁହିଁଙ୍କ ଭିତରେ ହେଲା ଝଗଡ଼ା । ଶେଷରେ ସୁଶାନ୍ତ ଶକ୍ତିଘାଟ ଷ୍ଟେସନ ପର୍ଯ୍ୟନ୍ତ ସଙ୍ଗରେ ଯାଇ ତନିମାଙ୍କୁ ଗାଡ଼ି ଚଢ଼େଇ ଦେଇ ଆସିଲେ ।

 

ଠିକ୍‌ ତିନି ଦିନ ପରେ ସୁଶାନ୍ତ ନିଜ ଶଶୁରଙ୍କ ଠାରୁ ଚିଠି ଖଣ୍ଡିଏ ପାଇଲେ ‘‘ସୁଶାନ୍ତ, ତମର ସେଇ ଜଙ୍ଗଲ ଭିତରେ ତନକୁ ପଶୁ କରିବାକୁ ଚାହିଁଥିଲ । ସେ ପଳାଇ ଆସି ବଞ୍ଚିଛି । ତା’ର ଭବିଷ୍ୟତ୍‌ ଜୀବନ ଯେ ନଷ୍ଟ ହୋଇଗଲା, ସେଥିଲାଗି ଦାୟୀ କିଏ ?’’

 

ଚିଠିଟି ପଢ଼ି ସୁଶାନ୍ତ ଖାଲି ଟିକିଏ ମୁରୁକି ହସିଲେ । ତନିମା ପ୍ରକୃତରେ ଶ୍ରୀମତୀ ତନିମା ନାୟକ ହୋଇ ପାରି ନାହାନ୍ତି । ସେ ପୂର୍ବର ସେହି ମିସ୍‌ ତନିମା ମହାନ୍ତି ହୋଇ ରହିଗଲେ-

 

(ତରଣୀ ପତ୍ରିକାରେ ପ୍ରକାଶିତ)

ରଚନା ସ୍ଥାନ–କଟକ, କାଳ–୧୯୫୬)

✽✽✽

 

ତ୍ରିଶଙ୍କୁ

 

ଶେଫାଳି ଶୋଇଛି ।

 

ସକାଳର ସୂର୍ଯ୍ୟ କିରଣ ଝରକାର ପତଳା ପରଦାରେ ଛାଙ୍କି ହୋଇ ତାହାର ଶୟନ କକ୍ଷରେ ପ୍ରବେଶ କଲାଣି । ତୁହାକୁ ତୁହା ଶୀତଳ ପବନ କେତେ ଥର ଆସି ତାହାର ବିପର୍ଯ୍ୟସ୍ତ କେଶରାଶି ସହିତ ଖେଳି ଗଲାଣି । ଶେଫାଳି କିନ୍ତୁ ଡନ୍‌ଲ୍‌ପିଲୋ ଗଦି ଉପରେ ନିଶ୍ଚିନ୍ତରେ ନିଦ୍ରା ଯାଇଛି ।

 

କାନ୍ଥ ଘଣ୍ଟାରେ ଢଂ ଢଂ ଶବ୍ଦ କରି ଆଠଟା ବାଜିଲା ।

 

ଶେଫାଳି ତନ୍ଦ୍ରାଳସ ଦେହରେ ଭିଡ଼ିମୋଡ଼ି ହୋଇ କର ଲେଉଟାଇଲା । ଗତ ରାତିର ତାହାର ସକଳ ବେଶ, ପ୍ରସାଧନ ଇତସ୍ତତଃ ହୋଇ ପଡ଼ିଛି—ବିଶାଳ ସଜ୍ଜିତ କବରୀର ପୁଷ୍ପ-ସମ୍ଭାର ସ୍ଥାନଚ୍ୟୁତ, ତନୁଲତାର ସମସ୍ତ ଆବରଣ ଶିଥିଳୀକୃତ । ଶେଫାଳି କିନ୍ତୁ ତହିଁରେ ବିଚଳିତା ନୁହେଁ । କଟକର ଜିଲ୍ଲା ମାଜିଷ୍ଟ୍ରେଟ ମିଷ୍ଟର ପି: ମୁଖାର୍ଜିଙ୍କର ଏକମାତ୍ର କନ୍ୟା ସେ । ସାରା ଦିନର ଗତାନୁଗତିକ ସାଜସଜ୍ଜା, ବିଧିବଦ୍ଧ ଆଚାର ବ୍ୟବହାର, ଆଦବକାୟଦା ମଧ୍ୟରେ ଏହିପରି ଏକାନ୍ତ ନିରୋଳା ମୁହୂର୍ତ୍ତଟିଏ ତାହାର ଲୋଡ଼ା, ଯେତେବେଳେ ସଜ୍ଜିତ ଦେହକୁ ଟିକିଏ ଲଘୁ ବା ହାଲୁକା କରି ଦେବାକୁ ଭାରି ଭଲ ଲାଗେ । ଶେଫାଳିର ନିଦ ବର୍ତ୍ତମାନ ଭାଙ୍ଗିଛି । ସେ ଥରେ ଆଖି ଖୋଲି ଚାହିଁଲା, କିନ୍ତୁ ଶଯ୍ୟା ତ୍ୟାଗ କରିବାକୁ ଚେଷ୍ଟା କଲା ନାହିଁ । ତକିଆଟାଏ ଛାତି ତଳକୁ ଭିଡ଼ି ଆଣି ପୁଣି ସେଇ ତୁଳୀତଳ୍ପ ଶଯ୍ୟା ଉପରେ ଆଖି ମୁଦି ଦେଲା ।

 

କିନ୍ତୁ ଏଥର ସେ ନିଦରେ ଶୋଇଲା ନାହିଁ । ଆଖି ମୁଦି ଭାବିବାକୁ ଲାଗିଲା—ଗତ ରାତିର କଥା । କାଲି ରାତିରେ ବାରବାଟି ଷ୍ଟାଡ଼ିଅମ୍‌ରେ ବିଶ୍ୱବିଦ୍ୟାଳୟର ଯୁବ-ଉତ୍ସବ ଦେଖି ବାଂଲୋକୁ ଫେରୁ ଫେରୁ ରାତି ବାରଟା । ଶେଫାଳି କେବେ ଓଡ଼ିଆମାନଙ୍କର ସଭା ସମିତି–ଉତ୍ସବ–ଅନୁଷ୍ଠାନ ପ୍ରଭୃତିକୁ ଯାଏନା । କାରଣ ତାହାର ଧାରଣା—ସେଠାରେ ଭଦ୍ର ସମାଜର ଦେଖିବା ଶୁଣିବା ଭଳି କିଛି ନ ଥାଏ । ବାବା ବି କହନ୍ତି—କଲିକତାର ସଭା ସମିତି, ଜଲ୍‍ସା ବା ସଙ୍ଗୀତ—ଆସର ଭାରତ ମଧ୍ୟରେ ସର୍ବତ୍କୃଷ୍ଟ । ଓଡ଼ିଆମାନେ ତାହାରି ଅନୁକରଣ କରୁଛନ୍ତି । କିନ୍ତୁ ପାରୁଛନ୍ତି କାହିଁ ? ପୁଣି ଓଡ଼ିଆ ଏତେ ଅସଭ୍ୟ, ଅମାର୍ଜିତ ଯେ—ସଭାସମିତିରେ ସୁନ୍ଦରୀ ସ୍ତ୍ରୀଟିଏ ଦେଖିଲେ ଡାହାଣାଙ୍କ ଭଳି ବଲ ବଲ କରି ତାହାରି ଆଡ଼କୁ ଅନାଇ ରହିଥିବେ ।

 

ଶେଫାଳି କଣ ସୁନ୍ଦରୀ ନୁହେଁ । ସେ ବାସ୍ତବିକ ଅପୂର୍ବ ରୂପସୀ । କଲିକତା ଭବାନୀପୁରର ବିଖ୍ୟାତ ମୁଖାର୍ଜି ବଂଶର କନ୍ୟା ସେ । ବାବା ପୁଣି ପ୍ରତିପତ୍ତିଶାଳୀ କଲେକ୍‌ଟର ଏବଂ ଡିଃ ଏମଃ । ଓଡ଼ିଶାର କେତେ ସମ୍ଭ୍ରାନ୍ତି ବଙ୍ଗୀୟ ପରିବାରରୁ ବିଲାତ ଫେରନ୍ତା ଉଚ୍ଚ ପଦସ୍ଥ ବରପାତ୍ର ଲାଗି ତାହାର ବିବାହ ପ୍ରସ୍ତାବ ଆସିଛି । କିନ୍ତୁ ମିଷ୍ଟର ମୁଖାର୍ଜି ସମସ୍ତ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଓଡ଼ିଶାରେ କେହି ଖାଣ୍ଟି ବଙ୍ଗାଳୀ ଅଛନ୍ତି ବୋଲି ସେ ମନେ କରନ୍ତି ନାହିଁ । ଏଠାରେ ସମସ୍ତ ବଙ୍ଗାଳୀ ଦୋମିଶା, କେରା; କାହାରି ଶିରା ପ୍ରଶିରାରେ ଶୁଦ୍ଧ ବଙ୍ଗୀୟ ରକ୍ତ ପ୍ରବାହିତ ନୁହେଁ । ତେଣୁ ଏ ଦେଶରେ ବନ୍ଧୁ ବାନ୍ଧିବା ତାଙ୍କ ପକ୍ଷରେ ଏକାବେଳେକେ ଅସମ୍ଭବ । କଲିକତାସ୍ଥ ବିଶୁଦ୍ଧ ବଙ୍ଗୀୟ ପରିବାରରୁ ମଧ୍ୟ କେତେକ ବିବାହ ପ୍ରସ୍ତାବ ଆସିଛି । କିନ୍ତୁ ‘ଶେଫାଳି ପିଲାଟା’ ବୋଲି କହି ମିଷ୍ଟର ମୁଖାର୍ଜି ପ୍ରସ୍ତାବ ମଧ୍ୟ ଏଡ଼ାଇ ଦେଇଛନ୍ତି ।

 

ଜୀବନର ଦୀର୍ଘ ଅଠରଟି ବର୍ଷ ଶେଫାଳି ଏଇ ଓଡ଼ିଶା ଭୂଇଁରେ କଟାଇଛି । ଓଡ଼ିଶାର ବ୍ରହ୍ମପୁରରେ ତାହାର ଜନ୍ମ । ପିଲାଦିନ କଟିଛି ବାଲେଶ୍ୱରରେ । ତାପରେ କିଶୋରୀ ବୟସରେ ସେ କଲିକତା ଯାଏ ପାଠ ପଢ଼ିବାକୁ । ମିଷ୍ଟର ମୁଖାର୍ଜିଙ୍କର ଧାରଣା—ଓଡ଼ିଶାରେ ଭଲ ସ୍କୁଲଟିଏ ନାହିଁ । ଏଠାରେ ନିଜ ପିଲାଙ୍କୁ ପଢ଼ାଇଲେ, ପିଲାଏ କୁତ୍ସିତ ଓଡ଼ିଆ ଛୁଆଙ୍କ ସଂସର୍ଗରେ ଆସି ଖରାପ ହୋଇଯିବେ । ସେଥିପାଇଁ ଶେଫାଳିର ସମସ୍ତ ଶିକ୍ଷା ଦୀକ୍ଷା କଲିକତାରେ ହିଁ ସମାହିତ ହୋଇଛି । କିନ୍ତୁ ସାନଭାଇ ବିଶ୍ୱଜିତ୍‌ର ଜନ୍ମ ପରେ ପରେ ମାଆଙ୍କର ଅକାଳ ବିୟୋଗ ହେବାରୁ ଶେଫାଳି ପୋଥିରେ ଡୋର ବାନ୍ଧି ପୁଣି ଓଡ଼ିଶାକୁ ବାବାଙ୍କ ପାଖକୁ ବାହୁଡ଼ି ଆସିଛି । ତାପରେ ଯୌବନର ରଙ୍ଗୀନ୍‌ ଦିନଗୁଡ଼ିକ ସେ କଟାଇଛି ପୁରୀ ଓ ସମ୍ୱଲପୁରରେ । ଶେଷରେ ଏଇ କଟକରେ ଅବସ୍ଥାନ-। ଏହା ମଧ୍ୟରେ ବିଶ୍ୱଜିତ୍‌ ପଢ଼ିବା ଲାଗି କଲିକତା ଚାଲିଗଲା ପରେ ବାବାଙ୍କର ସମସ୍ତ ସ୍ନେହ ଶ୍ରଦ୍ଧାର ଏକକ ଅଧିକାରିଣୀ ହୋଇଛି ସେ ।

 

ଶେଫାଳି କେବଳ ରୂପସୀ ନୁହେଁ, ଗୁଣବତୀ ମଧ୍ୟ । ନୃତ୍ୟ ଓ ସଙ୍ଗୀତରେ ସେ ବେଶ୍‌ ପ୍ରବୀଣତା ଅର୍ଜ୍ଜନ କରି ପାରିଛି । ମିଷ୍ଟର ମୁଖାର୍ଜି କଲିକତା ଓ ଶାନ୍ତିନିକେତନରୁ ଖ୍ୟାତନାମା ସଙ୍ଗୀତଜ୍ଞ ଓ ନୃତ୍ୟ ଶିଳ୍ପୀମାନଙ୍କୁ ଅଣାଇ କନ୍ୟାକୁ ନୃତ୍ୟ ସଙ୍ଗୀତ ଶିକ୍ଷା ଦିଆଇଛନ୍ତି । ସେଥର ପୁରୀଠାରେ ଅନୁଷ୍ଠିତ ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀରେ ରବୀନ୍ଦ୍ର ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଶେଫାଳି ପୁରସ୍କୃତ ହୋଇଥିଲା । ପୁଣି ଭାରତ ନାଟ୍ୟମରେ ଶ୍ରେଷ୍ଠ ବିବେଚିତ ହୋଇ ବହୁ ସ୍ୱର୍ଣ୍ଣପଦକ ଲାଭ କରିଥିଲା । ମୀରା ଭଜନ ଓ କଥକ ନୃତ୍ୟରେ ମଧ୍ୟ ତାହାର ଅସୀମ ଆଗ୍ରହ । କିନ୍ତୁ ଓଡ଼ିଶା ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟକୁ ସେ ରୀତିମତ ଘୃଣା କରେ । ମିଷ୍ଟର ମୁଖାର୍ଜିଙ୍କ ମତରେ–ଓଡ଼ିଶୀ ନୃତ୍ୟ–ସଙ୍ଗୀତ ଶାସ୍ତ୍ରୀୟ ନୁହେଁ । ଏଥିରେ ଆଦୌ ମୌଳିକତା ନାହିଁ । ଓଡ଼ିଶୀ ସଙ୍ଗୀତ କର୍ଣ୍ଣାଟକୀର ଅନ୍ୟ ଏକ ରୂପ । ଆଉ ଓଡ଼ିଶୀ ନୃତ୍ୟ ହେଉଛି–ଦକ୍ଷିଣ ଭାରତୀୟ ଦେବଦାସୀ ନୃତ୍ୟ ଓ ଆଧୁନିକ ବଙ୍ଗୀୟ ନୃତ୍ୟର ଏକ ବିଚିତ୍ର ଖେଚୁଡ଼ି । ଶେଫାଳି ବାବାଙ୍କ କଥାକୁ ‘ବେଦର ଗାର’ ମନେ କରି ଏ ସବୁଥରେ ଆଦୌ ମନ ଦେଇ ନାହିଁ ।

 

ବଙ୍ଗଳା ଗଳ୍ପ ଓ କବିତା ରଚନାରେ ମଧ୍ୟ ଶେଫାଳିର ହାତ ଅଛି । ଗତ ବର୍ଷ କଟକରେ ବଙ୍ଗୀୟ ନବ ବର୍ଷ ଉତ୍ସବରେ ସ୍ୱରଚିତ କବିତା ଆବୃତ୍ତ କରି ସେ ପ୍ରଶଂସିତ ହୋଇଛି । ତାହାର ସୁସଜ୍ଜିତ ବହି ଥାକ ରବୀନ୍ଦ୍ର କବିତା ଓ ଆଧୁନିକ ବଙ୍ଗଳା କାବ୍ୟ ଗ୍ରନ୍ଥ ଦ୍ୱାରା ପରିପୂର୍ଣ୍ଣ । ମିଷ୍ଟର ମୁଖାର୍ଜି ମଧ୍ୟ କବିତା–ପ୍ରେମୀ । ଚା-ଟେବୁଲରେ ବେଳେ ବେଳେ ବାପ-ଝିଅଙ୍କ ମଧ୍ୟରେ କାବ୍ୟ ଚର୍ଚ୍ଚା ହୋଇଥାଏ । ମିଷ୍ଟର ମୁଖାର୍ଜି କହନ୍ତି—ସେ ଇଂରାଜୀ ସାହିତ୍ୟରେ ମାଷ୍ଟର ହେଲେ ମଧ୍ୟ ରବୀନ୍ଦ୍ର କବିତାର ଉନ୍ନତ ଭାବ ଓ ପଦମାଧୁରୀ ଅନ୍ୟ କେଉଁଠି ଲକ୍ଷ୍ୟ କରି ନାହାନ୍ତି । ବଙ୍କିମଚନ୍ଦ୍ର ଓ ଶରତ ଚାଟାର୍ଜିଙ୍କ ଉପନ୍ୟାସ ବିଶ୍ୱ ସାହିତ୍ୟରେ ଶ୍ରେଷ୍ଠ ସ୍ଥାନୀୟ । ଆଉ ଓଡ଼ିଶାଟା ଏ ଦିଗରେ ଏକବାର ଅନୁନ୍ନତ । ଓଡ଼ିଆ ଭାଷାଟା ଦକ୍ଷିଣ ବଙ୍ଗର ଏକ ଉପଭାଷା । ଏହି ଉପ ଭାଷାରେ ଯାହା କିଛି ସାହିତ୍ୟ ସୃଷ୍ଟି ହୋଇଛି, ତାହା ସବୁ ବଙ୍ଗଳା ସାହିତ୍ୟର ସ୍ୱଚ୍ଛନ୍ଦ ଅନୁକରଣ । ତେଣୁ ପଚିଶ ବର୍ଷରୁ ଊର୍ଦ୍ଧ୍ୱ ଓଡ଼ିଶାରେ କର୍ମମୟ ଜୀବନ ଅତିବାହିତ କରିଥିଲେ ମଧ୍ୟ ମିଷ୍ଟର ମୁଖାର୍ଜି ଓଡ଼ିଆ ଭାଷା କହନ୍ତି ନାହିଁ, କି କହିବାକୁ ଚେଷ୍ଟା କରନ୍ତି ନାହିଁ ।

 

ଶେଫାଳି ବିନା ଦ୍ୱିଧା ବିନା ଆପତ୍ତିରେ ବାବାଙ୍କର ଏହି ସବୁ ଅଭିମତ ଗ୍ରହଣ କରି ନେଇଛି ପିଲା ଦିନରୁ । ତେଣୁ ଓଡ଼ିଶା ଓ ଓଡ଼ିଆ ଜାତି ପ୍ରତି ତା’ ମନରେ ଏକ ଉତ୍କଟ ଘୃଣାଭାବ ଜମାଟ ବାନ୍ଧି ଆସିଛି । ସେ ବାବାଙ୍କଠାରୁ ବହୁବାର ଶୁଣିଛି—ଓଡ଼ିଶା କେବଳ ଚାକର, ପୁଝାରୀ, ପାଲିଙ୍କ ବେହେରାମାନଙ୍କର ଦେଶ । ଏଠାରେ ସଭ୍ୟତା, ସଂସ୍କୃତି ବୋଲି କିଛି ନାହିଁ । ଏ ଦେଶର ଯାହା କିଛି ଉନ୍ନତି ହୋଇଛି, ତାହା ବଙ୍ଗାଳୀମାନଙ୍କ ଦ୍ୱାରା ଏଠାକାର କୋଣାର୍କ, ଭୁବନେଶ୍ୱର ଆଦି ମନ୍ଦିର ବଙ୍ଗାଳୀମାନେ ଆସି ନିର୍ମାଣ କରିଥିଲେ । ଏହି କାଠଯୋଡ଼ି ପଥର ବନ୍ଧ ତତ୍‌କାଳୀନ ବଙ୍ଗୀୟ ଇଞ୍ଜିନିୟର୍‌ମାନଙ୍କର କୃତି । ଓଡ଼ିଶାର ଧର୍ମ-ଜୀବନ ବଙ୍ଗର ଚୈତନ୍ୟଙ୍କ ଦ୍ୱାରା ସୁସଂଗଠିତ ହୋଇ ପାରିଛି । ବର୍ତ୍ତମାନ ଓଡ଼ିଆମାନେ ନିଜଦେଶକୁ ଶାସନ କରିବାରେ ଅକ୍ଷମ ବୋଲି ଶାସନ କ୍ଷେତ୍ରର ବିଭିନ୍ନ ସ୍ତରରେ ବଙ୍ଗାଳୀମାନେ ବହୁ ସଂଖ୍ୟାରେ ରହିଛନ୍ତି ।

 

ଓଡ଼ିଶା ଭୂଇଁରେ ଜନ୍ମଲାଭ କରି ଏହାରି ପାଣି ପବନରେ ପରବର୍ଦ୍ଧିତା ହୋଇଥିଲେହେଁ ଶେଫାଳି ଯୋଗ୍ୟ ପିତାଙ୍କର ଯୋଗ୍ୟା କନ୍ୟା ହିସାବରେ ଏ ଦେଶକୁ ବରାବର ପ୍ରବାସ ବୋଲି ମନେ କରିଛି ଏବଂ ସ୍ୱଦେଶ ବଙ୍ଗଳାର ସୁଖ ଦୁଃଖର ସଦାବେଳେ ସହାନୁଭୂତିଶୀଳ ହୋଇଛି । କେତେଥର ସେ ବାବାଙ୍କ ପାଖରେ ଅଳି କରିଛି ନିଜ ସୁନାର ବଙ୍ଗଳା ଦେଶକୁ ଫେରି ଯିବା ଲାଗି । ବାବା ତାକୁ ସାନ୍ତ୍ୱନା ଦେଇ କହିଛନ୍ତି—‘‘ଆଉ ଅଳ୍ପ କେତୋଟି ବର୍ଷ ଥୟ ଧର ମା । ଚାକିରିରୁ ଅବସର ପାଇଲେ ଆଉ ଏ ଅସଭ୍ୟ, ଅମିଣଷମାନଙ୍କ ମେଳରେ ରହେ କିଏ ? ତା’ପରେ କଲିକତା ବାଲିଗଞ୍ଜର ଆମର ନୂଆ କୋଠାରେ ଯାଇ ଶାନ୍ତିରେ ନିଶ୍ୱାସ ମାରିବା ।’’

 

ଆଳସ୍ୟ-ମଦିର ମୁଖରେ ଲମ୍ୱା ହାଇଟାଏ ମାରି ଶେଫାଳି ପୁଣି କର ଲେଉଟାଇଲା । ନା, ଉଠିବାକୁ ଇଚ୍ଛା ହେଉ ନାଇଁ, ଆଉ ଟିକିଏ ଶୁଆ ଯାଉ ! ଅର୍ଦ୍ଧ ନଗ୍ନ ଦେହ ଉପରକୁ ପତଳା ଚଦରଟା ଟାଣି ନେଇ ସେ ଘାଲେଇ ପଡ଼ିଲା ଏବଂ କ୍ଷଣକ ମଧ୍ୟରେ ପୁଣି ଭାବନାର ସ୍ରୋତ ଭିତରେ ବୁଡ଼ିଗଲା ।

 

କାଲି ସନ୍ଧ୍ୟାରେ ସେ ବିଶ୍ୱବିଦ୍ୟାଳୟ ଯୁବ-ଉତ୍ସବକୁ ଯାଇ ନ ଥାନ୍ତା । ବାବା କାଲି ଦିନ ଦୁଇଟା ବେଳୁ ସରକାରୀ କାମରେ ଭୁବନେଶ୍ୱର ଗଲେ ବାହାରି । ସେଠାରୁ ପୁଣି ତାଙ୍କର ପୁରୀ ଯିବାର କଥା । ଘରେ ଶେଫାଳି ଏକୁଟିଆ । ଏତେ ବଡ଼ ନିର୍ଜନ ବାଂଲୋଟା ଭିତରେ ଚୁପ୍‌ଚାପ ବସି ରହିବାକୁ ବଡ଼ ଖରାପ ଲାଗିଲା ତାକୁ । ଏସରାଜ୍‌ଟି ଟାଣି ଆଣି ତହିଁରେ ସେ ଏକ କରୁଣ ଆଳାପର ଝଙ୍କାର ତୋଳିବାକୁ ଯାଉଛି, ଏତିକି ବେଳେ ତାଙ୍କର ଓଡ଼ିଆ ଡ୍ରାଇଭରଟା ଆସି କହିଲା–‘‘ଦିଦି, ଆପଣ ତ ସଞ୍ଜ ବେଳେ କୁଆଡ଼େ ଯିବେ ନାଇଁ । ମୁଁ ତେବେ ଯାଉଛି, କଲେଜ ପିଲାଙ୍କର ଉତ୍ସବ ଦେଖିବି ।’’

 

ଶେଫାଳି କୌତୂହଳୀ ହୋଇ ପଚାରି ଦେଲା—‘‘ଉତ୍ସବରେ ସବୁ କ’ଣ କ’ଣ ହେଉଛିରେ ଦାମ ?

 

–‘‘ଆଜ୍ଞା, ଭାରି ବଢ଼ିଆ ନାଚ ଗୀତ । କାଲି ଖୁବ୍‌ ଲୋକ ଗହଳି ହୋଇଥିଲା । ଆଉରି ଦୁଇ ଦିନ ଚାଲିବ । ଯିବେ ଯଦି ଚାଲନ୍ତୁ ଦିଦି, ଟିକିଏ ଦେଖି ଆସିବେ ।’’

 

ବଡ଼ ସାହସ ତ ଏ ଡ୍ରାଇଭର ଟୋକାର ! ଶେଫାଳିକୁ ସଙ୍ଗରେ ଘେନି ସେ ପୁଣି ଯୁବ ଉତ୍ସବ ଦେଖିବା ପାଇଁ ବାହାରିଛି । ଅଭଦ୍ର, ଜାନୁଅର ! ପୂର୍ବରୁ ଏହିପରି ତାହାର କଦର୍ଯ୍ୟ ବ୍ୟବହାର ଶେଫାଳି କେତେ ଥର ଲକ୍ଷ୍ୟ କରିଛି । ସୁବିଧା ପାଇଲାମାତ୍ର ଶେଫାଳିକୁ ସେ ବଲ ବଲ କରି ଚାହିଁ ଦେଖୁଥିବ ଏବଂ କଳା କଳା ଓଠଟାକୁ ବାରମ୍ୱାର ଜିଭରେ ଚାଟୁଥିବ । ଏହି ଅସଭ୍ୟ ଓଡ଼ିଆ ଡ୍ରାଇଭର ଟୋକାଟାକୁ ତଡ଼ି ଦେଇ ଜଣେ ବଙ୍ଗାଳି ଡ୍ରାଇଭର ରଖିବା ପାଇଁ ବହୁବାର ଶେଫାଳି ବାବାଙ୍କୁ କହିବାକୁ ବାହାରିଛି, କିନ୍ତୁ କହି ପାରି ନାହିଁ । ଆଚାର ବ୍ୟବହାରରେ ଅମାର୍ଜିତ ହେଲେହେଁ ଦାମର ଚେହେରାଟି ଦେଖିବାକୁ ବେଶ୍‌ ସୁନ୍ଦର । ଶେଫାଳି ଚୋରାଇ ଚୋରାଇ ଅନେକ ଥର ତାହାର ବଳିଷ୍ଠ ବାହୁର ମାଂସପେଶୀଗୁଡ଼ିକ ଲକ୍ଷ୍ୟ କରିଛି ଏବଂ ବୋତାମ ଖୋଲା ହାଫ୍‌ କାମିଜ ତଳୁ ତାହାର ବିସ୍ତୀର୍ଣ୍ଣ ମାଂସଳ ଛାତିକୁ ଚାହିଁ ଲୋଭାନ୍ୱିତ ହୋଇଛି । ଥାଉ ବିଚରା ଗରିବ ଡ୍ରାଇଭରଟି ! ସାମାନ୍ୟ କାରଣରୁ ସେ କାହିଁକି ତାହାର ଦାନାପାଣି ମାରିବାକୁ ଯିବ !

 

ଶେଫାଳି ଦାମ କଥାରେ ହଠାତ୍‌ କାହିଁକି ରାଜି ହେଇଗଲା । କହିଲା—‘ହଉ, ତୁ ଗାଡ଼ି ବାହାର କର । ଯିବା, କିନ୍ତୁ ବେଶୀ ସମୟ ସେଠାରେ ରହିବା, ନି ।’’

 

ସନ୍ଧ୍ୟା ସାତଟାରେ ଶେଫାଳି ଯାଇ ଉତ୍ସବ ସ୍ଥଳରେ ପହଞ୍ଚିଲା । ସାତଟାରୁ ଏଗାରଟା ପର୍ଯ୍ୟନ୍ତ ଧୀର ସ୍ଥିର ଭାବରେ ବସି ନୃତ୍ୟ ସଙ୍ଗୀତର ବିଚିତ୍ରାନୁଷ୍ଠାନ ପୂର୍ଣ୍ଣ ପ୍ରାଣରେ ଉପଭୋଗ କଲା-। ସମ୍ୱଲପୁର କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଭିନୀତ ‘ବୀର ସୁରେନ୍ଦ୍ର ସାହେ’ ଏକାଙ୍କିକା, ଖଲିକୋଟ କଲେଜଛାତ୍ରୀ ପ୍ରତିମା ମହାନ୍ତିଙ୍କର ଯନ୍ତ୍ର ସଙ୍ଗୀତ ଏବଂ ଭଦ୍ରକ କଲେଜ ଛାତ୍ରଛାତ୍ରୀଙ୍କ ମିଳିତ କଣ୍ଠରୁ ଫସଲକଟା ଗୀତ ଶେଫାଳିକୁ ଅତି ଅପୂର୍ବ ଜଣାଗଲା । ବିଶେଷତଃ ରେଭେନସା କଲେଜ ଛାତ୍ର ସୁଶାନ୍ତ ସାମଲଙ୍କ ଖେୟାଲ ସେ ମୁଗ୍‌ଧ ଚକିତ ଚିତ୍ତରେ ଉପଭୋଗ କଲା ।

 

ବାଂଲୋକୁ ଫେରି ଶେଫାଳି ହଠାତ୍‌ ଶୋଇ ପାରିଲା ନାହିଁ, ବିଛଣାରେ ପଡ଼ି ଛଟପଟ ହେବାକୁ ଲାଗିଲା । ତାହାର ମନ ଭିତରେ ଦ୍ୱନ୍ଦ୍ୱ ଓ ସଂଘର୍ଷର ଏକ ଝଡ଼ ମାତି ଉଠିଛି ଯେପରି । ଓଡ଼ିଆମାନଙ୍କର ସଭା ସମିତି, ଉତ୍ସବ ଅନୁଷ୍ଠାନ ସଂପର୍କରେ ଏ ପର୍ଯ୍ୟନ୍ତ ସେ ଗୋଟାଏ ଭ୍ରମ ଧାରଣା ପୋଷଣ କରି ଆସିଥିଲା । ଏବେ ସେ ଦେଖୁଛି—ଓଡ଼ିଆମାନଙ୍କର ଉତ୍ସବ ଆଦି ବାସ୍ତବିକ ଉଚ୍ଚକୋଟୀର । ଓଡ଼ିଆମାନଙ୍କର ମଧ୍ୟରେ ପ୍ରକୃତ ଶିଳ୍ପୀ, କଳା-ସାଧକ ମଧ୍ୟ ଅଛନ୍ତି । ରେଭେନ୍‌ସା କଲେଜର ସେଇ ଯୁବ ଶିଳ୍ପୀ ଜଣକ...

 

ଅକସ୍ମାତ୍‌ ଶେଫାଳିର ଶୟନ କକ୍ଷ ଦରଜାରେ କାହାର କରାଘାତ ଶବ୍ଦ ଶୁଣାଗଲା । ଶେଫାଳି ଚମକିଲା ପରି ଆଖି ଖୋଲି ଚାହିଁଲା; ବାହାରୁ ଶୁଣିବାକୁ ପାଇଲା ଓଡ଼ିଆ ପୁଝାରୀର ଡାକ—‘‘ବାବୁ ଭୁବନେଶ୍ୱରରୁ ଫେରିଲେଣି ଦିଦି; ଚା ଖାଇବାପାଇଁ ଆପଣଙ୍କ ଅପେକ୍ଷାରେ ବସିଛନ୍ତି ।’’

 

ଦେହର ଲୁଗାପଟା ସଜାଡ଼ି ନେଇ ଶେଫାଳି ଉଠି ପଡ଼ିଲା ।

 

ଟେବୁଲ ଉପରେ ମିଷ୍ଟର ମୁଖାର୍ଜିଙ୍କ ଲାଗି ଚା ସଜାଡ଼ି ଦେଉଁ ଦେଉଁ ଶେଫାଳି କହିଲା–‘‘କାଲି ରାତିରେ ମୁଁ ଉତ୍କଳ ଓ ବିଶ୍ୱବିଦ୍ୟାଳୟର ଯୁବଉତ୍ସବ ଦେଖି ଯାଇଥିଲି ବାବା ! ସମସ୍ତ ପ୍ରୋଗ୍ରାମଟା ବେଶ୍‌ ଉପଭୋଗ୍ୟ ହେଲା । ଆପଣ ଯାହା କହନ୍ତୁ ପଛକେ, ଓଡ଼ିଆମାନେ ଆଜିକାଲି ଖୁବ୍‌ ସଭ୍ୟ ଓ ରୁଚିବନ୍ତ ହୋଇ ଗଲେଣି ।’’

 

—‘‘ସେ କଥା ମୁଁ କେବେ ବିଶ୍ୱାସ କରିବିନି ମା । ଓଡ଼ିଆମାନଙ୍କର ଅସ୍ଥି ମଜ୍ଜାଗତ କେତେକ ଦୋଷ ଦୁର୍ବଳତା ଅଛି, ଯାହା ଫଳରେ ଏ ଜାତି କେବେ ସଭ୍ୟ ବୋଲି ବିବେଚିତ ହୋଇ ନ ପାରେ । ଅନ୍ଧ ଅନୁକରଣ–ପ୍ରବୃତ୍ତି, ପରଶ୍ରକାତରତା ଈର୍ଷାପରାୟଣତା କିବା ସଂକୀର୍ଣ୍ଣ ମନୋବୃତ୍ତି—ଏସବୁ କେଉଁ ଗୁଣରେ ଓଡ଼ିଆମାନେ କମ୍‌ କହିଲ ଦେଖି । ମୋ ମନେ ହୁଏ ଯୁବ-ଉତ୍ସବର ଏ ସଫଳତା କେବଳ ଆମ ବଙ୍ଗାଳିମାନଙ୍କ ପ୍ରଭାବ ଓ ଉଦ୍ୟମ ଫଳରୁ । ଥରେ ଖବର ନେଇ ବୁଝିଲ ମା, ଏ ଯୁବ-ଉତ୍ସବରେ ଅଂଶ ଗ୍ରହଣ କରିଥିବା ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରୁ ଖାଣ୍ଟି ଓଡ଼ିଆ କେତେ ଜଣ ?

 

—‘‘ନା ବାବା, ଓଡ଼ିଆ ଛାତ୍ର ଛାତ୍ରୀ ଢେର ଅଛନ୍ତି । କାଲି ରେଭେନ୍‌ସା କଲେଜର ଜଣେ ଛାତ୍ର ସୁଶାନ୍ତ ସାମଲ ଅତି ଉଚ୍ଚ କୋଟୀର....’’

 

ଶେଫାଳିକୁ ବେଶୀ କହିବାକୁ ନଦେଇ ମିଷ୍ଟର ମୁଖାର୍ଜି ହସି ହସି ଆରମ୍ଭ କଲେ–‘‘ବୁଝିଲି ମା, ସୁଶାନ୍ତ ସାସମଲ ! ବଙ୍ଗାଳି ସେ, ଅନେକ ଦିନ ଓଡ଼ିଶାରେ ରହିଲା ପରେ ତା’ ବଂଶର ସର୍‌ନେମ୍‌ଟା ବଦଳି ଯାଇଛି । ଏହିପରି ଅନେକ ବଙ୍ଗାଳି ସର୍‌ ନେମ୍‌ ବଦଳାଇ ଥିବାର ମୁଁ ନିଜେ ଜାଣେ ।’’

 

ଶେଫାଳି ଆଉ ବେଶୀ ଯୁକ୍ତି ତର୍କ ଭିତରକୁ ନ ଯାଇ କହିଲା—‘‘ସେ ଯାହାହେଉ ବାବା, ଆପଣଙ୍କୁ ଆଜି ମୋ ସଙ୍ଗରେ ଯୁବ-ଉତ୍ସବ ଦେଖିଯିବାକୁ ହେବ । ମୋତେ ଏକୁଟିଆ ଭଲ ଲାଗୁ ନାହିଁ ।’’

 

ଚା କପରୁ ଢୋକେ ପିଇ ମିଷ୍ଟର ମୁଖାର୍ଜି କହିଲେ—‘ଆଚ୍ଛା ଦେଖିବା ।’

 

ସେଦିନ ସନ୍ଧ୍ୟାରେ ବାପ ଝିଅ ଦୁଇ ଜଣ ଯୁବ-ଉତ୍ସବ ଦେଖିବାକୁ ଗଲେ । ବିଚିତ୍ରାନୁଷ୍ଠାନ ମଧ୍ୟରେ ସେଦିନ ସୁଶାନ୍ତ ସାମଲର ଅଭିନୟ ଦେଖି ଶେଫାଳି ମୁଗ୍‌ଧ ହେଲା । ଅଭିନୟ ଶେଷରେ ଶେଫାଳିର ପ୍ରରୋଚନାର ମିଷ୍ଟର ମୁଖାର୍ଜି ସୁଶାନ୍ତକୁ ଡକାଇ ପଠାଇଲେ । ଶେଫାଳି ସୁଶାନ୍ତଙ୍କ ମଧ୍ୟରେ ଆଳାପ ହେଲା ଏବଂ ନୃତ୍ୟ ସଙ୍ଗୀତ ସଂପର୍କରେ କେତେ ସାଧାରଣ ଆଲୋଚନା ପଡ଼ିଲା । ଶେଷରେ ଶେଫାଳି ନିଜ ବାଂଲୋକୁ ସୁଶାନ୍ତକୁ ପରଦିନ ସଂନ୍ଧ୍ୟାରେ ଯିବା ଲାଗି ନିମନ୍ତ୍ରଣ କରିଗଲା ।

 

ପରଦିନ ସନ୍ଧ୍ୟାରେ ସୁଶାନ୍ତ ଆସି ଦେଖିଲା—ମିଷ୍ଟର ମୁଖାର୍ଜି ନାହାନ୍ତି । ବାଂଲୋର ଶେଫାଳି ଏକୁଟିଆ । ଶେଫାଳି କହିଲା—‘‘ଦିନ ବାରଟାବେଳୁ ବାବା କୁଆଡ଼େ ଟୁର୍‌ରେ ଯାଇଛନ୍ତି-। ସେ ଆପଣଙ୍କଠାରୁ ଖେୟାଲଟିଏ ଶୁଣିବା ଲାଗି ବଡ଼ ଆଗ୍ରହୀ; ଆଉ ମୁଁ ବି କମ୍‌ ନୁହେଁ-। ସୁଶାନ୍ତ ହସି ହସି କହିଲା—‘‘ମୁଁ କିନ୍ତୁ ଖାଲି ଶୁଣେଇବାକୁ ଆସିନି ମିସ୍‌ ମୁଖାର୍ଜି, ଆପଣଙ୍କଠାରୁ କିଛି ଶୁଣିବାକୁ ଆସିଛି ମଧ୍ୟ । ନୃତ୍ୟ ସଙ୍ଗୀତରେ ଆପଣଙ୍କର ଖ୍ୟାତି ମୁଁ ପୂର୍ବରୁ ଶୁଣିଛି-।’

 

ଶେଫାଳି ଟିକିଏ ଲାଜରା ହେଇ କହିଲା—‘‘କିନ୍ତୁ ଆପଣଙ୍କ ପାଲି ଆଗେ । ତା’ ପୂର୍ବରୁ ସାମାନ୍ୟ ଚା ପାନରେ ଆପଣଙ୍କର ଆପତ୍ତି ନ ଥିବ ବୋଧହୁଏ ।’’

 

ଚା ଜଳଖିଆ ଆଣିବା ଲାଗି ଶେଫାଳି ପୁଝାରୀକୁ ଡାକିଲା । ତା’ ପରେ ସାମାନ୍ୟ ସଙ୍କୋଚ ସହ ସୁଶାନ୍ତକୁ ପଚାରିଲା—‘‘ଆଚ୍ଛା, ଆପଣଙ୍କ ସର୍‍ ନେମଟା ସାମଲ, ନା ସାସମଲ ? କିଛି ମନେ କରିବେନି ଆଜ୍ଞା, ଖାଲି ଏମିତି ପଚାରୁଛି ।

 

ସୁଶାନ୍ତ ଟିକିଏ ବିସ୍ମିତ ହୋଇ ଜଣାଇଲା—‘‘ମୋ ସର୍‌-ନେମ ସାମଲ; ମୁଁ କେନ୍ଦ୍ରାପଡ଼ାର ଓଡ଼ିଆ ଖଣ୍ଡାୟତ ।’’

 

–‘‘ମୋର ଏ ବାଜେ ପ୍ରଶ୍ନ ପାଇଁ ମାଫ୍‌ କରିବେ ସୁଶାନ୍ତ ବାବୁ । ଆସନ୍ତୁ, ସାମାନ୍ୟ ଚା ପାନ ପରେ....’’ ବାରଣ୍ଡା-ସଂଲଗ୍ନ ଏକ ପୁଷ୍ପୋଦ୍ୟାନ ଭିତରକୁ ଶେଫାଳି ସୁଶାନ୍ତକୁ ଡାକି ଘେନିଗଲା । ସେହି ଉଦ୍ୟାନ ମଧ୍ୟସ୍ଥ ଏକ ମାଳତୀ କୁଞ୍ଜ ନିକଟରେ ଚା ଟେବୁଲ ପାଖରେ ଦୁଇ ଜଣ ମୁହାମୁହିଁ ବସିଲେ । ଉପରେ ମୁକ୍ତ ଆକାଶରେ ସୂର୍ଯ୍ୟାସ୍ତର ବର୍ଣ୍ଣ ବୈଚିତ୍ୟ, ଆଉ ତଳେ ଗନ୍ଧ ବିଧୁର ଉପବନର ଶାନ୍ତ ସୁଷମା । ସୁଶାନ୍ତ ଚା ପାନ କରୁ କରୁ ଏ ଦୃଶ୍ୟରେ ବିଭୋର ହୋଇ କହିଲା—‘‘ଏ ଅପୂର୍ବ ପରିବେଶ ମଧ୍ୟେ କେବଳ ଉପଯୁକ୍ତ ସଙ୍ଗୀତ-ସାଧନା କରା ଯାଇପାରେ ମିସ୍‌ ମୁଖାର୍ଜି । ଆପଣ ପ୍ରକୃତରେ ଭାଗ୍ୟବତୀ ।’’

 

—‘‘ଆଉ ଆପଣ ? ଆପଣଙ୍କର ସାଂଗୀତିକ ପ୍ରତିଭା ମୋତେ ଅଭିଭୂତ କରିଛି ସୁଶାନ୍ତ ବାବୁ । ଗୀତରେ ଆପଣ ଯେପରି ମଧୁକଣ୍ଠ, ଅଭିନୟରେ ସେହିପରି କଳାକୁଶଳୀ ।’’

 

–‘‘ଆପଣଙ୍କ ପ୍ରଶଂସାର ମୁଁ ଯୋଗ୍ୟ ନୁହେଁ ମିସ୍‌ ମୁଖାର୍ଜି । ଯୁବ-ଉତ୍ସବରେ ଆପଣ କେବଳ ମୋର ଖେୟାଲଟିଏ ଶୁଣିଛନ୍ତି । କିନ୍ତୁ ଖେୟାଲରେ ମୋର ରୁଚି ନାହିଁ । ଓଡ଼ିଶୀ, ଚମ୍ପୂ ଓ ଛାନ୍ଦରେ ମୋର ବିଶେଷ ଆଗ୍ରହ ।’’

 

–‘‘ହଁ, ସେ ସମ୍ପର୍କରେ ଆପଣଙ୍କୁ ମୋର ଗୋଟିଏ କଥା ପଚାରିବାର ଅଛି । ଓଡ଼ିଶା ଗୀତ ଓ ନୃତ୍ୟର ମୌଳିକତା ବିଷୟରେ ମୁଁ ସନ୍ଦିହାନ । ଆପଣ ସେ ବିଷୟରେ.....’’

 

ସୁଶାନ୍ତି ହସି ହସି କହିଲା—‘‘ଆପଣଙ୍କ ପରି ବହୁ ସଂଗୀତପ୍ରେମୀ ସେହିପରି ସନ୍ଦେହ ପ୍ରକାଶ କରନ୍ତି । ନୃତ୍ୟ-ସଂଗୀତରେ ଓଡ଼ିଶୀ ଶୈଳୀ ଏକ ସ୍ୱତନ୍ତ୍ର ଶାସ୍ତ୍ରୀୟ ଶୈଳୀ—ଏ ଧାରଣାଟା ମୁଁ ଆପଣଙ୍କ ଉପରେ ଲଦି ଦେବାକୁ ଚାହେଁନା ମିସ୍‌ ମୁଖାର୍ଜି । ମୁଁ ବର୍ତ୍ତମାନ ଓଡ଼ିଶୀ ଗୀତଟିଏ ବୋଲିବି । ଆପଣ ଶୁଣନ୍ତୁ ଏବଂ ନିଜେ ବିଚାର କରନ୍ତୁ—ଏହାର କିଛି ମୌଳିକତା ଅଛି କି ନା ।’’

 

ଶେଫାଳିକୁ ଅଧିକ କିଛି କହିବାକୁ ନ ଦେଇ ସୁଶାନ୍ତ ଭଞ୍ଜଙ୍କର ‘‘ଚଉପଦୀ ଭୂଷଣ’ରୁ ନୀରଦ ଗଗନ ଘୋଟି ଦିନେ କରୁଥିଲା ବୃଷ୍ଟି’’ ଗୀତଟି ଧୀରେ ଧୀରେ ବୋଲିବାକୁ ଲାଗିଲା । ଶେଫାଳି ଅବାକ୍‌ ବିସ୍ମୟରେ ଶୁଣିବାକୁ ଲାଗିଲା ସେ ଗୀତ । ତାହାର କର୍ଣ୍ଣ-ମନରେ କିଏ ଯେପରି ଅମୃତ ବକ୍ଷଣ କରି ଯାଉଛି ! ଗୀତଟି ଶେଷ ହେଲା ମାତ୍ରେ ସେ କହିଲା—‘‘ବାସ୍ତବିକ ଅପୂର୍ବ ସଂଗୀତ ସୁଶାନ୍ତ ବାବୁ । ଏପରି ସଂଗୀତର ମାଧୁରୀ ମୁଁ ପୂର୍ବରୁ କେତେ ଉପଭୋଗ କରି ନାହିଁ । ଦୟା କରି ଆଉ ଗୋଟିଏ ସେଇ ଓଡ଼ିଶୀରୁ ଶୁଣାନ୍ତୁ !’’

 

ଏଥର ସୁଶାନ୍ତ କବିସୂର୍ଯ୍ୟଙ୍କର ‘‘ଯେବେ ନବଘନ ଶ୍ୟାମ ବଂଶୀ ସ୍ୱନ ନିଶୀଥରେ ଥରେ ଶୁଣାଯିବ’’ ଗୀତଟି ବୋଲିଲା । ସେ ଗୀତର ମଧୁର ଝଙ୍କାରରେ ସମସ୍ତ ଉପବନଟି ଯେପରି ସ୍ପନ୍ଦନାୟିକ ହୋଇ ଉଠିଲା । ଶାରଦୀୟ ସନ୍ଧ୍ୟାର ସ୍ନିଗ୍‌ଧ ଶୀତଳ ପରିବେଶଟି ଶେଫାଳି ଆଗରେ ବେଦନାବିଧୂର ହୋଇ ଉଭା ହୋଇଗଲା ସତେ କି ! ଗୀତଟି ଶେଷ କରି ସୁଶାନ୍ତ ଚାହିଁ ଦେଖିଲା–ଶେଫାଳିର ବଡ଼ ବଡ଼ ପୋଟଳଚିରା ଆଖି ଯୋଡ଼ିକ ଅଶ୍ରୁଭରା ।

 

ନୀରବତା ମଧ୍ୟରେ କିଛିକ୍ଷଣ କଟିଲା ପରେ ଶେଫାଳି ନିଜକୁ ସଂଯତ କରି ଧୀରେ ଧୀରେ କହିଲା—‘‘ଏ ଭଳି ସଂଗୀତ ଯେଉଁ ଜାତି ସୃଷ୍ଟି କରିପାରେ, ସେ ଜାତିକୁ ବାବା କିପରି ଅସଭ୍ୟ, ଅମାର୍ଜିତ ବୋଲି କହନ୍ତି, ମୁଁ ବୁଝିପାରେନା ସୁଶାନ୍ତ ବାବୁ ।’’

 

ସୁଶାନ୍ତ ଗମ୍ଭୀର ହୋଇ କହିଲା—‘‘ଏହା ପରେ ମୁଁ ଆପଣଙ୍କୁ ଓଡ଼ିଶୀ ନୃତ୍ୟ ନ ଦେଖାଇ ଛାଡ଼ିବି ନାଇଁ ମିସ୍‌ ମୁଖାର୍ଜି । ଦିନେ ଆପଣଙ୍କୁ ମୋ ସଙ୍ଗରେ ଏଠାକାର କଳାବିକାଶ କେନ୍ଦ୍ରକୁ ଯିବାକୁ ପଡ଼ିବ ।’’

 

ଶେଫାଳି ବାଧ୍ୟ ଛାତ୍ରୀଟି ଭଳି ସମ୍ମତି ଜଣାଇଲା ।

 

ସେଦିନ ସନ୍ଧ୍ୟା ପାଞ୍ଚଟାରେ ମିଷ୍ଟର ମୁଖାର୍ଜି ଅଫିସରୁ ଫେରି ଦେଖିଲେ—ଶେଫାଳି ବାଂଲୋରେ ନାହିଁ । ପୁଝାରୀକୁ ପଚାରି ବୁଝିଲେ—ଶେଫାଳି ସେଦିନ ମଧ୍ୟ ସୁଶାନ୍ତ ସାମଲ ସହିତ ବାହାରକୁ ବୁଲି ଯାଇଛି । ବିଚଳିତ ହୋଇ ପଡ଼ିଲେ ମିଷ୍ଟର ମୁଖାର୍ଜି । ଚା ଖିଆରେ ମନ ଲାଗିଲା ନାହିଁ । ଦୁଶ୍ଚିନ୍ତା ଓ ଉଦ୍‌ବେଗରେ ସେ ଘରୁ ବାହାର ବାହାରୁ ଘର ହେବାକୁ ଲାଗିଲେ । ଏତେ ଦିନ ପରେ ଶେଫାଳିର ଦେହ ମନରେ ଓଡ଼ିଶାର କଦର୍ଯ୍ୟ ଜଳବାୟୁ ନିଜର ପ୍ରକ୍ରିୟା ଆରମ୍ଭ କରିଛି । ଶେଫାଳି ନିଜର ବଙ୍ଗୀୟତା ପାଶୋରି ଦେବାକୁ ବସିଛି । ମିଷ୍ଟର ମୁଖାର୍ଜି ଘୃଣା ଓ ଅନୁତାପରେ ଶିହରି ଉଠିଲେ ଏବଂ ମନକୁ ମନ କହି ଉଠିଲେ—ନା ନା, ଏହାର ଆଶୁ ପ୍ରତିକାର ଲୋଡ଼ା ।

 

ହଠାତ୍‌ ନିଜର ଡ୍ରଇଂ ରୁମ୍‌ରେ ପ୍ରବେଶ କରି ମିଷ୍ଟର ମୁଖାର୍ଜି ଲେଖି ବସିଲେ ଖଣ୍ଡିଏ ଏକ୍‌ସପ୍ରେସ ଚିଠି । କଲିକତା ଶ୍ୟାମ-ବଜାରସ୍ଥ ତାଙ୍କର ସହପାଠୀ ବନ୍ଧୁ ବାରିଷ୍ଟର ଅମିୟ ଚାଟାର୍ଜିଙ୍କ ପୁଅ ଅମିତାଭ ତିନ ବର୍ଷ ତଳେ ବିଲାତ ଯାଇଥିଲା । ସେତିକିବେଳେ ଅମିୟ ବାବୁ ମିଷ୍ଟର ମୁଖାର୍ଜିଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ବର୍ତ୍ତମାନ ସେହି ପ୍ରତିଶ୍ରୁତି ପାଳନ କରିବାକୁ ଏ ଜରୁରି ଚିଠି ।

 

ମିଷ୍ଟର ମୁଖାର୍ଜି ନିଜ ବାଂଲୋରେ ଏହିପରି ଉଦବେଗପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକ କଟାଉଥିଲା ବେଳେ ତେଣେ ଶେଫାଳି ସୁଶାନ୍ତ ସହିତ ଓଡ଼ିଶୀ ନୃତ୍ୟ ଦେଖି ସାରି କାଠଯୋଡ଼ି କୂଳରେ ବୁଲୁଥିଲା । ସୂର୍ଯ୍ୟାସ୍ତ ପରେ ଧରଣୀ ତିମିର-ସ୍ନାନ କରିବାକୁ ଯାଉଛି । କାଠଯୋଡ଼ି ବୁକୁର ସମସ୍ତ ଶୀତଳତା ଘେନି ଶିରି ଶିରି ପବନ ବହି ଆସୁଛି ଏବଂ ବାରମ୍ୱାର ଶେଫାଳି ଦେହର ନାଇଲନ୍‌ ଶାଢ଼ି ଭିତରେ ପଶି କଣ ଯେପରି ଖୋଜି ହେଉଛି । ସୁଶାନ୍ତ ଶେଫାଳିର ଅତି ନିକଟରେ । ଶେଫାଳି ମନରେ ଭାବାନ୍ତର । ତାହାର ମନେ ହେଉଛି ଯେପରି ଦୀର୍ଘ ଅଠର ବର୍ଷ ପରେ ସେ ସେଦିନ ପ୍ରଥମ କରି ଓଡ଼ିଶା ଭୂଇଁକୁ ଭଲ ପାଉଛି । ଓଡ଼ିଶାର ସଂସ୍କୃତିକ ପରମ୍ପରା ମଧ୍ୟରେ ସେ ଯେପରି ସର୍ବ ପ୍ରଥମେ ନିଜର ଅସ୍ତିତ୍ୱ ଆବିଷ୍କାର କରିଛି । ଏ ଉନ୍ମତ ସଭ୍ୟତା ଯେପରି ତାହାର ଅତି ପ୍ରିୟ, ଅତି ଆପଣାର । କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ପ୍ରଥମେ ସୁଶାନ୍ତ ଆରମ୍ଭ କଲା—‘‘ଆପଣ ବୋଧହୁଏ ଖୁବ୍‌ କ୍ଳାନ୍ତ ମିସ୍‌ ମୁଖାର୍ଜି ।’’

 

ଶେଫାଳି ବ୍ୟଗ୍ର ହୋଇ କହିଲା—‘‘ନା, ଆଦୌ ନୁହେଁ । ଆପଣ ଗପ କରନ୍ତୁ, ମୁଁ ଆଗ୍ରହର ସହିତ ଶୁଣିବି । କହନ୍ତୁ ଏ ଦେଶର ଇତିହାସ, ସାହିତ୍ୟ, ଶିଳ୍ପକଳା ପ୍ରଭୃତି ବିଷୟ ।’’

 

ସୁଶାନ୍ତ ଗପ ଆରମ୍ଭ କଲା ।

 

ଦିନେ ନୁହେଁ, ଅଧେ ନୁହେଁ, ଏହିପରି ପ୍ରାୟ ପ୍ରତିଦିନ ଶେଫାଳି ଓ ସୁାଶନ୍ତ ମିଳିତ ହୋଇ ଓଡ଼ିଆ ସାହିତ୍ୟ–ସଙ୍ଗୀତାଦି ବିଷୟ ଆଲୋଚନା କଲେ । ସେମାନଙ୍କର ବନ୍ଧୁତ୍ୱ ବିକ୍ରମେ ଘନିଷ୍ଠତର ହେବାକୁ ଲାଗିଲା । ଦିନେ କଥା ପ୍ରସଙ୍ଗରେ ଶେଫାଳି ମିଷ୍ଟର ମୁଖାର୍ଜିଙ୍କୁ କହିଲା–‘‘ବାବା, ମୁଁ ସୁଶାନ୍ତ ବାବୁଙ୍କଠାରୁ ବର୍ତ୍ତମାନ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରୁଛି ।’’

 

ମିଷ୍ଟର ମୁଖାର୍ଜି ଗମ୍ଭୀର ହୋଇ କହିଲେ—‘‘ସେଥିରେ କିଛି ଲାଭ ନାହିଁ ମା । ତୁମେ ଯେଉଁ ସମାଜରେ ଚଳିବ ଏବଂ ଯେଉଁମାନଙ୍କ ସହିତ ଜୀବନ କଟାଇବ ସେଠାରେ ସେମାନଙ୍କ ନିକଟରେ ଓଡ଼ିଶୀ ସଙ୍ଗୀତର ସ୍ଥାନ କାହିଁ ?’’

 

ଶେଫାଳି ସହଜରେ କଥାଟା ବୁଝି ନ ପାରି ବାବାଙ୍କ ମୁହଁକୁ ଚାହିଁ ରହିଲା । ମିଷ୍ଟର ମୁଖାର୍ଜି ଗମ୍ଭୀର ହୋଇ କହିଲେ—‘‘ତୁମେ ଉଚ୍ଚ ବଂଶର ବଙ୍ଗାଳି ଝିଅ, ସେହିପରି ଉଚ୍ଚ ବଂଶୀୟ ବଙ୍ଗାଳୀ ଘରକୁ ବହୂ ହୋଇଯିବ । ସେପରି ସ୍ଥଳେ ତୁମର ଏଇ ଅହେତୁକୀ ଉଡ଼ିଆ ପ୍ରୀତି ଶୋଭନୀୟ ନୁହେଁ ମା । ଗତ କେତେ ଦିନ ହେଲା ତୁମର ଏଇଭଳି ମତିଗତି ଦେଖି ମୁଁ ଅତିଶୟ କ୍ଷୁଣ୍ଣ ହୋଇଛି ।’’

 

ଶେଫାଳି ମୁହଁର ଭାବ ବଦଳି ଗଲା । ବାବାଙ୍କୁ ସେ କି ଉତ୍ତର ଦେବ—ହଠାତ୍‌ କିଛି ଠିକ୍‍ କରି ପାରିଲା ନାହିଁ । କିଛିକ୍ଷଣ ପରେ ସେ ମୁହଁ ଶୁଖାଇ କହିଲା—‘‘ବାବା, ଆପଣଙ୍କ ମନରେ କଷ୍ଟ ଦେଇଛି ମୋତେ କ୍ଷମା କରିବେ । ଆପଣ ମୋତେ ପିଲାଟି ଦିନରୁ ସ୍ୱାଧୀନ କରି ଗଢ଼ିଛନ୍ତି ଏବଂ ବରାବର ସ୍ୱାଧୀନତାପ୍ରିୟ ହେବାକୁ ଶିଖେଇଛନ୍ତି । କିନ୍ତୁ ମୋର ବୋହୂ ହେବା ବିଷୟରେ ମୋତେ କଣ ସେଇ ସ୍ୱାଧୀନତା ଟିକକ ଦେବେନି ବାବା ?’’

 

—‘‘ଅର୍ଥାତ୍‌ ତୁମେ କଣ ବଙ୍ଗାଳି ଘରର ବୋହୁ ହେବାକୁ ଇଚ୍ଛା କର ନାଇଁ ?’’ ରାଗ ଓ ବିରକ୍ତିରେ ମିଷ୍ଟର ମୁଖାର୍ଜି କଂପି ଉଠିଲେ ।

 

ଶେଫାଳି ତଳକୁ ମୁହଁ ପୋତି କହିଲା—‘‘ବଙ୍ଗାଳି ଘର ହେଉ, ବା ଓଡ଼ିଆ ଘର ହେଉ, ତାହା ବାଛି ନେବାର ସ୍ୱାଧୀନତା ମୋତେ ଦିଅନ୍ତୁ ବାବା ।’’

 

ମନର ଅସୀମ କ୍ରୋଧ ଓ ବିରକ୍ତିକୁ ଯଥା ସମ୍ଭବ ଚାପି ରଖି ମିଷ୍ଟର ମୁଖାର୍ଜି ଆସନ ଛାଡ଼ି ଉଠି ପଡ଼ିଲେ । ତା’ପରେ–‘‘ହେଉ, ତୁମର ଇଚ୍ଛା । ଯାହା କରୁଛ କର ।’’ —ବୋଲି କହି ବାହାରକୁ ବାହାରି ଗଲେ ।

 

ବାହାରେ ପିଅନଠାରୁ ଖଣ୍ଡିଏ ଏକ୍‌ସପ୍ରେସ ଚିଠି ପାଇ ମିଷ୍ଟର ମୁଖାର୍ଜି ଖୋଲି ଦେଖନ୍ତି ତ, ବାରିଷ୍ଟର ଅମିୟ ବାବୁଙ୍କ ଲେଖା–‘‘X X X ବିଲାତରୁ ଫେରିବା ପରେ ଅମିତାଭର ଅନେକ ପରିବର୍ତ୍ତନ ହୋଇଛି । ତା’ କଥାରେ ଜାଣୁଛି ଓଡ଼ିଶାବାସୀ ବଙ୍ଗାଳି ଝିଅକୁ ସେ ପସନ୍ଦ କରେ ନାଇଁ-। ବରଂ କଲିକତା ବା ତନ୍ନିକଟବର୍ତ୍ତୀ ଅଞ୍ଚଳରୁ ମନମାଫି ବଙ୍ଗାଳି ଝିଅଟିଏ ପାଇଲେ ସେ ସୁଖୀ ହେବ । ଏ ପରିସ୍ଥିତିରେ ମୁଁ ଆଉ ତାକୁ ତୁମ ଝିଅ ବିଷୟରେ ବାଧ୍ୟ କରିବି କିପରି-? ମୋର ପ୍ରତିଶ୍ରୁତି ରକ୍ଷା କରି ନ ପାରି ମୁଁ ଅତିଶୟ ଦୁଃଖିତ ଭାଇ, ଆଶା କରେଁ ମୋତେ ନିଶ୍ଚୟ ମାଫ୍‌ କରିବ ।’’

 

ବଜ୍ରାହତ ହେଲା ପରି ମିଷ୍ଟର ମୁଖାର୍ଜି ଖଣ୍ଡିଏ କାଉଚ୍‌ ଉପରେ ଦୁମ୍‌ କରି ବସି ପଡ଼ିଲେ-। ପିଲାଏ ଚକା ଚକା ଭଉଁରୀ ଖେଳି ବସି ପଡ଼ିଲେ, ଆଖି ଆଗରେ ଜଗତଟାକୁ ଯେପରି ଘୂରୁ ଥିବାର ଦେଖନ୍ତି, ମିଷ୍ଟର ମୁଖାର୍ଜି ସମ୍ମୁଖସ୍ଥ ଜଗତ୍‌କୁ ସେହିପରି ଦେଖି ଭୟରେ ଆଖି ମୁଦିଦେଲେ ।

 

(ଆସନ୍ତାକାଲି ପତ୍ରିକାରେ ପ୍ରକାଶିତ)

ରଚନା ସ୍ଥାନ–ଭଦ୍ରକ, କାଳ–୧୯୫୮)

✽✽✽

 

ଗୋପନ ପତ୍ର

 

ଗୀତା, ରାତା ଓ ମିତା–ତିନି ଭଉଣୀ

 

ସମସ୍ତଙ୍କ ମନରେ କୌତୁହଳ ପୂରି ରହିଥାଏ । ବାପାଙ୍କର ସେ ଗୋପନ ପତ୍ରଟି କଥା କହି ପାଶୋରି ନ ଥାନ୍ତି । ପିତୃ ବିୟୋଗର ଦାରୁଣ ଆଘାତ ଟିକିଏ ଦେହସୁହା ହୋଇଗଲା ପରେ ଦିନେ ସମସ୍ତେ ମିଳି ଗୋପନ ପତ୍ରଟି ବାହାର କଲେ । ସମସ୍ତଙ୍କ ମନରେ କେତେ ଆଶା, ପୁଣି କେତେ ଆଶଙ୍କା ! ଛାତି ଦୂରୁ ଦୂରୁ କଂପୁଥାଏ ଆଖିରେ ଆଖିରେ ଉତ୍କଣ୍ଠ–ଉଦ୍‌ବିଗ୍ନତା ।

 

ଅଧୈର୍ଯ୍ୟ ହୋଇ ସାନ ଭଉଣୀ ମିତା ପଚାରି ଦେଲା—ଏ ଚିଠିରେ ବାପା କଣ ଲେଖିଥିବେ କହିଲୁ ଗୀତା ଅପା ?

 

ଗୀତା ବଦଳରେ କିନ୍ତୁ ଉତ୍ତର ଦେଲା ରୀତା–ସଂପତ୍ତି ଲୋ ଆମ ତିନିଙ୍କ ଭିତରେ ପୈତୃକ ସଂପତ୍ତିର ଭାଗ ବଣ୍ଟୁରା କଥା !

 

ବଡ଼ ଭଉଣୀ ଗୀତା ମୁରବିଗିରି ଦେଖାଇ କହିଲା—ତୋ ମୁଣ୍ଡ ଗଣ୍ଡି ! ସଂପତ୍ତି ଭାଗ ବଣ୍ଟୁରା ତ ବାପା ଆମକୁ ଦେଖାଇ ଶୁଣାଇ କରି ଯାଇଥାନ୍ତେ ! ଏପରି ଗୋପନ ପତ୍ର ଲେଖି ପୁଣି ତାଙ୍କ ମୃତ୍ୟୁ ପରେ ପଢ଼ିବାକୁ କହି ଯିବାର ଉଦ୍ଦେଶ୍ୟ କଣ ?

 

ମିତା କହିଲା—ବାପା ଯେପରି ଉଚ୍ଚମନା, ଆଦର୍ଶବାଦୀ ଲୋକ, ମୁଁ ମନେ କରୁଛି...।

 

ରୀତା ଟିକିଏ ବ୍ୟସ୍ତ ହେଲା ପରି କହିଲା—ହଉ, ତୁ’ ଯାହା ମନେ କରୁଛୁ କରୁଥା ! ଗୀତା ଅପା, ତୁ ଆଗେ ଚିଠି ଖୋଲିବୁଟି ।

 

କଂପିତ ହସ୍ତରେ ଗୀତା ଖୋଳ ଚିରି ପତ୍ରଟି ବାହାର କଲା । ରୀତା ଓ ମିତାଙ୍କ ସମ୍ମୁଖରେ ସେହି ଦୀର୍ଘପତ୍ରଟି ମେଲାଇ ଧରି ସେ ପଢ଼ିବାକୁ ଲାଗିଲା:–

 

‘‘ମା’ ମିତା, ରୀତା ଓ ଗୀତା,

 

ମୋର ଶେଷ ସମୟ ନିକଟ ହେଲାଣି ବୋଲି ଜାଣି ପାରୁଛି । ପୂର୍ବରୁ ତମେମାନେ ମାଆକୁ ହରାଇଛ; ଏବେ ମୋତେ ହରାଇ ନିଜକୁ ନିଃସହାୟ ମନେ କରିବ ନାହିଁ । ତମ ସମସ୍ତଙ୍କୁ ମୁଁ ‘ମଣିଷ’ କରି ଦେଇ ଯାଇଛି, ଏଣିକି ନିଜ ନିଜ ଗୋଡ଼ରେ ଠିଆ ହୋଇ ପାରିବ ବୋଲି ମୋର ଦୃଢ଼ ବିଶ୍ୱାସ ।

 

ତମେମାନେ କେହି ବିବାହ କରିବ ନାହିଁ ବୋଲି ଶେଷ ସିନ୍ଧାନ୍ତ ସେଦିନ ମୋତେ ଶୁଣାଇ ଦେଲ । ସେଥିପାଇଁ ମୋର ଦୁଃଖ ନାହିଁ । ଆଜୀବନ ଏହି ସିନ୍ଧାନ୍ତରେ ଅଚଳ ଅଟଳ ରହି ପାରିଲେ, ମୁଁ ଖୁସି ହେବି । ତମେମାନେ ମୋର ଝିଅ-ପୁଅ ସବୁ । ଶିକ୍ଷା ଦୀକ୍ଷା, ବୁଦ୍ଧି ବିଚାରରେ ଏକକୁ ଆରେକ । ତଥାପି ଜୀବନ ଓ ଜଗତ୍‌ ସଂପର୍କରେ ତମମାନଙ୍କ ପାଇଁ ବହୁ କଥା ଜାଣିବାର ଓ ଶିଖିବାର ଅଛି । ସେଥିପାଇଁ ଏଇ ଶେଷ କଥା କେଇପଦ ତମମାନଙ୍କୁ ଆଜି କହିଯିବା ଲାଗି ସ୍ଥିର କଲି ।

 

ଗୋଟିଏ ସତ ଘଟଣାରୁ ଆରମ୍ଭ କରେଁ । ଦୁଇ ବର୍ଷ ତଳର କଥା । ସେତେବେଳେ ମୟୁଭଞ୍ଜ ଜିଲା ବାମନଘାଟିର ମୁଁ ଏସ୍‌. ଡ଼ି. ଓ. ଥାଏଁ । ଗୀତା ସେ ବର୍ଷ ଶୈଳବାଳା ମହିଳା କଲେଜରୁ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜକୁ ବଦଳି ହୋଇ ଯାଇଥାଏ । ରୀତା ସେତେବେଳେ କଟକ ମେଡ଼ିକାଲ କଲେଜରେ ହାଉସ ସର୍ଜନ । ଆଉ ମିତା ପଢ଼ୁଥାଏ ମାନ୍ଦ୍ରାଜ କଳା କେନ୍ଦ୍ରରେ । ବାଂଲୋରେ ଥାଉଁ କେବଳ ତମମାନଙ୍କ ମାଆ ଆଉ ମୁଁ । ଦିନେ ରବିବାର ସନ୍ଧ୍ୟା ବେଳେ ମୁଁ ଅଫିସ ଘରେ ବସି କଣ କାମ କରୁଛି, ଏତିକିବେଳେ ସେଠାକାର ସେକେଣ୍ଡ ଅଫିସରଙ୍କ ସ୍ତ୍ରୀ ମିସେସ୍‌ ଦାସଙ୍କର କଣ୍ଠସ୍ୱର ଘର ଭିତରୁ ଶୁଣିବାକୁ ପାଇଲି । କୌତୁହଳୀ ହୋଇ କାନ ଡେରିଲି—ମିସେସ୍‌ ଦାସ ଓ ତମ ମାଆ ଏଇ ଭଳି କଥାବାର୍ତ୍ତା କରୁଥାନ୍ତି : —

 

ମିସେସ୍‌ ଦାସ—ଆମର ତାଙ୍କୁ ଟିକିଏ ବୋଲି ଫୁରୁସତ୍‌ ନାଇଁ ଅପା । ଆଜି ରବିବାରଟା, ସକାଳ ପହରୁ ଖାଲି କାମ–କାମ–କାମ । ଏଇ ଅଢ଼େଇଟା ବେଳେ କାମ ସାରି ଗଣ୍ଡିଏ ଖାଇଲେ ।

 

ତମ ମା’—ଆମର ୟେ ତହୁଁ ବଳି । ମାସକ ତିରିଶ ଦିନ ଖାଲି କାମ ଆଉ ଟୁର୍‌-ଟୁର୍‌ ଆଉ କାମ । ଦେଖୁନ, ଖାଇବା ପିଇବାରେ ଠିକ୍‍ ଠିକଣା ନାହିଁ ବୋଲି ତାଙ୍କ ଚେହେରା କିମିତି ହେଲାଣି !

 

ମିସେସ୍‌ ଦାସ—ଆମର ତାଙ୍କର ପୁଣି କଲିକ୍‌ ରୋଗ । କ୍ଷଣକେ ଭଲ ତ କ୍ଷଣକେ ରୋଗୀ । କଣ କରିବି ମୋତେ କିଛି ବୁଦ୍ଧି ଦିଶୁ ନାହିଁ ।

 

ତମ ମା’—ମୋର ବି ସେଇ ଚିନ୍ତା ଭଉଣୀ । ଏଇ କେତେ ବର୍ଷ ହେଲା ୟାଙ୍କୁ ବରାବର ଆଜ୍‌ମା ହେଉଛି । ଦିନ ରାତି କାଶି କାଶି କାର୍ତ୍ତିକ ପରି ମଣିଷଟାର କଣ୍ଟା ଦୋହିଲିଲାଣି ।

 

ମିସେସ୍‌ ଦାସ—କଲିକ୍‌ କିନ୍ତୁ ବଡ଼ କଠିନ ରୋଗ । ମୁଁ ବହୁତ ଚେଷ୍ଟା କଲିଣି, କିନ୍ତୁ କାହିଁରେ ଭଲ ହେଉ ନାହିଁ ।

 

ତମ ମା’–ଆଜ୍‌ମା ତ ଏକବାର ଦୁରାରୋଗ୍ୟ ! ମୁଁ ଏଲୋପ୍ୟାଥି, ହୋମିଓପ୍ୟାଥି, କବିରାଜ—ସବୁ ଚେଷ୍ଟା କଲିଣି । କିନ୍ତୁ କଣ ହେଉଛି କାହିଁ ?

 

ମିସେସ୍‌ ଦାସ—ମୋ ବଡ଼ ପୁଅର ସେମିତି ବେଳେ ବେଳେ ପେଟକୁ ମାରେ । ଟୋକାଟା ଏଇ ବୟସରୁ ଇମିତି ହେଲାଣି । ବୟସ ବେଶୀ ହେଲେ କଣ ହେବ କେଜାଣି । ମୋ ମାମୁଁ ପୁଅ ଭାଇ—ସେ ଏକ୍ଷଣି କୋରାପୁଟରେ ଡାକ୍ତର—ସେଦିନ କହୁଥିଲା—କଲିକ୍‌ ରୋଗଟା କୁଆଡ଼େ ବଂଶଗତ, ବାପର ଥିଲେ ପୁଅକୁ ହେବ ।

 

ତମ ମା’—ଆଜମା ରୋଗଟା ବି ସେଇ ରକମ ବୋଲି ଆମ ରୀତା କହୁଥିଲା । କିନ୍ତୁ ଭଗବାନଙ୍କ ଦୟାରୁ ମୋ ଝିଅମାନଙ୍କର କାହାରି ହୋଇ ନାହିଁ ।

 

ମିସେସ୍‌ ଦାସ—ଆମ ଲିଲି ଏଥର ଆଇ: ଏସ୍‌: ସି: ଫାଷ୍ଟ୍‌ ଡିଭିଜନରେ ପାଶ୍‌ କରିଛି, ଶୁଣିଚ ଅପା !

 

ତମ ମା’—ହଁ, ଆମ ମିତା ଏ ବର୍ଷ କ୍ଳାସିକାଲ୍‌ ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ମେଡ଼ାଲ୍‌ ପାଇଛି । ଆସନ୍ତାବର୍ଷ ସେ ଗୋଟାଏ ସାଂସ୍କୃତିକ ପ୍ରତିନିଧି ଦଳରେ ଆମେରିକା ଯିବ—ଖାସ୍‌ ନାଚିବା ପାଇଁ ।

 

ମିସେସ୍‌ ଦାସ—ଲିଲି ତ ବେଶ୍‌ ନାଚେ । ଆଉ ମୋ ବଡ଼ ପୁଅ ନାଟକରେ ଭାରି ଭଲ ଅଭିନୟ କରିପାରେ । ପାଠଶାଠ ତ ତାହାର କିଛି ହେଲା ନାହିଁ । ଏବେ କହୁଛି—ବମ୍ୱେ ଯାଇ ସିନେମା ଦଳରେ ମିଶିବ ।

 

ତମ ମା’—ଆମ ଗୀତାର ଏବେ ପୁରୀ ବଦଳି ହୋଇଛି । ଆଉ ରୀତା ଲଗେଇଛି–ଡାକ୍ତରିଲାଇନ୍‌ରେ କଣ ବେଶି ପାଠ ପଢ଼ିବାକୁ ବିଲାତ ଯିବ ।

 

ମିସେସ୍‌ ଦାସ—ମୋ ସାନ ପୁଅଟି ବି ସେଇ ରକମ ଜିଦ୍‌ ଧରିଛି ଲ’ ପରୀକ୍ଷା ଫଳ ବାହାରିବା ଦିନଠୁଁ କହୁଛି—ବାରିଷ୍ଟର ପଢ଼ିବାକୁ ଯିବ ବିଲାତ ।

 

ତମ ମା’–ମୋ ବଡ଼ ଭଉଣୀର ସ୍ୱାମୀ ଜଣେ ବାରିଷ୍ଟର । ଓଃ—ସେ ଯାହା ଟଙ୍କା ରୋଜଗାର କରୁଛି ଭଉଣୀ, ଶୁଣିଲେ ତମେ ଆଶ୍ଚର୍ଯ୍ୟ ହେବ ।

 

ମିସେସ୍‌ ଦାସ—ଆଜିକାଲି ଟଙ୍କା ରୋଜଗାର କରୁଛନ୍ତି ଓକିଲ ଆଉ ଡାକ୍ତର । ମୋ ମାମୁଁ ପୁଅ ଭାଇ ଡାକ୍ତର କଥା କହୁଥିଲି—ଦିନକୁ ଏକାବେଳେ ଶହ ଶହ । ସେଥର ତା ପୁଅ ଜନ୍ମ ଦିନକୁ ମୋତେ ନିମନ୍ତ୍ରଣ କରିଥିଲା, ଶହେ କୋଡ଼ିଏ ଟଙ୍କାର ଖଣ୍ଡିଏ ବନାରସି ଶାଢ଼ି ପିନ୍ଧେଇଛି ।

 

ତମ ମା’—ମୋର ସେ ବାରିଷ୍ଟର ଭିଣେଇ ସେଥର ମୋତେ ବମ୍ୱେ ବୁଲାଇବାକୁ ଘେନି ଯାଇଥିଲା । ସେଦିନ ଯେଉଁ ମହୀଶୂରୀ ସିଲ୍‌କ୍‌ଟା ପିନ୍ଧି ତମ ସାଙ୍ଗରେ ହସ୍‌ପିଟାଲ ଯାଇଥିଲି, ସେଇଟା ମୋତେ ସେ ଉପହାର ଦେଇଛି—ଦାମ୍‌ ଅଢ଼େଇଶ ଟଙ୍କା ।

 

ମିସେସ୍‌ ଦାସ–ଏ ଯେଉଁ ଜର୍ଜିଏଟ୍‌ ଶାଢ଼ିଟା ପିନ୍ଧିଛି, ଦେଖିଲ ଅପା । ଏହାର ଦାମ୍‌ କେତେ କହି ପାରିବ ?

 

ତମ ମା’—ଆଜିକାଲିକାର ଫେସନ ଚାଲିଛି ହ୍ୟାଣ୍ଡଲୁମ୍‌ ଶାଢ଼ି ଉପରେ । ଆମର ୟେ ସେଥର କଟକ ଯାଇଥିଲେ, ଏଇ ସମ୍ୱଲପୁରୀଟା କିଣି ଆଣିଛନ୍ତି । ସଂଜବେଳେ ଟିକିଏ ମନ ହେଲା ଯେ ପିନ୍ଧି ପକେଇଲି । ଶାଢ଼ି ଖଣ୍ଡେ ଏକା । ଦାମ୍‌ ବି ସିମିତି ଊଣା ନୁହେଁ, ଏକାବେଳେ ପଞ୍ଚାଅଶୀ ଟଙ୍କା ।

 

ଆଉ ଶୁଣି ହେଲା ନାହିଁ । ହାତ ଦେଇ କାନ ଦୁଇଟ ବନ୍ଦ କଲି । ଓ–ହୋ–କି ସଂକୀର୍ଣ୍ଣତା । କି ଉଦ୍ଧତ ଅହଂକାର ! କି ଜଘନ୍ୟ ସ୍ୱାର୍ଥପରତା । ଦୁଇ ଜଣ ବନ୍ଧୁ ସୁଖ-ଦୁଃଖ ଦି’ପଦ କଥା ହେଉଛନ୍ତି, କିନ୍ତୁ କେହି କାହାରି କଥା ଶୁଣିବାକୁ ନାହିଁ । କେହି କାହାର ଦୁଃଖରେ ଦୁଃଖୀ, କି ସୁଖରେ ସୁଖୀ ନୁହେଁ । ଦୁହେଁ ଦୁହିଁଙ୍କର ସ୍ୱାର୍ଥ ଘେନି ବ୍ୟସ୍ତ—ବଡ଼ିମା ପ୍ରକାଶରେ ତତ୍‌ପର ।

 

ସଙ୍ଗେ ସଙ୍ଗେ ଧାଇଁ ଯାଇ ତମ ମାଆର ଗଳା ଚିପି କଣ୍ଠରୋଧ କରି ଦେବାକୁ ମୋର ବଡ଼ ଇଚ୍ଛା ହେଉଥାଏ । କିନ୍ତୁ ତାହା ପାରିଲି ନାହିଁ । ସେଦିନ ରାତିରେ ଏହି କଥା ଘେନି ତମ ମାଆ ସହିତ ମୋର ଭୀଷଣ ଝଗଡ଼ା ହେଲା । ତାହାର ଏହି ଅହଂକାର ଓ ସ୍ୱାର୍ଥପରତା ଲାଗି ପୂର୍ବରୁ ମଁ ବରାବର ତା’ ଉପରେ ବିରକ୍ତ ହୋଇଛି ଏବଂ ବେଳେ ବେଳେ ତାକୁ ଘୃଣା କରିଛି ମଧ୍ୟ ।

 

କିନ୍ତୁ ଏ ଘଟଣାର କେତେ ମାସ ପରେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲା ଉତ୍ତାରୁ ମୁଁ କ୍ରମେ ମୋର ଭୁଲ ବୁଝି ପାରିଲି । ଧୀରେ ଧୀରେ ମୁଁ ହୃଦୟଙ୍ଗମ କଲି ଯେ—ତୁଚ୍ଛାଟାରେ ମୁଁ ବରାବର ତମ ମା’ ଉପରେ ବିରକ୍ତ ହୋଇଛି—ବିନା ଦୋଷରେ ବିଚାରୀକୁ ଘୃଣା କରିଛି ।

 

ମୋର ଟିକି ମାଆମାନେ, ତମେ କେହି ବୁଝି ପାରିବ ନାଇଁରେ—ସେ କଥା ବୁଝି ପାରିବ ନାହିଁ । ମାଆ ତମର ଥିଲା ବିବାହିତା, ପତ୍ନୀ, ଜନନୀ, ଗୃହିଣୀ । ସେଇଥିପାଇଁ ସେ ସ୍ୱାର୍ଥପର ଏବଂ ଅହଂକାରୀ । ସେ ବିଭା ହୁଏ–ଘର ସଂସାର କରେ, ତାହାର କେତେକ ପରିମାଣରେ ସ୍ୱାର୍ଥ ଓ ଅହଂକାର ରହିବ ହିଁ ରହିବ । ସେ ସ୍ୱାର୍ଥ ବା ଅହଂକାର ଆଉ କେଉଁଥିପାଇଁ ନୁହେଁ କେବଳ ତାହାର ସ୍ୱାମୀ ଓ ସନ୍ତାନ ସନ୍ତତିଙ୍କ ମଙ୍ଗଳପାଇଁ—ତାହାର ସୁନାର ସଂସାର ଗଢ଼ିବା ପାଇଁ ! ତ’ ନ ହେଲେ ପରିବାର ବିଗିଡ଼ି ଯିବରେ, ସଂସାର ଉଜୁଡ଼ି ଯିବ—ଯେମିତି ହୋଇଛି ବର୍ତ୍ତମାନ ଆମରି ଏ ଘର ସଂସାର !

 

ତମେମାନେ ତ ବିଭା ହେବ ନାହିଁ—ଘର ସଂସାର କରିବ ନାହିଁ । ତେଣୁ କୌଣସି ସ୍ୱାର୍ଥ ବା ଅହଂକାର ତମମାନଙ୍କର ସରଳ, ଉନ୍ନତ ମନକୁ କଳୁଷିତ ନ କରୁ ! ମୋର ଏତିକି କାମନା । ପରପାରରେ ଥାଇ ତମମାନଙ୍କ ଜୀବନର ଏଇ ସଫଳତା କଥା ଜାଣିଲେ, ମୁଁ ଶାନ୍ତିରେ ରହି ପାରିବି ।

 

କଟକର ଏଇ କୋଠା ଖଣ୍ଡକ ବ୍ୟତୀତ ମୋର ଅନ୍ୟ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜନସେବା କାର୍ଯ୍ୟରେ ବ୍ୟୟିତ ହେବା ଲାଗି ମୁଁ ଉତ୍ସର୍ଗ କରିଗଲି । ଇତି ।’’

 

ଚିଠିଟି ପଢ଼ି ସାରି ଗୀତା ଆଁ କରି ଦୁଇ ଭଉଣୀଙ୍କ ମୁହଁକୁ ଚାହିଁ ରହିଲା । ରୀତା ଓ ମିତା ମଧ୍ୟ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ଗୀତା ମୁହଁକୁ ଚାହିଁଲେ । କାହାରି ମୁଖରେ ଭାଷା ନାହିଁ । ତିନି ଜଣଙ୍କ ସମ୍ମୁଖରେ ସେଇ ଗୋପନ ପତ୍ରିଟି !

 

(କଟକ ଆକାଶବାଣୀଙ୍କ ସୌଜନ୍ୟରୁ ।

ରଚନା ସ୍ଥାନ–ଭଦ୍ରକ, କାଳ–୧୯୫୯)

✽✽✽

 

ପରକୀୟା

 

ଯମୁନାର ବୁକୁ ଭରି ଉଠିଛି—ତଟିନୀ ଆଜି ପୂର୍ଣ୍ଣଗଭା ।

 

ଶ୍ରାବଣର ଅସରନ୍ତି ବାରିଧାରା ଆକାଶ ଫଟାଇ ଝରି ପଡ଼ୁଛି । ପୃଥିବୀ ବକ୍ଷରେ ସତେଜ ସବୁଜିମାର ରଙ୍ଗ–ରାସ । ଯମୁନାର କୂଳେ କୂଳେ ନିବିଡ଼ କଦମ୍ୱ ବନ ଆଜି ପୁଷ୍ପବତୀ ।

 

ଗୋପ ନଗରସ୍ଥ ଚନ୍ଦ୍ର ସେଣାଙ୍କର ପ୍ରାସାଦ ଉପରୁ ବୃଷଭାନୁ ଜେମା ପ୍ରକୃତିର ଏଇ ରମଣୀୟ ରୂପ ନିରୀକ୍ଷଣ କରୁଛନ୍ତି ।

 

ସନ୍ଧ୍ୟା ଆଗତ ପ୍ରାୟ । ବର୍ଷା ସମ୍ପୂର୍ଣ୍ଣ ଛାଡ଼ି ଯାଇଛି । ଯମୁନା କୂଳର କଦମ୍ୱ ବନରୁ କେକା-ରବ ଶୁଣା ଯାଉଛି ଏବଂ ତା ସହିତ ରହି ରହି ଭାସି ଆସୁଛି—କାହା ବିରହ-ବଂଶୀର କରୁଣ ମୂର୍ଚ୍ଛନା ।

 

ବୃଷଭାନୁ-ଜେମା ତନ୍ମୟ ଚିତ୍ତରେ ଚାହି ରହିଲେ–ସେହି ଦିଗକୁ । ସେଇ ଶାନ୍ତ ଶୀତଳ ପରିବେଶ ଭିତରେ ତାଙ୍କର ଯୁବତୀ ମନ ଚାହିଁଲା ଟିକିଏ ଉତ୍ତେଜନା, ଦେହ ଖୋଜିଲା ଟିକିଏ ଉତ୍ତାପ ।

 

ଚନ୍ଦ୍ରସେଣା ! କାହାନ୍ତି ସେ ?

 

ନା, ନା, ତାଙ୍କର କିଛି ଆବଶ୍ୟକତା ନାହିଁ । ନିଜର ମାତା ଓ ଭଗିନୀଙ୍କୁ ଘେନି ସେ ଆନନ୍ଦରେ ଥାଆନ୍ତୁ ! ରୁକ୍ଷ, ନିଷ୍ଠୁର ବେଳାଭୂମି ସେ । ହୃଦୟର ସକଳ ଆଶା, ଆବେଗ ସମୁଦ୍ରର ଢେଉ ଭଳି ତାଙ୍କ ନିକଟରେ ମଥା କୁଟି କୁଟି ହତାଶ ହୋଇ ଫେରେ । ଦୁଇଟି ଦେହରେ ଉତ୍ତାପ ବିନିମୟ କରିବା ଲାଗି ତାଙ୍କର ଶକ୍ତି କାହିଁ ? ସାମର୍ଥ୍ୟ କାହିଁ ?

 

ବୃଷଭାନୁ-ଜେମା ଅସ୍ଥିର ହୋଇ ପଡ଼ିଲେ ।

 

ଏ କଣ ? ‘ରାଧା’, ‘ରାଧା’ ବୋଲି ବଂଶୀ ବିଳାପ କରୁଛି ! କାହାର ଏ ବଂଶୀ ? କାହିଁକି ସେ ଜଣେ ବିବାହିତା, କୁଳ-ନାରୀର ନମୋଚ୍ଚାରଣ କରୁଛି ? କାହିଁକି ସେ ଚନ୍ଦ୍ରସେଣାର ସ୍ତ୍ରୀକୁ ଏ ସନ୍ଧ୍ୟା ସମୟରେ ନିକାଞ୍ଚନ କଦମ୍ୱ ବନକୁ ଆହ୍ୱାନ କରୁଛି ?

 

ବଂଶୀ ବିଳାପ କ୍ରମେ କରୁଣତର ହୋଇ ଉଠୁଛି । ବାତାୟନ ପଥରେ ବୃଷଭାନୁ-ଜେମା ଆକୁଳ ହୃଦୟ, ବ୍ୟାକୁଳ ନୟନରେ ଚାହିଁ ରହିଛନ୍ତି ଦୂରକୁ—ବହୁ ଦୂରକୁ । ଦୃଷ୍ଟି ତାଙ୍କର ଯେତେ ଦୂରକୁ ପାଉଛି, ସେ ଦେଖୁଛନ୍ତି–ସାନ୍ଦ୍ର ସୁରମ୍ୟ କଦମ୍ୱ-ବନ ମଧ୍ୟ ଦେଇ କାହିଁ କୁଆଡ଼ୁ, ଶ୍ରାବଣର ଭରା ଯମୁନା ବହି ଆସୁଛି । ପ୍ରବାହରେ ତାର ଅପୂର୍ବ ଛନ୍ଦ ଓ କଳ ଗୁଞ୍ଜନ ।

 

ତଟିନୀର ଶାନ୍ତ ଶୃଙ୍ଖଳିତ ଗତି କ୍ରମେ ଉନ୍ମତ୍ତ ଉଚ୍ଛୃଙ୍ଖଳ ହୋଇ ଉଠୁଛି । ବୃଷଭାନୁ-ଜେମା ଭଲ କରି ଲକ୍ଷ୍ୟ କଲେ—ଯମୁନାର ଏକ ବାଂକ ମୋଡ଼ରେ ସାବଲୀଳ ସ୍ରୋତ ବାଧା ପାଉଛି । ଜଳ ପ୍ରବାହ ଖଣ୍ଡିତ ହୋଇ ପ୍ରବଳ ହୋଇ ଉଠୁଛି । ଦେଖୁ ଦେଖୁ ସ୍ରୋତ କୂଳ ଲଘଂନ କଲା । ଯମୁନା ବକ୍ଷରେ ଜଳ ପ୍ଳାବନ—ପାଗଳ ପ୍ରାଣବାନ୍‌ ବନ୍ୟା ।

 

ବେଦନାର ଏକ ଦୀର୍ଘଶ୍ୱାସ ପକାଇଲେ ବୃଷଭାନୁ–ଜେମା । ଏହି ଯେ–ବଂଶୀ ‘ରାଧା’ ‘ରାଧା’ ବୋଲି ଆହୁରି ଡାକ ଛାଡ଼ିଛି । ନା, ନା, ଆଉ ରହି ହେବ ନାହିଁ । ବୃଷଭାନୁ-ଜେମା ଉଠିଲେ-। ଆର ଘରେ ସ୍ୱାମୀ ଚନ୍ଦ୍ରସେଣା । ତଳେ ଶାଶୁ ଜଟିଳା, ଆଉ ନଣନ୍ଦ କୁଟିଳା । ଘରୁ ବାହାରିଲେ ପୁଣି ଲଜ୍ଜା, ସମାଜ ଓ ତା’ର ଅନୁଶାସନ–ନାନା ବାଧା ବନ୍ଧନର ହିମାଳୟ ପର୍ବତ ।

 

ଉଦ୍‌ବେଗଭରା ମନ, ଅସ୍ଥିର ପଦସାତ–ବୃଷଭାନୁ-ଯେମା ବାହାରି ପଡ଼ିଲେ । ଚନ୍ଦ୍ରସେଣା ଅବାକ୍‌ ବିସ୍ମୟ ଚାହିଁ ରହିଛନ୍ତି, କୁଟିଳା ନିଜ ମା’ ଆଗରେ ଅଭିଯୋଗ କରୁଛି, ଆଉ ଜଟିଳା ରୋଷ-କଷାୟିତ ନୟନରେ କୁଳ ବଧୂର ମତି ଗତି ଦେଖି ବିରକ୍ତ ହେଉଛନ୍ତି—ସାରିଲା, ସବୁ ସାରିଲା...

 

ବୃଷଭାନୁ-ଯେମା କିଛି ଶୁଣିଲେ ନାହିଁ—କାହାରିକୁ ଭ୍ରୂକ୍ଷେପ କଲେ ନାହିଁ । ସକଳ ବାଧା ବିଘ୍ନ ଅତିକ୍ରମ କରି ଆଗୁସାର ହେଲେ । ମନର ଆବେଗ ଯମୁନାର ଜଳ ପ୍ରବାହ ଭଳି ପ୍ରବଳ–ହୃଦୟର ପ୍ରୀତି ଉନ୍ମତ, ଉଚ୍ଛୃଙ୍ଖଳ । ସମ୍ମୁଖସ୍ଥ କଦମ୍ୱକୁଞ୍ଜ ବ୍ୟତୀତ ସେ ଆଉ କିଛି ଦେଖି ପାରିଲେ ନାହିଁ—ବଂଶୀର ‘ରାଧା’ ଡାକ ବ୍ୟତୀତ ଆଉ କିଛି ଶୁଣି ପାରିଲେ ନାହିଁ ।

 

(ସମାବେଶ ପତ୍ରିକାରେ ପ୍ରକାଶିତ ।

ରଚନା ସ୍ଥାନ–ଭଦ୍ରକ, କାଳ–୧୯୫୯)

✽✽✽

 

ମଇଳା କୁଣ୍ଡ

 

ରୂପଶ୍ରୀ ସିନେମା ନିକଟରେ ସେ ଯେଉଁ ପଥିକବନ୍ଧୁ ହୋଟେଲ, ସେଇଠି ମୁଁ ତାକୁ ପ୍ରଥମେ ଦେଖିଥିଲି । ତା’ପରେ ଆମ ଗୃହିଣୀ ଯେତେବେଳେ ନିଜ ଭାଇଙ୍କ ବାହାଘର ଲାଗି ମାସେ ଛୁଟି ଘେନି ବାପ ଘରକୁ ଗଲେ, ସେତିକିବେଳେ ତା’ ସହିତ ମୋର ପରିଚୟ ଘନିଷ୍ଠ ହେଲା-

 

ହୋଟେଲରୁ ଟିଫିନ୍‌ କେରିଅର୍‌ରେ ଭାତ ଆଣି ଦୁଇ ଓଳି ସେ ମୋ ବସାରେ ଦେଇଯାଏ । ସାତ ଆଠ ବର୍ଷର କଳା ମଚମଚ ଗେଡ଼ା ପିଲାଟିଏ । ଦେହରେ ମଳିକୋଚଟ ଗେଞ୍ଜି ଓ ଖାକି ହାଫ୍‌ ପେଣ୍ଟ୍‌ । କି ଶୀତ, କି ଖରବର୍ଷା—ସବୁଦିନେ ଆପଣ ତାକୁ ଏଇ ପୋଷାକରେ ଦେଖିବେ । ହୋଟେଲରେ ସେ ଅଇଁଠା ଉଠାଏ, ବାସନ କୁସନ ଧୁଏ, ଘରଦ୍ୱାର ସଫା କରେ । ବେଶ୍‌ ଚମତ୍କାର ନାଁଟି ତା’ର ମଙ୍ଗଲ–ମଙ୍ଗଲ୍‌ ମୁଣ୍ଡା । ହାଲ ସାକିନ୍‌ ଷ୍ଟେସନ ବଜାର । ମା’ ତା’ର ଷ୍ଟେସନ ବଜାରର ଜଣେ ଜଣାଶୁଣା ନାରୀ–ରାଈମନି । ଆଉ ବାପ ?

 

ନା, ନା, ଦୟାକରି ତା’ର ବାପ କଥା କିଛି ପଚାରନ୍ତୁ ନାହିଁ । ସେ ବଡ଼ ଗହନ କଥା—ଅତି ଲଜ୍ଜାକର ଓ ଚମକପ୍ରଦ କାହାଣୀ । ମୁଁ ଥରେ ସେଇ କଥା ପଚାରିବାକୁ ଯାଇ ବଡ଼ ଆଡ଼ୁଆରେ ପଡ଼ିଲି । ଆଳୁ ଖୋଳୁ ମହାଦେବ ବାହାରିଲେ । ଅଙ୍ଗେ ନିଭେଇଲା କଥା କହୁଛି ।

 

ମଙ୍ଗଲ୍‍ ଜରିଆରେ ରାଈମନି ସହିତ ପରିଚୟ ହେଲା । ପ୍ରାୟ ପଚିଶ ବର୍ଷର ହୃଷ୍ଟପୁଷ୍ଟ ଯୁବତୀ । ରଙ୍ଗ କଳା ହେଲେ ବି ଅଙ୍ଗ ପ୍ରତ୍ୟଙ୍ଗରେ ଲାବଣ୍ୟର ଚିହ୍ନ ରହିଛି । ମୁହଁରେ ଗଢ଼ଣଟି ବେଶ୍‌ ସୁନ୍ଦରର । ମୁହଁରେ ଯାଦୁରୋଗ ଭଳି ଗୁଡ଼ାଏ ଚେକା ଚେକା ଚିହ୍ନ ମୁଖଶ୍ରୀକୁ ନଷ୍ଟ କରୁଛି । କିନ୍ତୁ ସ୍ନୋ ପାଉଡର ପ୍ରଲେପ ମଧ୍ୟରେ ରାଈମନି ସେ ଚିହ୍ନ ଗୁଡ଼ାକୁ ଲୁଚାଇ ରଖିବା ପାଇଁ ଚେଷ୍ଟିତା-। ଦେହରେ କେତେ ରକମର ନକଲି ସୁନାର ଅଳଙ୍କାର–ବ୍ଲାଉଜ, ସାୟା ଓ ନାଇଲନ ଶାଢ଼ି-

 

ମୁଁ ଏଇ ରାଈମନି କଥାହିଁ ଆପଣଙ୍କୁ କହୁଛି । କେଉଁଝର ଜିଲ୍ଲା ଉଦୟପୁରର ଆଦିବାସୀ ଜଙ୍ଗଲି ଝିଅ ସେ । ଗିରି ଝରଣାଭଳି ସରଳ ସ୍ୱଚ୍ଛନ୍ଦ ଭାବରେ ଗତି କରୁଥିଲା ତା’ର ଜୀବନ । ଅକସ୍ମାତ ସେଇ ଗତି ପଥରେ ଆସି ଠିଆ ହେଲା ଅଲଘ୍ୟଂ, ଦୁର୍ଭେଦ୍ୟ ବାଲିର ପାହାଡ଼ । ତା’ରି ଭିତରେ ସେ ଲୁଚିଗଲା—ହଜିଗଲା । ହଇଜାରେ ବାପ ତା’ର ନୁଣି ମୁଣ୍ଡା ଅକାଳରେ ମଲା । ବଡ଼ଭାଇ ଶାମ ମୁଣ୍ଡା ଯେପରରି ହୁଣ୍ଡା, ସେଇପରି ଗୁଣ୍ଡା । ସବୁବେଳେ ଡିଆଙ୍ଗ୍‌ ଖାଇ ‘ବାନାମ୍‌’ ବଜାଇ ବଜାଇ ବୁଲେ । ମନ ହେଲେ କାମ ଦାମ କରେ, ନ ହେଲେ ନାଇଁ । ରାଈମନିର ଦରବୁଢ଼ୀ ମା କଳେ କୌଶଳେ ଏପଟ ସେପଟ କରି ଘର ଚଳାଏ ।

 

ଶାମ ମୁଣ୍ଡାର ବାହାଘର ବେଳ ଆସି ପହଞ୍ଚିଲା । ଟଙ୍କା ଲୋଡ଼ା । କନ୍ୟା ବାପକୁ ପଣ ଦେବାକୁ ହେବ—ବଳଦ ଚାରି ମୁଣ୍ଡ, ଛେଳି ଆଠମୁଣ୍ଡ, ଡିଆଙ୍ଗ୍‌ କୋଡ଼ିଏ ହାଣ୍ଡି, ଆଉ ନଗଦ ଦଶକୋଡ଼ି ଟଙ୍କା । ଏ ପଣ ଆସିବ କୁଆଡ଼ୁ ? ଅଗତ୍ୟା ଶାମମୁଣ୍ଡା ନିଜର ପିତୃ ପୁରୁଷଙ୍କର ଭିଟାମାଟି ଛାଡ଼ି ମା’ ଭଉଣୀଙ୍କୁ ସଙ୍ଗରେ ଧରି ଆସିଲା ସହରକୁ । ସହରରେ ଟଙ୍କା ରୋଜଗାର କରି ସେ ବାହା ହେବ ।

 

ଆପଣତ ଜାଣନ୍ତି, ସହରରେ ଟଙ୍କାର କି ଭୀଷଣ ସ୍ରୋତ ଛୁଟି ଚାଲିଛି । ସେଇ ସ୍ରୋତର ଆବର୍ତ୍ତ ମଧ୍ୟରେ ପଡ଼ି ମୁହୂର୍ତ୍ତକ ମଧ୍ୟରେ ଶାମ ମୁଣ୍ଡାର ଶାନ୍ତ-ସୁନ୍ଦର ପରିବାରଟି କୁଆଡ଼େ ଛିନ୍ନଭିନ୍ନ ହୋଇଗଲା ।

 

ସେତେବେଳକୁ ରାଈମନି ସୁନ୍ଦରୀ ତରୁଣୀ । ତା’ର ଦେହ ମନରେ ବୟସ ନୂଆ ନୂଆ ରଙ୍ଗ ଲଗାଉଥାଏ । ନିଜର ଅନାବୃତ ଫୁଟନ୍ତ କଳିକା ଭଳି ତନୁଟି ଧରି ସେ ଯେତେବେଳେ ଷ୍ଟେସନ ବଜାରେ ଠିଆ ହୁଏ, ସେତେବେଳେ ବହୁ ଲୋକଙ୍କର ଲୋଲୁପ ଦୃଷ୍ଟି ତା ଉପରେ ପଡ଼ିଲା-। ଭୋଳା ମାରାଓ୍ୱାଡ଼ିର ଟ୍ରକ୍‌ ଡ୍ରାଇଭର କରିମ୍‌ ମିଆଁ ତାକୁ ପ୍ରଥମେ ଆଶ୍ରୟ ଦେଲା । ଟ୍ରକ୍‌ରେ ସେ ଯାଏ କେଉଁଝର ବଉଳା ଓ ନୂଆସାହି ଖାଦାନ୍‌କୁ । ଖାଦାନ୍‌ରୁ କ୍ରୋମାଇଟ୍‌ ବୋଝାଇ କରି ଭଦ୍ରକ ଷ୍ଟେସନରେ ଆସି ମାଲ୍‌ ଉତାରେ । ଦୈନିକ ମଜୁରୀ ଟଙ୍କାଏ ।

 

ଟ୍ରକ୍‌ର ତିନି ଜଣ କୁଲିଙ୍କ ଭିତରେ ରାଈମନି ଏକମାତ୍ର ରେଜା । କରଞ୍ଜ ତେଲ ବୋଳି ନିଜର କୃଷ୍ଣ ଚିକ୍‌କଣ କେଶରେ ବଙ୍କେଇ କରି ବଡ଼ ଖୋସାଟାଏ ଏ ବାନ୍ଧେ । ତା ଉପରେ ଫୁଲ ପେନ୍ଥାଟିଏ ଖୋସିଦେଇ ସେ ଯେତେବେଳେ ଅଣ୍ଟା ଓ ଛାତିରେ ଲୁଗା ଭିଡ଼ି ଟ୍ରକ୍‌ ଉପରକୁ ଉଠେ, ଡ୍ରାଇଭର କରିମ୍‌ ମିଆଁ ତାକୁ ଚାହିଁ ମୁରୁକି ହସେ । ତା’ପରେ ଇଂଜିନ୍‌ରେ ଷ୍ଟାର୍ଟ ଦେଉଁ ଦେଉଁ ଗାଡ଼ିର ଜଳାକବାଟି ବାଟେ ପଛକୁ ଚାହିଁ ଡାକ ଛାଡ଼େ—‘‘ରାଈମନି, ପାନ ନେ ଲୋ । ବଡ଼ ଖୁସ୍‌ବି ପାନ !’’

 

ରାଈମନି ପ୍ରଥମେ ଟିକିଏ ସଙ୍କୋଚ କରେ ହାତ ବଢ଼ାଇ ପାନ ଆଣେ । ଗାଡ଼ି ଚାଲେ । କରିମ୍‌ ମିଆଁ ପୁଣି ଡାକ ଛାଡ଼େ, ‘‘ରାଈମନି ଲୋ ରାଈମନି, ଗୀତଟିଏ ଗା ।’’

 

ରାଈମନି ପ୍ରଥମେ ପ୍ରଥମେ ଲାଜ କରେ । କରିମ୍‌ ମିଆଁ କହେ, ‘‘କି ଲୋ, ଲାଜ କରୁଛୁ-? ଆହା ମୋ ଲାଜକୁଳୀ ଲତା ! ଗା, ଗା, ଭଲ ଗୀତଟିଏ ଗା । ଏଇ ନେ’ ଆଉ ଖଣ୍ଡେ ପାନ-।’’

 

ରାଈମନି କଳରେ ପାନ ଜାକି ଗୀତ ଆରମ୍ଭ କରେ !

 

ଏଇ ହେଲା ରାଈମନିର ନୂତନ ଜୀବନ । ମୁଁ ବିଶେଷ କରି ତା’ର ଏହି ଜୀବନ କଥାହିଁ ଆପଣଙ୍କୁ କହିବି । କାରଣ ମୋର ଶ୍ରଦ୍ଧାଭାଜନ ମଙ୍ଗଲ୍‌ର ବିଷୟ ଏଥି ସହିତ ସଂପୂର୍ଣ୍ଣ ଜଡ଼ିତ ।

 

ନୂତନ ସଭ୍ୟତାର ସ୍ୱାଦ ପାଇ ରାଈମନିର ରୂପାନ୍ତର ହେଲା । ସେ ଭୁଲିଗଲା—ନିଜର ମା, ଭାଇ, ଆତ୍ମୀୟ ସ୍ୱଜନମାନଙ୍କୁ—ପାଶୋରି ଦେଲା ନିଜର ଶାନ୍ତ ସରଳ ସମାଜକୁ । ଭାଇ ତା’ର ଖବର ଦିଏ । ମା’ ଆସି ହାତ ଧରି ଟାଣେ । ରାଈମନି କିନ୍ତୁ କରିମ୍‌ ମିଆଁର ସେ ଭଡ଼ା ବସା ଘରଟା ଭିତରୁ କାହିଁ ଯାଏ ନା ।

 

ରାଈମନି ବହୁ ଦିନରୁ ସେ ଜଙ୍ଗଲୀ ଚାଲିଚଲଣ, ସେ ମଫସଲୀ ଫେସନ ଛାଡ଼ିଛି । ଏଣିକି ସେ ସାୟା ବ୍ଳାଉଜ୍‌ ପିନ୍ଧେ । ଘେରା ଉପରେ ଘେରା ପକାଇ କେତେ ରଙ୍ଗ-ବେରଙ୍ଗର ଶାଢ଼ି ପିନ୍ଧେ । ଶସ୍ତା କେମିକେଲ ସୁଗନ୍ଧି ତେଲରେ ମଥା କୁଣ୍ଡେଇ ବେଣୀ ଛାଡ଼େ । କାମରୁ ଫେରି ପ୍ରତିଦିନ ସାବୁନ୍‌ ଲଗାଇ ଗାଧୋଇ ହୁଏ । ସେ ପାଉଡର୍‌ ଘଷି ମୁହଁକୁ ଚିକ୍‌କଣ କରେ ।

 

କରିମ୍‌ ମିଆଁ ତା’ ଚେହେରାର ଭାରି ତାରିଫ୍‌ କରେ । ବେଳେ ବେଳେ ଅତି ଖୁସି ହୋଇ ‘‘ମେରି ଚାନ୍ଦ’’ ‘‘ମେରି ସୋନେକୀ ଚିଡ଼ିୟା’’ ବୋଲି କହି ରାଈମନିକୁ କୁଣ୍ଢାଇ ଧରେ । କେତେ ବାସନା ତେଲ, ସାବୁନ, ବ୍ଳାଉଜ୍‍, ଶାଢ଼ୀ ଆଣି ଦିଏ ଏବଂ ଆଉ କଣ ଦରକାର ବୋଲି ପଚାରେ । ରାଈମନି ହସି ଉଠି ମୁଣ୍ଡ ହଲାଏ ।

 

କରିମ ମିଆଁ ପୁଣି ପଚାରେ, ‘‘ମୋତେ ଦରକାର ?’’

 

ରାଈମନି ହସି ହସି ଭୂଇଁରେ ଲୋଟିଯାଏ । ବେଳେବେଳେ ଟକର କ୍ଳିନ୍‌ର ଫକୀରା ଚୁପ୍‌ ଚୁପ୍‌ ଆସି ପଛଆଡ଼ୁ ରାଈମନିର ଆଖି ମୁଦି ଧରେ । ରାଈମନି ଛାଟିପିଟି ହୁଏ । ଫକୀରା କହେ, ‘‘କିଏ ଧରିଛି କହିଦେଲେ, ଛାଡ଼ିଦେବି ।’’

 

ରାଈମନି ହସି ହସି ପଚାରେ, ‘‘କହିଦେଲେ କ’ଣ ଦେବୁ ?’’

 

ଫକୀରା ଉତ୍ତର ଦିଏ, ‘‘ଗୋଟାଏ ଭଲ ଜିନିଷ ଦେବି ।’’ ତାପରେ ରାଈମନିର ଆଖି ଆଗରେ ଗୋଟାଏ ବଡ଼ ଦର୍ପଣ ଟେକି ଧରେ । ଆରେ, ଏ ପୁଣି କ’ଣ ମ? ଦର୍ପଣ ସାଙ୍ଗକୁ କି ସୁନ୍ଦର ନାଲି ଗୁଲୁଗୁଲୁ ପାନିଆଟିଏ ।

 

ରାଈମନି ମୁରୁକି ହସି ପଚାରେ, ‘‘କ’ଣ ଏତିକି ?’

 

ଫକୀରା କହେ, ନାଇଁଲୋ, ରାତିକି ଆହୁରି ବଢ଼ିଆ ଚିଜ ଆଣି ଦେବି ।

 

ଥରେ ଥରେ କରିମ୍‌ ମିଆଁର ଜଣାଶୁଣା ଲୋକ ବି ଆସି ଯୁଟି ଯା’ନ୍ତି । ଦିନେ ବୋଝେଇ ଟ୍ରକ୍‌ ଘେନି କରିମ୍‌ ମିଆଁ ଖାଦାନ୍‌ରୁ ଫେରୁଛି, ବଅନ୍ତ ପାଖରେ ଜଣେ ପୋଲିସ କନେଷ୍ଟବଲ୍‌ ଟ୍ରକ୍‌ ଅଟକାଇଲେ । ରାଈମନି ଟ୍ରକ୍‌ ପଛରେ ବସିଛି, ତା’ ଆଡ଼କୁ ବାଙ୍କ ଚାହାଁଣୀଟିଏ ପକାଇ କନେଷ୍ଟବଲ ବାବୁ ଟ୍ରକ୍‌ରେ ଉଠିଲେ ।

 

ବରପଦା ପାଖରେ ଟ୍ରକ ରହିଲା, ସେତେବେଳକୁ ସଞ୍ଜ ହୋଇଗଲାଣି । କରିମ୍‌ ମିଆଁ ରାଈମନିକୁ ଡାକି କହିଲା—ଏଇ ପୋଲିସ ବାବୁ ଡ଼ାକୁଛନ୍ତି, ତାଙ୍କ ସଙ୍ଗରେ ଯା—

 

ରାଈମନି ସେଇ ମୁହଁ ଅନ୍ଧାରରେ ରାସ୍ତାରୁ ଗାଡ଼ି କନେଷ୍ଟବଲ ପଛେ ପଛେ ବିଲ ମଝିକୁ ଗଲା । ସେଠାରୁ ଫେରିଲାବେଳେ କହିଲା, ‘‘ପୁଲିସ ବାବୁ, କ’ଣ ଦେବୁ ଦେ ।’’

 

ଉତ୍ତରରେ କନେଷ୍ଟବଲ୍‌ ଠାରୁ ରାଈମନି ନିଜ ମାଂସଳ ନିତମ୍ୱରେ ଗୋଟିଏ ଆଣ୍ଠୁଆ ଭୁଷା ଖାଇଲା ।

 

ଆଉ ଦିନେ ରାତି ପ୍ରାୟ ଦଶଟାବେଳେ କରିମ୍‌ ମିଆଁ ଆସି ରାଈମନିକୁ ଡାକିଲା, ‘‘ଆ ଲୋ, ଗୋଟେ ଭଲ ଜାଗାକୁ ନେଇଯିବି ।’’ ସେତେବେଳକୁ କରିମ୍‌ ମିଆଁ ବସା ଆଗରେ ଫକୀରା ନିଜର ଜଣେ ବନ୍ଧୁ ସଙ୍ଗରେ ଟହଲ ମାରୁଛି । ସେମାନଙ୍କୁ ଫେରାଇ ଦେଇ କରିମ୍‌ ମିଆଁ ରାଈମନି ସଙ୍ଗରେ ମାରଓ୍ୟାଡି ମାଲିକଙ୍କ ମିଲ୍‌ ଆଡ଼କୁ ଗଲା ।

 

ଭୋଳା ମାରଓ୍ୟାଡ଼ିଙ୍କ ପୁଅ ସେଦିନ କଲିକତା ଗଦିରୁ ଆସି ପହଞ୍ଚିଥାନ୍ତି । ଦୋତାଲା ଉପରେ ବିଜୁଳି ପଙ୍ଖା ତଳେ ରାତି ଦଶଟାରେ ସେ କରିମ୍‌ ମିଆଁ ପଥ ଚାହିଁ ବସିଛନ୍ତି । କରିମ୍‌ ମିଆଁ ରାଈମନିକୁ ସେଇଠି ଛାଡ଼ି ବକ୍‌ସିସ ନେଇ ଫେରି ଆସିଲା ।

 

ରାତି ପାହାନ୍ତା ବେଳକୁ ରାଈମନି ଯେତେବେଳେ ବସାକୁ ଫେରେ, ପାଦଯୋଡ଼ିକ ତାର ଟଳମଳ ହେଉଛି । ମଥାଟା ବେଳେବେଳେ ଘୂରାଇ ଦେଉଛି । ରାତିରେ ଛୋଟବାବୁ ତାକୁ କି ପାଣିଗୁଡ଼ାଏ ପିଇବାକୁ ଦେଇଥିଲେ । ଡିଆଙ୍ଗ୍‌ ଠାରୁ ବି ତା ଭଲ ଲାଗିଲା ।

 

ବସାରେ ରାଈମନିକୁ ଦେଖି କରିମ୍‌ ମିଆଁ କହିଲା ‘‘ବାଃ, ଏ ଦାମିକା ଶାଢ଼ି ତୁ ପାଇଲୁ କେଉଁଠୁ ? ଶାଢ଼ିଟା ତୋତେ ବେଶ୍‌ ମାନୁଛି ରାଈମନି ।’

 

ରାଈମନିର କିଛି ଅଭାବ ରହିଲା ନାହିଁ । କରିମ୍‌ ମିଆଁର ରୋଜଗାର ମଧ୍ୟ ବଢ଼ିବାକୁ ଲାଗିଲା । କିନ୍ତୁ ଏଇ ପୂର୍ଣ୍ଣତା ଭିତରେ ରାଈମନି ଅନୁଭବ କଲା–ଯେପରି ତା’ ଦିହ ଭିତରେ କଣ ଗୋଟାଏ ପୋଡ଼ି ଜଳି ଯାଉଛି । ମୁଣ୍ଡ ଭିତରଟା ଖାଲି ଖାଲି ଲାଗୁଛି । ସାମାନ୍ୟ ପରିଶ୍ରମରେ ଗୋଡ଼ ହାତ ଅବଶ ହୋଇ ପଡ଼ୁଛି । ସାରା ଦିହରେ ଚେକା ଚେକା କି ଚିହ୍ନଗୁଡ଼ାଏ ଦେଖା ଗଲାଣି ।

 

ସେଦିନ ସଞ୍ଜବେଳେ ବସନ୍ତିଆ ପାଖରେ ଟ୍ରକ୍‌ ଅଟକାଇ କରିମ୍‌ ମିଆଁ ଯେତେବେଳେ ରାଈମନିକୁ ଡାକିଲା, ରାଈମନି ମୁଣ୍ଡ ହଲାଇ ମନା କଲା, ‘‘ମୋତେ ଆଜି ଭଲ ଲାଗୁ ନାହିଁ । ଚାଲ, ଭଦ୍ରକ ପଳେଇ ଯିବା ।’’

 

କରିମ ମିଆଁ ତାକୁ ଜବରଦସ୍ତି ଟାଣି ନେଇଗଲା । ସେଦିନ ବୈଠକ ଖୁବ୍‌ ଜମିଛି । ରେଜାକ ଖାଁ ଦରଜି, ହଲାର୍‌, ମେସିନ୍‌ ଚାଳକ ଗଫୁର, ପାନଦୋକାନୀ ଦୀନା, ମଠ ବାବାଜୀ ହନୁମାନ ଦାସ ପ୍ରଭୃତି ପାଞ୍ଚ ଛଅ ଜଣ ଲୋକ ବସିଛନ୍ତି । ବାସି ଖଜୁରୀ ରସ ପରଷା ହେଉଛି । କରିମ୍‌ ମିଆଁ ଓ ଫକୀରା ପେଟେ ପେଟେ ପିଇଲେ । ରାଈମନିକୁ ମଧ୍ୟ ପିଆଇଲେ। ତା’ ପରେ ତାକୁ ଘେନିଗଲେ ବଜାର ଶେଷ ମୁଣ୍ଡ ଗୋଦାମ ଘରକୁ ।

 

ରାତ୍ରି ପ୍ରାୟ ବାରଟା ବେଳକୁ କରିମ୍‌ ମିଆଁ ଯେତେବେଳେ ଟ୍ରକ ଧରି ଆସିବାକୁ ବାହାରେ, ଦେଖେ–ରାଈମନି ଆସି ନାହିଁ । ସେହି ଅନ୍ଧାରିଆ ଗୋଦାମ ଘର କୋଣରେ ଦେଖିଲା ବେଳକୁ ସେ ସଂଜ୍ଞାହୀନା ହୋଇ ଭୂଇଁରେ ପଡ଼ିଛି ।

 

ଏହିପରି ଲୋମହର୍ଷକ ଜୀବନଯାତ୍ରା ପଥରେ ରାଈମନି ଆଗେଇ ଚାଲିଲା । ସେ ଆଜି ସାରା ସହର ଓ ଖାଦାନ୍‌ରେ ସୁପରିଚିତା । ସେଇ ରାଈ ନାମ ଆଜି ଗୋପପୁରରେ ଡିବି ଡିବି ବାଜୁଛି । ଆପଣଙ୍କ କାନରେ ହୁଏତ ପଡ଼ିଥିବ । ସେଦିନ ଭୋଳା ମାରୱାଡ଼ିଙ୍କର କଲିକତା ଶିକ୍ଷିତ ପୁଅ ଯୁକ୍ତି କରୁଥିଲେ, ମଇଳାଯାକ ଏଣେତେଣେ ଚାରିଆଡ଼େ ନ ପକାଇ ଗୋଟାଏ ନିର୍ଦ୍ଦିଷ୍ଟ ସ୍ଥାନରେ ଜମା କଲେ, ସମାଜର ସ୍ୱାସ୍ଥ୍ୟ ଠିକ୍‌ ରହିବ । କେତେକ ବୁଦ୍ଧିଜୀବୀମାନଙ୍କର ଏଭଳି ଯୁକ୍ତି ବି ବେଳେବେଳେ ଆପଣଙ୍କ କାନରେ ପଡ଼ୁଥିବ ।

 

ମୁଁ ସେଇ ମଇଳାକୁଣ୍ଡ କଥା ଆପଣଙ୍କୁ କହୁଛି । ସେଇ ଘୃଣ୍ୟ ଆବର୍ଜ୍ଜନା ସ୍ତୁପ ମଧ୍ୟରୁ ମଙ୍ଗଲର ଜନ୍ମ । ମାଫ୍‌ କରନ୍ତୁ, ତା ବାପ କଥା ମୁଁ କିଛି କହି ପାରିବି ନାହିଁ ।

 

ସେଦିନ ଶ୍ରାବଣର ଏକ ବର୍ଷଣ-ମୁଖର ରାତ୍ରି । କେଉଁଝର ନୂଆସାହୀ ଜଙ୍ଗଲର ଏକ ଝଙ୍କା ଆମ୍ୱଗଛ ମୂଳେ ପ୍ରଥମେ ମଙ୍ଗଲର କୁଆଁ କୁଆଁ ଡାକ ଶୁଭିଥିଲା । ରାଈମନି ସେତେବେଳେ ଏକାକିନୀ, ସହାୟହୀନା, ଆଶ୍ରୟ–ଶୂନ୍ୟା । ଡ୍ରାଇଭର କରିମ୍‌ ମିଆଁ, କିନର ଫକୀରା ତାକୁ ଛାଡ଼ିଦେଇ ଭଦ୍ରକ ପଳାଇଛନ୍ତି । ଭୋଳା ମାରୱାଡ଼ିଙ୍କ ପୁଅ ବହୁ ଦୂରରେ । ପୋଲିସ କନେଷ୍ଟବଲର ଡିଉଟି ଏଠି ଏକ୍ଷଣି ନାହିଁ । ରାଈମନି ଏକାକିନୀ ।

 

ନାଁ-ନାଁ, ମୁଁ ଭୁଲ କହିଲି । ରାଈମନି ଏକାକିନୀ ନୁହେଁ, ବର୍ତ୍ତମାନ ତା’ ସଙ୍ଗରେ ଅଛି ମଙ୍ଗଲ । ସେଇ ମଙ୍ଗଲକୁ ସଙ୍ଗରେ ଘେନି ପୁଣି ଆସି ସେ ଠିଆହେଲା ସହର ଦାଣ୍ଡରେ । କରିମ୍‌ ମିଆଁ ପାଖରେ ଯେତେବେଳେ ପହଞ୍ଚିଲା, କରିମ୍‌ ମିଆଁ ରାଗରେ ନିଶ ମୋଡ଼ି କହିଲା, ଯା–ଯା–ଦୂର ହଟୋ । ମୋର ବିବି ଥାଉଁ ଥାଉଁ ତୋତେ ପୁଣି ମୁଁ ରଖିବି ? ବୋଝ ଉପରେ ନଳିତା ବିଡ଼ା ।

 

ରାଈମନି ନିରାଶ ହୋଇ ରାସ୍ତା ଉପରକୁ ଆସିଲା । କୋଳରେ ତା’ର ମଙ୍ଗଳ । ଆଗରେ ସ୍ୱାର୍ଥ-ସର୍ବସ୍ୱ ନବ୍ୟ ସଭ୍ୟ ମଣିଷ ସମାଜ, ଯେ କେବଳ ନିଏ, କିଛି ଦିଏନା—ଯେ କେବଳ ତିଳ ତିଳ କରି ଆଦାୟ କରେ, କିଛି ପରିଶୋଧ କରେ ନା ।

 

ତଥାପି ରାଈମନି ଦବିଗଲା ନାହିଁ, ହତୋତ୍ସାହ ହେଲା ନାହିଁ । ନିଜ ବାପ ଗୋସାପଙ୍କ ଜଙ୍ଗଲୀ ସମାଜରୁ ସେ ସେତିକି ଶିକ୍ଷା କରିଛି । ଆଖି ଆଗରେ ଦେଖିଲା—ତା’ରି ଭଳି ପାଲମନୀ, ଶୁକୁରମନୀ ପ୍ରଭୃତି କେତେ ରେଜା ଗୋଠଛଡ଼ା ହୋଇ ଏ ସହରରେ ବଞ୍ଚିଛନ୍ତି । ତେବେ ସେ କାହିଁକି ବଞ୍ଚି ନ ପାରିବ ?

 

ଆଉ ରେଜା କାମ କରିବାକୁ ରାଈମନିର ମନ ବଳିଲା ନାହିଁ । ମୂଲ ମଜୁରି ଲାଗିବାକୁ ମଧ୍ୟ ସେ ନା–ପସନ୍ଦ କଲା । ଗତର ଖଟେଇ, ଦେହ ମିହନତ କରି ଭରଣପୋଷଣ କରିବାକୁ ଆଉ ଭଲ ଲାଗୁ ନାହିଁ । ଷ୍ଟେସନ ବଜାରରେ ସେଇ ପୋଲତଳ ନର୍ଦ୍ଦମା ପାଖ ବସାରେ ବସି ସେ ବେଶ୍‌ ରୋଜଗାର କଲା । ନିଜେ ବଞ୍ଚିଲା, ଆଉ ମଙ୍ଗଲକୁ ବଞ୍ଚେଇଲା।

 

କରିମ୍‌ ମିଆଁ ଆଉ ତା’ ପାଖକୁ ଆସେ ନାହିଁ । ସେ ଏବେ ବୁରୁଜୁ ମୁଣ୍ଡା ଝିଅ ଗୁରୁବାରୀକୁ ଧରିଛି । ଫକୀରା ବେଳେ ବେଳେ ଆସେ । ଗଲାବେଳେ ମଙ୍ଗଲକୁ କାଖ କରି ବିସ୍କୁଟ୍‌ ଲଜେନ୍‌ସ ଧରେଇ ଦେଇ ଯାଏ । ମାରୱାଡ଼ି ବାବୁ ଆଉ ଆସନ୍ତି ନାହିଁ । କିନ୍ତୁ ଷ୍ଟେସନର ଅନ୍ୟାନ୍ୟ ବାବୁମାନେ ବେଳେ ବେଳେ ଆସନ୍ତି । ରାଈମନିର ସେଦିନ ଭଲ ରୋଜଗାର ହୁଏ ।

 

ମଙ୍ଗଲ ଧୀରେ ଧୀରେ ବଡ଼ ହେଲା । ହୃଷ୍ଟପୁଷ୍ଟ ପିଲାଟିଏ ହେଲେ ବି ଜନ୍ମ କାଳରୁ ସେ ରୋଗିଣା । ମା’ ଭଳି ଓଠ ଆଉ ଗାଲରେ କି ଚିହ୍ନ ସବୁ ଦେଖା ଯାଉଛି । ପାଞ୍ଚ ଛ’ ବର୍ଷ ବୟସ ବେଳକୁ ରାଈମନି ତାକୁ ଷ୍ଟେସନ ବଜାରରେ ଛୋଟ ଛୋଟ କାମ କରିବାକୁ ପଠେଇଲା । ମଙ୍ଗଲ ନିଜ ଶକ୍ତି ଅନୁଯାୟୀ ଦିନକୁ ଆଠଣା, ଦଶଣା ରୋଜଗାର କରେ । ଶେଷେ ଆସି ସେ ଯୁଟିଲା ଏଇ ପଥିକ ବନ୍ଧୁ ହୋଟେଲରେ ।

 

ତା’ ପରେ କଥା କହି ଆଉ କିଛି ଲାଭ ନାହିଁ । ଆପଣ ବରାବର ମଙ୍ଗଲକୁ ଦେଖୁଥିବେ–ରାଈମନିକୁ ମଧ୍ୟ । ଶେଷରେ ଗୋଟିଏ କଥା ମୁଁ ପଚାରିବାକୁ ଚାହେଁ–ମଇଳା କୁଣ୍ଡରେ ଆପଣ ସବୁଯାକ ମଇଳା ଜମା କରନ୍ତୁ, ମୋର ଆପତ୍ତି ନାହିଁ । କିନ୍ତୁ ମଣିଷ ଜୀବନ ଘେନି ମଇଳାକୁଣ୍ଡ ତିଆରି କରିବାକୁ ଆପଣଙ୍କର କି ଅଧିକାର ଅଛି ?–କୁହନ୍ତୁ ବନ୍ଧୁ, ଆପଣଙ୍କର କି ଅଧିକାର ଅଛି ?

 

(କଟକ ଆକାଶବାଣୀଙ୍କ ସୌଜନ୍ୟରୁ ।

ରଚନା ସ୍ଥାନ–ଭଦ୍ରକ, କାଳ–୧୯୬୦)

✽✽✽

 

ଏକ ବିଫଳ ଜୀବନର କାହାଣୀ

 

ଠନ୍‌ ଠନ୍‌ ହୋଇ ଶେଷ ଘଣ୍ଟା ବାଜି ଉଠିଲା ।

 

ଦୀର୍ଘ ନିଶ୍ୱାସଟାଏ ପକାଇ ସୁରେନ୍ଦ୍ର ପରୀକ୍ଷା ଉତ୍ତର—ଖାତା ସଜାଡ଼ୁ ସଜାଡ଼ୁ ଉଠି ଠିଆ ହେଲା । ତା’ପରେ ଭକ୍ତି ସହକାରେ ଖାତାକୁ ତିନି ଥର ମଥାରେ ମାରି ମନେ ମନେ କଣ କହି ହେଲା । ସଙ୍ଗେ ସଙ୍ଗେ ପରୀକ୍ଷା ହଲ୍‌ର ଶିକ୍ଷକ ଆସି ତା’ ହାତରୁ ଖାତା ଘେନିଗଲେ ।

 

ଦୀର୍ଘ ଚାରି ବର୍ଷର ସାଧନା ଶେଷ ହେଲା । ଏ ସାଧନାର ସିଦ୍ଧି ଯେ ସୁନିଶ୍ଚିତ–ଏଥିରେ ସୁରେନ୍ଦ୍ରର କୌଣସି ସନ୍ଦେହ ନ ଥିଲା । ନିମ୍ନ ପ୍ରାଥମିକ ବିଦ୍ୟାଳୟଠାରୁ ଏପର୍ଯ୍ୟନ୍ତ ସେ ସଦାବେଳେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଆସିଛି–ବାରମ୍ୱାର ପୁରସ୍କାର ଓ ସରକାରୀ ବୃତ୍ତି ମଧ୍ୟ ପାଇ ଆସିଛି । ତା’ ହୋଇ ନ ଥିଲେ, ତାହାର ଗରିବ ଭାଇ ତାକୁ ଏତେଦୂର ପର୍ଯ୍ୟନ୍ତ ପଢ଼ାଇ ପାରି ନ ଥାନ୍ତେ । ଭାଇ କହିଛନ୍ତି–ଏଥର ଯଦି ସେ କୃତିତ୍ୱର ସହିତ ମେଟ୍ରିକ୍‌ ପାଶ୍‌ କରେ, ତା’ହେଲେ ନିଶ୍ଚୟ ତାକୁ କଲେଜରେ....

 

‘‘ପରୀକ୍ଷା ତ ସଇଲା ! ଆଉ କଣ ଭାବୁଛୁ ?’’ —ପଛରୁ ଆସି ହରିଶ୍‌ ସୁରେନ୍ଦ୍ରକୁ ଠେଲି ଦେଲା—‘‘ଚାଲ, ଆଜି ରାତିଟା ମଉଜ ମଜଲିସ୍‌ରେ କଟାଇ କାଲି ଘରକୁ ଯିବା ! ସିନେମାରେ ଏକ୍ଷଣି ‘ଶ୍ରୀଲୋକନାଥ’ ଚାଲିଛି । ବଢ଼ିଆ ଖେଳ!’’

 

ସୁରେନ୍ଦ୍ର କହିଲା—‘‘ତୋର ଧନ ଅଛି, ମନ ବି ଅଛି । ତୁ ଫୂର୍ତ୍ତି କର ହରିଶ୍‌ ! ଝିଆରି-ପୁତୁରାଙ୍କ ପାଇଁ ବଜାରରୁ ମୋର କେତେକ ଜିନିସ କିଣାକିଣି କରିବାର ଅଛି ।’’

 

ଦୁହେଁ ପରୀକ୍ଷା ହଲ୍‌ରୁ ବାହାରି ଆସିଲେ । ଫାଟକ ନିକଟରେ ଅକସ୍ମାତ୍‌ ତାଙ୍କର ସାକ୍ଷାତ ହେଲା–ଦୁଇଜଣ କଲେଜ ପିଲାଙ୍କ ସଙ୍ଗରେ । ଜଣେ ଝିଅ, ଆଉ ଜଣେ ପୁଅ । ହରିଶ୍‌ର ସେମାନଙ୍କ ସହିତ ପୂର୍ବରୁ ପରିଚୟ ଥିଲା । ସେ କହିଲା–‘‘ଏଇ ହେଉଛନ୍ତି ଆମ ସ୍କୁଲର କୃତୀ ଛାତ୍ର ସୁରେନ୍ଦ୍ର ନାୟକ । ଏଙ୍କରି କଥା ମୁଁ ଆପଣମାନଙ୍କୁ କହୁଥିଲି ।’’

 

କଲେଜ ପିଲା ଦୁଇଜଣ ଆଗେ ସୁରେନ୍ଦ୍ରକୁ ନମସ୍କାର କରି ନିଜ ନିଜର ପରିଚୟ ଦେଲେ । ଝିଅଟି କହିଲା–ମୁଁ ଶିପ୍ରା ରାୟ । ଜନତା କଲେଜ ଛାତ୍ର ୟୁନିଅନ୍‌ର ସାଧାରଣ ସମ୍ପାଦିକା-। ଖବରକାଗଜରୁ ଆପଣ ମୋ କଥା ପୂର୍ବରୁ ଜାଣିଥିବେ । ଗତ ସୀମା ଆନ୍ଦୋଳନରେ ଯୋଗ ଦେଇ ମୁଁ ପାଞ୍ଚ ଦିନ ଜେଲ୍‌ ଯାଇଥିଲି ।’’

 

ପୁଅଟି କହିଲା–ମୋ ନାଁ ବିନୋଦ ରାଉତ । କଲେଜ ଛାତ୍ର ୟୁନିଅନ୍‌ର ମୁଁ ସଭାପତି । ଆମେ ଦୁଇଜଣ ଯାକ ‘ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଲିଗ୍‌’ର ସକ୍ରିୟ ସଭ୍ୟ ।’’

 

ସୁରେନ୍ଦ୍ର ହସି ହସି ଦୁଇଜଣଙ୍କୁ ପ୍ରତି–ନମସ୍କାର ଜଣାଇଲା । ବିନୋଦ ସଙ୍ଗେ ସଙ୍ଗେ ଖଣ୍ଡିଏ ହ୍ୟାଣ୍ଡବିଲ୍‌ ସୁରେନ୍ଦ୍ର ହାତକୁ ବଢ଼ାଇ ଦେଇ କହିଲା–‘‘ଆପଣଙ୍କୁ ଆମର ଏ ସାଦର ନିମନ୍ତ୍ରଣ-!’’

 

ସୁରେନ୍ଦ୍ର ହ୍ୟାଣ୍ଡବିଲ୍‌ଟି ଉପରେ ଥରେ ଆଖି ବୁଲାଇ ଆଣି ଜାଣିପାରିଲା—ଷ୍ଟୁଡେଣ୍ଟସ୍‌ ଲିଗ୍‌ ତରଫରୁ ଆଜି ସନ୍ଧ୍ୟାରେ ଟାଉନ୍‌ ହଲରେ ଏକ ସାଧାରଣ ସଭା ହେବ । ମେଟ୍ରିକ୍‌ ପରୀକ୍ଷାର୍ଥୀମାନଙ୍କୁ ସମ୍ୱର୍ଦ୍ଧନା କରିବା ସଭାର ଉଦ୍ଦେଶ୍ୟ । ସାମାନ୍ୟ ଜଳଯୋଗର ମଧ୍ୟ ବ୍ୟବସ୍ଥା କରାଯାଇଛି-

 

ସୁରେନ୍ଦ୍ର କହିଲା–‘‘ମୋତେ କ୍ଷମା କରନ୍ତୁ ! ମୁଁ ସଭାକୁ ଯାଇ ପାରିବି ନାହିଁ । ବଜାରରେ ମୋର କେତେକ କାମ ଅଛି ।’’

 

ଅଧରରେ ସ୍ମିତ ହାସ୍ୟର ସୁନ୍ଦର ରେଖାଟିଏ ଟାଣି ଶିପ୍ରା କହି ଉଠିଲା–‘ନା, ନା, ଆପଣଙ୍କୁ ଆମେ କ୍ଷମା କରି ପାରିବୁ ନାହିଁ । ଆପଣଙ୍କ ଭଳି କୃତୀ ଛାତ୍ରଙ୍କ ବିନା ସମ୍ୱର୍ଦ୍ଧନା ସଭାର ଆଉ ମୂଳ୍ୟ କଣ ? ମୋର ଅନୁରୋଧ–ଆପଣଙ୍କୁ ଯେ କୌଣସିମତେ; ସଭାରେ ଯୋଗ ଦେବାକୁ ହେବ ଏବଂ ସମ୍ୱର୍ଦ୍ଧନାର ଉତ୍ତରରେ କିଛି ମଧ୍ୟ କହିବାକୁ ପଡ଼ିବ । ଆପଣ ଜଣେ ସୁବକ୍ତା ବୋଲି ଆମେ ଜାଣୁ ।’’

 

ଶିପ୍ରା କଥାରେ ସୁରେନ୍ଦ୍ର ତରଳି ଗଲା; ଆଉ ମନା କରି ପାରିଲା ନାହିଁ ।

 

ବସାକୁ ଫେରି ସେ କେବଳ ଶିପ୍ରା କଥାହିଁ ଭାବିବାକୁ ଲାଗିଲା । କି ସୁନ୍ଦର ତାହାର ରୂପ ! ରୂପ ସାଙ୍ଗକୁ ତାହାର କଥାବାର୍ତ୍ତା, ବ୍ୟବହାର ମଧ୍ୟ କି ଚମତ୍କାର ! ଘରେ ସେ ନିଜ ନୂଆବୋଉ ମୁଖରେ ତ ଏତେ ମଧୁର ହସ କେବେ ଦେଖି ନାହିଁ । କିମ୍ୱା ତାଙ୍କଠାରୁ ଏପରି ସୁନ୍ଦର ଭଦ୍ର ବ୍ୟବହାର ପାଇ ନାହିଁ ।

 

ସେଦିନ ସନ୍ଧ୍ୟାରେ ସୁରେନ୍ଦ୍ର କିଣାକିଣି କରିବାପାଇଁ ବଜାରକୁ ଗଲା ନାହିଁ, କିମ୍ୱା ହରିଶ୍‌ ସଙ୍ଗରେ ସିନେମା ବି ଗଲାନାହିଁ । ନିର୍ଦ୍ଦିଷ୍ଟ ସମୟରେ ଯାଇ ସମ୍ୱର୍ଦ୍ଧନା ସଭାରେ ଉପସ୍ଥିତ ହେଲା ।

 

ସେଇ ପରୀକ୍ଷା କେନ୍ଦ୍ରର ପ୍ରାୟ ଏକ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏକ ଶହ ଜଣ ମଧ୍ୟ ସଭାରେ ଉପସ୍ଥିତ ନ ଥିଲେ । କିନ୍ତୁ ଜନତା କଲେଜରୁ ଷ୍ଟୁଡେଣ୍ଟସ୍‌ ଲିଗ୍‌ର ସଭ୍ୟ ଓ ସମର୍ଥକ ପ୍ରାୟ ଦୁଇଶହ ଛାତ୍ର ଆସି ସମବେତ ହୋଇଥିଲେ। ସଭାରେ ସଭାପତିତ୍ୱ କଲେ ବିନୋଦ ରାଉତ । ପରୀକ୍ଷାର୍ଥୀମାନଙ୍କୁ ସମ୍ୱର୍ଦ୍ଧନା ଜଣାଇ ଷ୍ଟୁଡ଼େଣ୍ଟସ୍‌ ଲିଗ୍‌ ପକ୍ଷରୁ ଏକ ଦୀର୍ଘ ମନୋରମ ଭାଷଣ ଦେଲେ ଶିପ୍ରା ରାୟ ।

 

ଶିପ୍ରା ଓଜସ୍ୱିନୀ ଭାଷାରେ ବକ୍ତୃତା ଦେଉଥିଲା ବେଳେ ହଠାତ୍‌ ଟାଉନ୍‌ହଲ୍‌ ସାମନା ରାସ୍ତାରେ ବଡ଼ ଗୋଳମାଳ ଶୁଣାଗଲା । ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌ ପାର୍ଟିର ପ୍ରାୟ ଦୁଇଶହ ଛାତ୍ର ଏକତ୍ରିତ ହୋଇ ଷ୍ଟୁଡେଣ୍ଟସ୍‌ ଲିଗ୍‌ ବିରୁଦ୍ଧରେ ପାଟିତୁଣ୍ଡ କରୁଛନ୍ତି । ହଠାତ୍‌ ଶିପ୍ରାକୁ ବସାଇ ଦେଇ ବିନୋଦ ସଭାପତି ଆସନରୁ ଉଠି ପଡ଼ିଲା । ଉଚ୍ଚ କଣ୍ଠରେ ଚିତ୍କାର କରି ଟାଉନ୍‌ହଲ୍‌ ଭିତର କଥା ବାହାରର ଛାତ୍ରମାନଙ୍କୁ ଶୁଣାଇ ଶୁଣାଇ କହିଲା–‘‘ବନ୍ଧୁଗଣ, ଏହି ବୋରଝାଞ୍ଜି ଦଳ କଥା ଶୁଣନ୍ତୁ ନାହିଁ । ସରକାରଙ୍କର ଏମାନେ ଭଡ଼ାଟିଆ, ଖୋସାମତିଆ । ଛାତ୍ର-ଆନ୍ଦୋଳନର ଏମାନେ ଜୀବନ୍ତ ଶତ୍ରୁ । ଏମାନଙ୍କୁ ବୈକଟ୍‌ କରନ୍ତୁ ।’’

 

ତା’ପରେ ସେ ରୀତିମତ ସ୍ଳୋଗାନ୍‌ ଦେବାକୁ ଲାଗିଲା–ଭଡ଼ାଟିଆ ଦଳ !

 

ହଲ୍‍ ଭିତରେ ଶ୍ରୋତାମାନଙ୍କ ମଧ୍ୟରୁ ଏକ ସ୍ୱରରେ ଜବାବ ଶୁଣାଗଲା–ବୈକଟ୍‌ କର !

 

ବିନୋଦ–ଛାତ୍ର ସମାଜ !

 

ଉତ୍ତର–ଏକଜୁଟ ହୁଅ !

 

ବିନୋଦ–ଷ୍ଟୁଡେଣ୍ଟସ୍‌ ଲିଗ୍‌ !

 

ଉତ୍ତର–ଜିନ୍ଦାବାଦ !

 

ତେଣେ ଟାଉନ୍‌ ହଳ୍‌ ବାହାରେ ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌ ନେତାମାନଙ୍କର ମଧ୍ୟ ସେହିପରି ଉତ୍ତେଜନାପୂର୍ଣ୍ଣ ବକ୍ତୃତା ଓ ସ୍ଳୋଗାନ୍‌ । ଏଇ ତୁମୂଳ ହଟ୍ଟଗୋଳ ମଧ୍ୟରେ ପ୍ରାୟ ଦଶ ମିନିଟ୍‍ କଟିଗଲା । ତା’ ପରେ ଷ୍ଟୁଡେଣ୍ଟସ୍‌ ଆସୋସିଏସନ ଦଳ ସ୍ଳୋଗାନ୍‌ ଦେଇ ଦେଇ ସହର ଭିତରକୁ ଚାଲିଗଲେ–

 

ବିଦେଶୀ ଦଲାଲ୍‌–ବୈକଟ୍‌ କର !

 

ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌–ଜିନ୍ଦାମାଦ !

 

ଷ୍ଟୁଡେଣ୍ଟସ୍‌ ଲିଗ୍‌–ମୁର୍ଦ୍ଦାବାଦ !

 

ଏ ହଟ୍ଟଗୋଳ ଶାନ୍ତ ହେଲା ପରେ ସଭାପତିଙ୍କ ଆହ୍ୱାନକ୍ରମେ ପରୀକ୍ଷାର୍ଥୀମାନଙ୍କ ତରଫରୁ ସୁରେନ୍ଦ୍ର ଉଠି ସମ୍ୱର୍ଦ୍ଧନାର ଉତ୍ତରରେ ପ୍ରାୟ ପାଞ୍ଚ ମିନିଟ୍‌ କାଳ ବକ୍ତୃତା ଦେଲା । ଶେଷରେ ସଭାପତି ନିଜ ଅଭିଭାଷଣରେ ଷ୍ଟୁଡେଣ୍ଟସ୍‌ ଆସୋସିଏନ୍‌ର ତୀବ୍ର ନିନ୍ଦାବାଦ୍‌ ଏବଂ ଷ୍ଟୁଡେଣ୍ଟସ୍‌ ଲିଗ୍‌ର ଉଚ୍ଛ୍ୱସିତ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ପରୀକ୍ଷାର୍ଥୀ ଛାତ୍ରମାନଙ୍କୁ ଯଥାଶୀଘ୍ର ଲିଗ୍‌ ଦଳର ସଭ୍ୟ ଶ୍ରେଣୀଭୁକ୍ତ ହେବାଲାଗି ଆହ୍ୱାନ ଜଣାଇଲେ ।

 

ସଭାକାର୍ଯ୍ୟ ସାଙ୍ଗ ହେଲା ପରେ ଶିପ୍ରା ଓ ବିନୋଦ ଉଭୟେ ଆସି, ଚମତ୍କାର ବକ୍ତୃତାଟାଏ ଦେଇଥିବା ହେତୁ ସୁରେନ୍ଦ୍ରକୁ ଧନ୍ୟବାଦ ଜଣାଇଲେ । ଶିପ୍ରା କହିଲା–‘‘ଆପଣଙ୍କ ଭଳି ଜଣେ ଯୋଗ୍ୟ ସଭ୍ୟ ପାଇଲେ, ଷ୍ଟୁଡେଣ୍ଟସ୍‌ ଲିଗ୍‌ ବଡ଼ ଉପକୃତ ହେବ । ଆପଣ ବର୍ତ୍ତମାନ ଆମ ଦଳର ସଭ୍ୟ ହୋଇ ଯାଆନ୍ତୁ ।’’

 

ବିନୋଦ ଜଣାଇଲା–‘‘ପରୀକ୍ଷାର୍ଥୀଙ୍କ ଭିତରୁ ଆମେ ଏପର୍ଯ୍ୟନ୍ତ ଶତାଧିକ ସଭ୍ୟ ସଂଗ୍ରହ କଲୁଣି । ଆପଣଙ୍କର ଘନିଷ୍ଠ ବନ୍ଧୁ ହରିଶ୍‌ ବାବୁ ମଧ୍ୟ ସଭ୍ୟ ହୋଇ ସାରିଲେଣି । ଏଇ ଦେଖନ୍ତୁ–ସଭ୍ୟ ତାଲିକାରେ ତାଙ୍କର ନାମ !’’

 

ସୁରେନ୍ଦ୍ର ଦେଖିଲା–ସଭ୍ୟ ତାଲିକାରେ ହରିଶ୍‌ ନାମ ପରେ ପ୍ରବେଶିକା ଫି ଆଠଅଣା ଏବଂ ପ୍ରଥମ ମାସର ସଭ୍ୟ ଚାନ୍ଦା ଚାରିଅଣା ଆଦାୟ ଉଲ୍ଲେଖ କରାଯାଇଛି । ସଭ୍ୟ ହେବାକୁ ମନ ଥିଲେ ବି ବାରଅଣା ପଇସା ନଗଦ ଦେବାକୁ ପଡ଼ିବ ଜାଣି ତାହାର ମୁହଁ ଶୁଖିଗଲା । ବୁଦ୍ଧିମତୀ ଶିପ୍ରା କଥାଟା ଠଉରାଇ ନେଇ କହିଲା–ଆଚ୍ଛା, ଆପଣଙ୍କ ଲାଗି ମୁଁ ବାରଅଣା ପଇସା ଦେଇ ଦେଉଛି । ବିନୋଦ ବାବୁ, ଆପଣ ରସିଦ କାଟନ୍ତୁ ।’’

 

ସୁରେନ୍ଦ୍ର ମନା କରି ପାରିଲା ନାହିଁ । ଶିପ୍ରାର ବ୍ୟବହାରରେ ସେ ଏକାବେଳେ ମୁଗ୍‌ଧ-ଚକିତ ହୋଇ ପଡ଼ିଥିଲା ।

 

ସାରା ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସୁରେନ୍ଦ୍ର ମାଟ୍ରିକୁଲେସନ୍‌ ପାଶ୍‌ କଲା । ପରୀକ୍ଷାଫଳ ବାହାରିବାର ଦୁଇ ଦିନ ପରେ ସେ ଶିପ୍ରାଠାରୁ ଖଣ୍ଡିଏ ଚିଠି ପାଇଲା । ସୁରେନ୍ଦ୍ରର କୃତିତ୍ୱରେ ଆନନ୍ଦିତା ହୋଇ ଶିପ୍ରା ଅଭିନନ୍ଦନ ଜଣାଇଛି ଏବଂ ଯଥାଶିଘ୍ର ଜନତା କଲେଜରେ ନାମ ଲେଖାଇବା ପାଇଁ ଦରଖାସ୍ତ କରିବାକୁ ଅନୁରୋଧ କରିଛି।

 

ଶିପ୍ରା କଥା ବାରମ୍ୱାର ଭାବିବାକୁ ଲାଗିଲା ସୁରେନ୍ଦ୍ର । ତା’ ବିଷୟରେ ଶିପ୍ରା କାହିଁକି ଏତେ ଆଗ୍ରହୀ ? ଶିପ୍ରା କଣ ସତେ ତାକୁ ଭଲ ପାଏ !

 

ଶିପ୍ରାର ସୁନ୍ଦର ସତେଜ ମୁହଁଟି ତାହାର ଆଖି ଆଗରେ ଭାସି ଉଠିଲା । ସେ ଯେପରି ହସି ହସି ସୁରେନ୍ଦ୍ର ସାମନାରେ ଠିଆ ହୋଇ କହୁଛି–ସୁରେନ୍ଦ୍ର, ତୁମେ ସୁନ୍ଦର, ତୁମେ ପ୍ରତିଭାବାନ୍‌ ! ମୁଁ ସୌନ୍ଦର୍ଯ୍ୟ ଓ ପ୍ରତିଭାର ପୂଜା କରେଁ !

 

ବହୁତ ଭାବିଚିନ୍ତି ଶିପ୍ରାକୁ ଧନ୍ୟବାଦ ଜଣାଇ ସୁରେନ୍ଦ୍ର ଖଣ୍ଡେ ଚିଠି ଲେଖିଦେଲା । ଭାଇ-ଭାଉଜଙ୍କଠାରୁ ଭରସା ପାଇ ସେ ଉଚ୍ଚଶିକ୍ଷା ପାଇଁ ଅଣ୍ଟା ଭିଡ଼ିଲା । ଜୀବନରେ ଜଣେ ବଡ଼ ଡାକ୍ତର ହେବା ତାହାର ଲକ୍ଷ୍ୟ । ଏଥିରେ ଯେପରି ସେବା କରି ହେବ, ସେହିପରି ଦି’ପଇସା ବି ରୋଜଗାର କରି ହେବ । ପଢ଼ିବା ପାଇଁ ସରକାରୀ ବୃତ୍ତି ସେ ନିଶ୍ଚୟ ପାଇବ, କଲେଜରେ ଦରମା-ଛାଡ଼ ନିଶ୍ଚୟ ହେବ । ହଷ୍ଟେଲରେ ଖାଇବା ଖର୍ଚ୍ଚଟା ମଧ୍ୟ ଛାଡ଼ ହୋଇପାରେ । ବାକି ବହିପତ୍ର ଓ ଲୁଗାପଟା ଲାଗି ମାସକୁ ମାସ ଭାଇ ସାମାନ୍ୟ କିଛି ଟଙ୍କା ପଠାଇଲେ, ସେ ଚଳିଯିବ । ବାପ-ମା ଛେଉଣ୍ଡ ପିଲାଟିକି ଭାଇ କଣ ମଣିଷ କରିବେ ନାହିଁ !

 

ଜନତା କଲେଜର ଆଇ, ଏସ୍‌-ସି, ଶ୍ରେଣୀରେ ସୁରେନ୍ଦ୍ରର ନୂତନ ଜୀବନ ଆରମ୍ଭ ହେଲା । ଭଲ ଛାତ୍ର ଏବଂ ଓଡ଼ିଆ-ଇଂରାଜୀରେ ଭଲ ବକ୍ତା ହିସାବରେ ଚାରିଆଡ଼େ ତାହାର ପ୍ରଶଂସା । କଲେଜ କର୍ତ୍ତୃପକ୍ଷଙ୍କଠାରୁ ସେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଲା । ଛାତ୍ର ବନ୍ଧୁମାନଙ୍କଠାରୁ ମଧ୍ୟ ଆଦର ଅଭ୍ୟର୍ଥନା ଊଣା ହେଲା ନାହିଁ ।

 

ସବୁଠାରୁ ବେଶି ଆଦର ଓ ସହାନୁଭୂତି ସେ ପାଇଲା ଶିପ୍ରାଠାରୁ । ବିନୋଦ ବି. ଏ. ଫେଲ୍‌ ହୋଇ ପୁଣି ଥରେ ପରୀକ୍ଷା ଦେବାର ଉଦ୍ୟମ କରୁଥାଏ । କିନ୍ତୁ ଏ ଉଦ୍ୟମ ଠାରୁ ଲିଗ୍‌ ପାର୍ଟି କାମରେ ତାହାର ଅତ୍ୟଧିକ ଉଦ୍ୟମ ସୁରେନ୍ଦ୍ର ଲକ୍ଷ୍ୟ କରେ । ଶିପ୍ରାର ଏଥର ଚତୁର୍ଥ ବାର୍ଷିକ ଅନର୍ସ ଶ୍ରେଣୀ । ଏ ଦୁହିଁଙ୍କ ସହିତ ଇତିମଧ୍ୟରେ ସୁରେନ୍ଦ୍ର ଦୁଇ ତିନି ଥର ପାର୍ଟିର ସଭ୍ୟ ସଂଗ୍ରହ କାର୍ଯ୍ୟ କରିବାକୁ ଯାଇଛି–ପାର୍ଟିର ଗୋପନ ବୈଠକରେ ବହୁବାର ଯୋଗ ଦେଇ ବକ୍ତୃତା କରିଛି ।

 

କିଛିଦିନ ପରେ କଲେଜ ଛାତ୍ର ୟୁନିଅନର ନିର୍ବାଚନ ହେବାର ନୋଟିସ ବାହାରିଲା । ଛାତ୍ରମାନଙ୍କର ଦୁଇ ବିରୋଧୀ ଦଳ–ଷ୍ଟୁଡେଣ୍ଟସ ଲିଗ୍‌ ଓ ଷ୍ଟୁଡେଣ୍ଟସ୍‌ ଆସୋସିଏସନ ମଧ୍ୟରେ ଭୀଷଣ ବାକ୍‌ଯୁଦ୍ଧ, ବିରୋଧ, ସଂଘର୍ଷ ଫଳରେ କଲେଜ ବାୟୁମଣ୍ଡଳ ସରଗରମ ହୋଇ ଉଠିଲା । ସୁରେନ୍ଦ୍ର ପଢ଼ାଶୁଣା ଛାଡ଼ି ରାତିଦିନ ଶିପ୍ରା ସହିତ ନିର୍ବାଚନ ପ୍ରଚାରରେ ମାତିଗଲା । ଶେଷ ଷ୍ଟୁଡେଣ୍ଟସ ଲିଗ୍‌ ଦଳ ଜୟଯୁକ୍ତ ହେଲେ । ଶିପ୍ରା ହେଲା କଲେଜ ୟୁନିଅନର ସଭାନେତ୍ରୀ ଏବଂ ସୁରେନ୍ଦ୍ର ହେଲା ସମ୍ପାଦକ ।

 

କ୍ରମେ ଶିପ୍ରା ଓ ସୁରେନ୍ଦ୍ରର ସମ୍ପର୍କ ଘନିଷ୍ଠରୁ ଘନିଷ୍ଠତର ହେଲା । ସୁରେନ୍ଦ୍ର ଦେଖିଲା–କଲେଜର ପ୍ରାୟ ଏକ ହଜାର ଛାତ୍ରଙ୍କର ପ୍ରତିନିଧି ହିସାବରେ କାମ କରିବା ଲାଗି ତଥା ଷ୍ଟୁଡେଣ୍ଟସ ଲିଗ୍‌ର ଅନୁଷ୍ଠାନିକ ସଂଗଠନ ଲାଗି ଏବଂ ବିଶେଷ କରି ଶିପ୍ରା ଭଳି ସୁନ୍ଦରୀ, ଗୁଣବତୀ ତରୁଣୀର ସାନ୍ନିଧ୍ୟ ସଦାବେଳେ ପାଇବା ପାଇଁ ତାକୁ କଲେଜ ହଷ୍ଟେଲ ଛାଡ଼ିବାକୁ ହେବ । ଇତି ମଧ୍ୟରେ ବି ସେ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ବିଷ ଦୃଷ୍ଟରେ ପଡ଼ି ସାରିଥିଲା ।

 

ଶିପ୍ରା ତାକୁ ଭରସା ଦେଲା–‘‘ତମେ ଚିନ୍ତା କର ନା ସୁରେନ୍ଦ୍ର । ମୋ ସାନ ଭାଇ ମନୋଜ ପାଇଁ ବାପା ଜଣେ ଭଲ ଟିଉସନ ମାଷ୍ଟର ଖୋଜୁଥିଲେ । ମୁଁ ବାପାଙ୍କୁ କହି ତମକୁ ଆମ ଘରେ ରଖେଇ ଦେବି ।’’

 

ଶିପ୍ରା ପ୍ରତି କୃତଜ୍ଞତାରେ ସୁରେନ୍ଦ୍ରର ମନ ନଇଁ ପଡ଼ିଲା । ସେ କହିଲା–‘‘ଆପଣ ମୋର ଏତେ ଉପକାର କରୁଛନ୍ତି, ମୁଁ କିନ୍ତୁ....’’

 

ଶିପ୍ରା ବାଧା ଦେଇ କହିଲା–‘‘ଥାଉ ସୁରେନ୍ଦ୍ର, ତମକୁ ତ ମୁଁ କେବେ ପର ବୋଲି ମନେ କରେନା । ମୋତେ ତମେ ଆଉ ‘‘ଆପଣ’ ବୋଲି ଡାକିବନି । ଆପଣ ସମ୍ୱୋଧନଟା ସତେ ବଡ଼ ଖରାପ ଲାଗେ ।’’

 

ସୁରେନ୍ଦ୍ର ତୃପ୍ତି ଓ ସନ୍ତୋଷର ହସ ହସିଲା । ଶିପ୍ରା ବି ସେ ହସର ଉତ୍ସବରେ ଯୋଗ ଦେଲା ।

 

ଶିପ୍ରା ପରିବାରର ଜଣେ ଲୋକ ହିସାବରେ ସୁରେନ୍ଦ୍ର ଆନନ୍ଦରେ ରହିଲା । ଶିପ୍ରା ମାତୃହୀନା, ତାହାର ବାପା କାର୍ତ୍ତିକ ବାବୁ ସହରର ଜଣେ ନାମଜାଦା ଆଡ଼ଭୋକେଟ୍‌ । ବଡ଼ ଅମାୟିକ, ସ୍ନେହଶୀଳ ପୁରୁଷ । ଟଙ୍କା ପଇସାର ଅଭାବ ନାହିଁ । ସ୍ତ୍ରୀଙ୍କର ମୃତ୍ୟୁ ପରେ ପରେ ଘରର ସମସ୍ତ ଦାୟିତ୍ୱ ଶିପ୍ରା ଉପରେ ଛାଡ଼ି ଦେଇ ସେ କିପରି ଏକ ବୈରାଗ୍ୟ–ଭାବ ଅବଲମ୍ୱନ କରିଛନ୍ତି । ଶିପ୍ରା ସ୍ୱାଧୀନା, ବୁଦ୍ଧିମତୀ । ବର୍ତ୍ତମାନ ସେ ନିଜ ଗୋଡ଼ରେ ଠିଆ ହୋଇ ପାରିଛି । କେବଳ ପୁଅଟିକି ମଣିଷ କରିଦେଲେ, କାର୍ତ୍ତିକ ବାବୁ ହେବେ ନିଶ୍ଚିନ୍ତ ।

 

ମନୋଜର ଭଲ ପଢ଼ାପଢ଼ି ପାଇଁ ସୁରେନ୍ଦ୍ର ଅକ୍ଳାନ୍ତ ପରିଶ୍ରମ କରୁଛି । ନିଜ ପଢ଼ା ବନ୍ଦ ରଖି ସନ୍ଧ୍ୟା ସକାଳ ଦୁଇ ଓଳି ସେ ତାକୁ ପଢ଼ାଏ । ଆସନ୍ତା ବର୍ଷ ମନୋଜ ମେଟ୍ରିକୁଲେସନ ପରୀକ୍ଷା ଦେବ । ଭଲ ଭାବରେ ସେ ମେଟ୍ରିକ ପାଶ କରିଗଲେ, ଶିପ୍ରା ଓ କାର୍ତ୍ତିକ ବାବୁଙ୍କ ନିକଟରେ ସୁରେନ୍ଦ୍ରର ବାହାଦୂରି ହିଁ ପ୍ରତିପାଦିତ ହେବ ।

 

ସେଦିନ ରାତ୍ରି ପ୍ରାୟ ଦଶଟା ବେଳେ ସୁରେନ୍ଦ୍ର ଓ ମନୋଜ ଦୁହେଁ ଖାଇ ବସିଛନ୍ତି, ଶିପ୍ରା ସିନେମାରୁ ଫେରି ପହଞ୍ଚିଲା । ଆକର୍ଷଣୀୟ ବେଶଭୂଷାରେ ସେ ରୂପସୀ ସିନେମା ଅଭିନେତ୍ରୀଟି ଭଳି ଦେଖା ଯାଉଥାଏ । ସୁରେନ୍ଦ୍ର ତାକୁ ଏକ ଧ୍ୟାନରେ ଚାହିଁ ରହିଲା । ଯେପରି ଦୃଷ୍ଟିର ପ୍ରଦୀପ ଜାଳି ସେ ରୂପର ଉପାସନା କରୁଛି ।

 

ଶିପ୍ରା କହିଲା—‘‘ତମେ କାଲି ଯାଇ ଏ ଅନାରକଲି ଫିଲ୍ମଟା ଦେଖି ଆସି ସୁରେନ୍ଦ୍ର ! ଚମତ୍କାର ହୋଇଛି । ମୁଁ ଆଜି ବିନୋଦବାବୁଙ୍କ ସହ ଦେଖି ଆସିଲି ।’’

 

‘‘ଆଚ୍ଛା ଯିବି’’–କହି ସୁରେନ୍ଦ୍ର ଖାଇବାରେ ମନ ଦେଲା । ଭାବିଲା–ଆଜି ତା ସହିତ ଯାଇ ଶିପ୍ରା ସିନେମା ଦେଖି ପାରିଥାନ୍ତା । ବିନୋଦ ସହ ଗଲା କାହିଁକି ? ମନ ତାର ଈର୍ଷା ଓ ଅଭିମାନରେ ପୂରିଗଲା ।

 

ଖାଇସାରି ସେଦିନ ଶିପ୍ରା ନିଜ ଶୋଇବା ଘରକୁ ଗଲା । କିନ୍ତୁ ସବୁଦିନ ପରି ନୀରବରେ ପଢ଼ିଲା ନାହିଁ, କିମ୍ୱା ଶୋଇ ପାରିଲା ନାହିଁ । ବିଛଣା ଉପରେ ଚିତେଇ ପଡ଼ି ଗୁଣୁ ଗୁଣୁ କରି ଗୀତ ଗାଇବାରେ ଲାଗିଲା । ତାହାର ମନ ଭିତରେ କେଉଁ ଏକ ମଦିର ଭାବର ଜୁଆର ! କଞ୍ଚା ଦେହଟା ଯେପରି ଅତି ହାଲ୍‌କା !

 

ହଠାତ୍‌ ବିଛଣା ଉପରୁ ଉଠି ପଡ଼ି ଶିପ୍ରା ଭାବିଲା—ସୁରେନ୍ଦ୍ରର ଶୋଇବା ଘରକୁ ଯିବ । ତା’ପରେ କଣ ଟିକିଏ ଭାବି ଅଟକି ଗଲା । ରାତି ସେତେବେଳକୁ ଏଗାରଟା । ସୁରେନ୍ଦ୍ର ହୁଏତ ନିଶ୍ଚିନ୍ତରେ ଶୋଇ ପଡ଼ିବଣି ! ଆଉ ବିନୋଦ ? ହୁଏତ ବିନିଦ୍ର ନୟନରେ ବିଛଣାରେ ପଡ଼ି ଭାବୁଥିବ ତାରି କଥା !

 

ଶିପ୍ରା ଦୀର୍ଘ ନିଶ୍ୱାସ ପକାଇଲା । ବିନୋଦ ଓ ସୁରେନ୍ଦ୍ର । ଏକ ଧାତୁରେ ଗଢ଼ା ଦୁଇଟି ଯୁବକ । କିନ୍ତୁ ଦୁହିଁଙ୍କ ମଧ୍ୟରେ କି ତଫାତ୍‌ ! ଜଣେ ମାଗେ–ଜବରଦସ୍ତ ଆଦାୟ କରେ, ଆଉ ଜଣେ ଖାଲି ଚାହିଁ ରହେ–ଯାଚି ନ ଦେଲେ ଗ୍ରହଣ କରେ ନା । ଆଶ୍ଚର୍ଯ୍ୟ !

 

ସୁରେନ୍ଦ୍ର ପ୍ରତି ଦୟା ଓ କାରୁଣ୍ୟରେ ଶିପ୍ରା ମନ ପୁରି ଉଠିଲା । ତା’ପରେ ସେ ଧୀରେ ଧୀରେ ପାଦ ଚିପି ଚିପି ନିଶବ୍ଦରେ ଯାଇ ସୁରେନ୍ଦ୍ରର ଶୋଇବା ଘର ଝରକା ନିକଟରେ ଠିଆ ହେଲା-। ଘରେ ଆଲୁଅ ଲିଭି ନାହିଁ । ପୁଣି ଏକି ଦୃଶ୍ୟ! ଶିପ୍ରାର ଚିନ୍ତାଧାରା ଓଲଟ ପାଲଟ ହୋଇଗଲା-। ସୁରେନ୍ଦ୍ର ବିଛଣାରେ ଚିତେଇ ପଡ଼ି କଣ ଭାବୁଛି ଏବଂ ଦୀର୍ଘନିଶ୍ୱାସ ପରେ ଦୀର୍ଘନିଶ୍ୱାସ ପକାଇ ଚାଲିଛି ।

 

ଶିପ୍ରା ଏକ ନିଶ୍ୱାସରେ ପ୍ରାୟ ଦୌଡ଼ି ଦୌଡ଼ି ନିଜ ଶୋଇବା ଘରକୁ ପଳାଇ ଆସିଲା । ଛାତି ତାହାର କମ୍ପୁଛି, ଦେହ ଝାଳେଇ ଗଲାଣି, ମନରେ ବିପର୍ଯ୍ୟୟ । ନା, ନା, ସୁରେନ୍ଦ୍ର ରକ୍ତମାଂସଧାରୀ ଯୁବକ । ସେ ବି ମାଗି ଜାଣେ । ବିନୋଦ ଆଉ ସୁରେନ୍ଦ୍ର ଏକ ଓ ଅଭିନ୍ନ ।

 

ବାର୍ଷିକ ପରୀକ୍ଷାରେ ଭଲ ଫଳ କରି ନ ଥିଲେ ବି ସୁରେନ୍ଦ୍ର ଦ୍ୱିତୀୟ ବାର୍ଷିକ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଗଲା । ଏବେ ସେ ପଢ଼ାପଢ଼ି କରିବାକୁ ମୋଟେ ସମୟ ପାଏନା । ତେଣେ କଲେଜରେ ଛାତ୍ର ୟୁନିଅନ୍‌ ଏବଂ ପାର୍ଟି କାମ । ଏଣେ ବସାରେ ଶିପ୍ରା ଆଉ ମନୋଜର ଦାୟ ଓ ଦାୟିତ୍ୱ । ଆଉ ପାଠ ପଢ଼ିବ କେତେବେଳେ ? କିନ୍ତୁ ଛାତ୍ରନେତା ହିସାବରେ ସୁରେନ୍ଦ୍ର ଉଚ୍ଚ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଗଲା । ଜନତା କଲେଜରେ ଦୁଇ ଦୁଇଟା ଷ୍ଟ୍ରାଇକ୍‌ କରାଇ ଛାତ୍ରମାନଙ୍କର ଦାବୀ ହାସଲ କରିବାରେ ସଫଳକାମ ହେଲା । ସରକାରଙ୍କ କ୍ରିୟା-କଳାପର ସମାଲୋଚନା କରି ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢ଼ି ପାରିବାର ଗୌରବ ଅର୍ଜନ କଲା ।

 

ଶିପ୍ରା ସେ ବର୍ଷ କୌଣସି ମତେ ବି. ଏ. ପାଶ୍‌ କରିଗଲା, ଅନର୍ସ କିନ୍ତୁ ପାଇ ପାରିଲା ନାହିଁ । ବାପାଙ୍କ ସହିତ ପରାମର୍ଶ କରି ଇତିହାସରେ ଏମ୍‌, ଏ, ପଢ଼ିବା ପାଇଁ କଲିକତା ବିଶ୍ୱବିଦ୍ୟାଳୟକୁ ଯିବ ବୋଲି ସ୍ଥିର କଲା ।

 

ଏ ସମ୍ୱାଦ ପାଇ ସୁରେନ୍ଦ୍ର ଦୁଃଖରେ ଭାଙ୍ଗି ପଡ଼ିଲା । ଶିପ୍ରା ତାକୁ ସାନ୍ତ୍ୱନା ଦେଇ କହିଲା–‘‘ଦୁଃଖ କରନା ସୁରେନ୍ଦ୍ର; ମୁଁ ତମକୁ ଭୁଲି ପାରିବି ନାହିଁ । ଛୁଟିରେ ତ ମୁଁ ବରାବର ଆସିବି ! ତାଛଡ଼ା ତୁମେ ମଝିରେ ମଝିରେ କଲିକତା ଯାଇଁ ବୁଲି ଆସୁଥିବ । ଚିଠିପତ୍ର କିନ୍ତୁ ନିୟମିତ ଦେଉଥିବ ଏବଂ ଆମ ପାର୍ଟିର ସମସ୍ତ ଖବର ଜଣାଉଥିବ ।’’

 

ଶିପ୍ରାର ଅନୁରୋଧ ତଥା ଉପଦେଶ ଅନୁଯାୟୀ ସୁରେନ୍ଦ୍ର ଏଥର କଲେଜ ୟୁନିଅନ ସଭାପତି ପଦ ପାଇଁ ଷ୍ଟୁଡେଣ୍ଟସ୍‌ ଲିଗ୍‌ ତରଫରୁ ନିର୍ବାଚନ ଲଢ଼ିଲା ଏବଂ ଜୟଯୁକ୍ତ ହେଲା ମଧ୍ୟ । ଜନତା କଲେଜରେ ସେ ଏକ୍ଷଣି ଅପ୍ରତିଦ୍ୱନ୍ଦୀ ଛାତ୍ର-ନେତା ।

 

ଦେଶର ଜନନାୟକ, ବିଶେଷତଃ ବିରୋଧୀ ଦଳର ନେତାମାନଙ୍କ ସହିତ ସମ୍ପର୍କ ସ୍ଥାପନ କଲା । ରାଜ୍ୟର ସକ୍ରିୟ ରାଜନୀତି ଭିତରକୁ ମଧ୍ୟ ସେ ଆପେ ଆପେ ଟାଣି ହୋଇଗଲା । ତାହାର ଏ ଗତି ଦେଖି କାର୍ତ୍ତିକ ବାବୁ ବେଳେ ବେଳେ ଚେତାଇ ଦିଅନ୍ତି—‘‘ଦେଖ ସୁରେନ୍ଦ୍ର, ମନୋଜ ଏଥର ମେଟ୍ରିକ୍‌ ପରୀକ୍ଷା ଦେବ । ତାକୁ ଟିକିଏ ଭଲ କରି ଦେଖାଦେଖି କରୁଥିବ ।’’

 

ଶିପ୍ରା ସହିତ ସୁରେନ୍ଦ୍ର ନିୟମିତ ପତ୍ରାଳାପ ଚଳାଇ ଥାଏ । ଇତି ମଧ୍ୟରେ ଥରେ କଲିକତା ଯାଇ ଶିପ୍ରାର ସମସ୍ତ ଭଲ ମନ୍ଦ ସେ ବୁଝି ଆସିଛି ମଧ୍ୟ । ଶିପ୍ରା ରହୁଥାଏ ବଉବଜାରସ୍ଥ ନିଜ ମାମୁଙ୍କ ଘରେ । କାର୍ତ୍ତିକ ବାବୁଙ୍କର ସୁପାରିଶ୍‌ ଫଳରେ ସୁରେନ୍ଦ୍ରର ତାଙ୍କ ଘରେ ଅବାଧ ପ୍ରବେଶ ।

 

ନଭେମ୍ୱର ମାସ ସୁରେନ୍ଦ୍ର ଦିନେ ଚିଠି ପାଇଲା ଯେ ଶିପ୍ରା ଅସୁସ୍ଥ । କାର୍ତ୍ତିକ ବାବୁଙ୍କୁ ସବୁ କଥା ଜଣାଇ ସେହିଦିନ ସେ କଲିକତା ଛୁଟିଲା । କାର୍ତ୍ତିକ ବାବୁ କହିଲେ–‘‘ଯଦି ବେଶୀ କିଛି ହୁଏ, ତା ହେଲେ ସଙ୍ଗେ ସଙ୍ଗେ ମୋତେ ଟ୍ରଙ୍କ୍‌ ଟେଲିଫୋନ୍‌ରେ ଡାକିବ ।’’

 

ସକାଳ ସାଢ଼େ ଆଠଟା ବେଳେ ସୁରେନ୍ଦ୍ର ବଉବଜାରରେ ପହଞ୍ଚି ଦେଖେ—ଶିପ୍ରା ବିଛଣାରେ ପଡ଼ିଛି । ପାଖରେ ବସି ତାହାର ମଥା ଆଉଁସି ଦେଉଛି ବିନୋଦ ।

 

ଈର୍ଷା ଓ ରାଗରେ ସୁରେନ୍ଦ୍ରର ଦେହ ଜଳିଗଲା । ମନର ଭାବ ଲୁଚାଇ ସେ ଶିପ୍ରା ନିକଟକୁ ଗଲା । ଜ୍ୱର କାଲିଠାରୁ ଛାଡ଼ି ଯାଇଛି, କିନ୍ତୁ ଦୁର୍ବଳତା ରହିଛି ।

 

ବସିବା ଲାଗି ସ୍ଥାନ ଥିଲେ ବି ସୁରେନ୍ଦ୍ର ଶିପ୍ରା ନିକଟରେ ନ ବସି ଠିଆ ହୋଇ ରହିଲା । ବିସ୍ମିତ ହେଲା ପରି ପଚାରିଲା—‘‘ବିନୋଦ ବାବୁ ଅକସ୍ମାତ ଏଠି କିମିତି ?’’

 

ବିନୋଦ କହିଲା—‘‘ପାଠ ତ ଆମ ଦେଇ ହେଲା ନାଇଁ । ପ୍ରାୟ ଛ’ମାସ ହେଲା କଲିକତାରେ ରହି ବ୍ୟବସାୟ କରୁଛି । ଶିପ୍ରା ଅସୁସ୍ଥ ବୋଲି ଖବର ପାଇ ଦେଖିବା ଲାଗି ଚାଲି ଆସିଥିଲି । ମୋ ବସା ଏଇ ନିକଟରେ । ଆଉ ଆପଣଙ୍କର ଖବର କଣ କହନ୍ତୁ । କଲେଜ କିମିତି ଚାଲିଛି ? ଆଉ ଆମ ପାର୍ଟି ଖବର କଣ ?’’

 

‘‘ସବୁ ଭଲ’’—କହି ସୁରେନ୍ଦ୍ର ସେ ଘରୁ ବାହାରି ଗଲା । ସେହିଦିନ ରାତିରେ ସେ କଲିକତା ଛାଡ଼ି ପଳାଇ ଆସିଲା। ଶିପ୍ରା ଯେତେ ମନା କଲେ ମଧ୍ୟ ମାନିଲା ନାହିଁ ।

 

ଟେଷ୍ଟ ପରୀକ୍ଷାରେ ସୁରେନ୍ଦ୍ର କୌଣସିମତେ ପାଶ୍‌ କରିଗଲା ସତ, କିନ୍ତୁ କଲେଜରେ କ୍ଳାସ୍‌ ଉପସ୍ଥାନ ଶତକରା ପଞ୍ଚସ୍ତରୀରୁ ଊଣା ହୋଇଥିବାରୁ ତାକୁ କିଛି ଅବସ୍ଥା ଭୋଗିବାକୁ ପଡ଼ିଲା-। ଡାକ୍ତର ସାର୍ଟିଫିକେଟ୍‌ ସହ ନିଜର ମିଥ୍ୟା ଅସୁସ୍ଥତା ବିଷୟ ଜଣାଇ ସେଥିରୁ ସେ କୌଣସିମତେ ଉଦ୍ଧାର ପାଇଗଲା ।

 

ଏହିପରି ବର୍ଷେ କାଳ ବହୁ ଉତ୍‌ଥାନ-ପତନ ମଧ୍ୟ ଦେଇ ଶେଷରେ ସେ ଆଇ, ଏସ୍‌ ସି: ପରୀକ୍ଷା ଦେଲା । ଏଥର କିନ୍ତୁ ପରୀକ୍ଷା ଫଳ ବିଷୟରେ ସେ ସ୍ଥିର ନିଶ୍ଚିତ ହୋଇ ପାରିଲା ନାହିଁ । ମାନସିକ ଦ୍ୱନ୍ଦ୍ୱ ଭିତରେ ଶେଷେ ସେ ସହର ଛାଡ଼ି ନିଜ ଗାଁକୁ ପଳାଇଗଲା ଏବଂ ପରୀକ୍ଷା ଫଳ ବାହାରିବା ପର୍ଯ୍ୟନ୍ତ ଆଶା ଓ ଉଦ୍‌ବେଗରେ ସେଇଠି ପଡ଼ି ରହିଲା ।

 

ତୃତୀୟ ଶ୍ରେଣୀରେ ଆଇ, ଏସ୍‌ସି, ପାଶ୍‌ କରିଛି ଜାଣି ସୁରେନ୍ଦ୍ରର ସମସ୍ତ ଆଶା ଆକାଙ୍‌କ୍ଷା ଧୂଳିସାତ୍‌ ହୋଇଗଲା । କାର୍ତ୍ତିକବାବୁଙ୍କ ସାହାଯ୍ୟରେ ମେଡ଼ିକାଲ କଲେଜରେ ସ୍ଥାନଟିଏ ପାଇବା ପାଇଁ ସୁରେନ୍ଦ୍ର ବହୁ ଚେଷ୍ଟା କରି ବିଫଳ ହେଲା । ମନ ଦୁଃଖରେ ନ ଖାଇ ନ ପିଇ ସେ ଖାଲି କାନ୍ଦିବାକୁ ଲାଗିଲା ।

 

ସୁରେନ୍ଦ୍ରର ଭାଇ କହିଲେ—‘‘ଯାହା ହେବାର ହେଲା, ଏବେ କେଉଁଠି ଖଣ୍ଡେ ଚାକିରି କର୍‌ । ଘରର ଅବସ୍ଥା କ୍ରମେ ଅଚଳ ହେଉଛି । ମୁଁ ଆଉ ପାରୁ ନାଇଁ ।’’

 

ସହରରେ ସୁରେନ୍ଦ୍ର ଚାକିରି ଖୋଜିଲା । କିନ୍ତୁ କୌଣସି ସରକାରୀ ଅଫିସରେ ଚାକିରି ପାଇବା ତା ପକ୍ଷରେ ସମ୍ଭବ ହେଲା ନାହିଁ । ଛାତ୍ରାବସ୍ଥାରେ ସରକାର-ବିରୋଧୀ କାର୍ଯ୍ୟକଳାପ କରି ଥିବାରୁ ତା’ ନାମରେ ପୋଲିସ୍‌ ରିପୋର୍ଟ ରହିଥିଲା ।

 

ଚାରିଆଡ଼ୁ ହତାଶ ହେବାରୁ ଦିନେ କାହାକୁ ନ ଜଣାଇ ସୁରେନ୍ଦ୍ର ଶିପ୍ରା–ଘରୁ ଲୁଚି ପଳାଇ ଆସିଲା । ଗାଁ ପାଖ ବେସରକାରୀ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକର ଚାକିରିଟାଏ କୌଣସି ମତେ ଯୋଗାଡ଼ କରିନେଲା ।

 

ପାଞ୍ଚବର୍ଷ ପରେ—

 

ହରିଶ୍‌ ଛୁଟି ଘେନି ଗାଁକୁ ଆସିଥାଏ । ତା’ ସହିତ ସୁଖ-ଦୁଃଖ ହେଉଁ ହେଉଁ ସୁରେନ୍ଦ୍ର ଜାଣିବାକୁ ପାଇଲା—ଶିପ୍ରା ଏକ୍ଷଣି ମହିଳା କଲେଜର ଅଧ୍ୟାପିକା । ମନୋଜ ଡାକ୍ତରି ପଢ଼ୁଛି । ବିନୋଦ କଲିକତାରେ ବର୍ତ୍ତମାନ ଜଣେ ପ୍ରଥମ ଶ୍ରେଣୀର କଣ୍ଟ୍ରାକ୍ଟର । ତାହାର ସଙ୍ଗାତ ଶୁଭେନ୍ଦ୍ର ଓକିଲାତି ପଢ଼ୁଛି । ଭାଗାବଣ୍ଡ ନରହରି ସମ୍ୱଲପୁରରେ ଡେପୁଟି କଲେକ୍ଟର। ଆଉ ହରିଶ୍‌ ନିଜେ ଏକ୍ଷଣି ବିଖ୍ୟାତ କଳିଙ୍ଗ କଟନ୍‌ ମିଲସ୍‌ର ଲେବର ଅଫିସର୍‌ ।

 

ସୁରେନ୍ଦ୍ର ବଧିର ହେବାକୁ ଚେଷ୍ଟା କଲା । ତାରି ନିଜ ଭିତରୁ ତାକୁ ଯେପରି କିଏ ପ୍ରଶ୍ନ କଲା—କିନ୍ତୁ ସୁରେନ୍ଦ୍ର ? ଜୀବନରେ ଜଣେ ବଡ଼ ଡାକ୍ତର ହେବାର ଲକ୍ଷ୍ୟ ରଖିଥିଲା । ଯେଉଁ ସୁରେନ୍ଦ୍ର, ସେହି ସୁରେନ୍ଦ୍ର ନାୟକ ବର୍ତ୍ତମାନ କଣ ହୋଇଛି ?

 

ବିଜ୍ଞାନ ଶିକ୍ଷକ ସୁରେନ୍ଦ୍ର ନାୟକର କ୍ଳିଷ୍ଟପିଷ୍ଟ ଛାତି ଦୋହଲାଇ ଦେଇ ବାହାରି ଆସିଲା–ବିଫଳତାର ଏକ ଉଷ୍ଣ ଦୀର୍ଘଶ୍ୱାସ ।

 

[ଆସନ୍ତା କାଲି ପତ୍ରିକାରେ ପ୍ରକାଶିତ ।

ରଚନା ସ୍ଥାନ—ଭଦ୍ରକ, କାଳ—୧୯୬୦]

✽✽✽

 

ପୁରୁଷୋତ୍ତମ

 

(ଆମ ଦେଶରେ ଗୋଟାଏ ଅତି କଦର୍ଯ୍ୟ କିଂବଦନ୍ତୀ ବେଶ୍‌ ପ୍ରଚଳିତ ଅଛି । ସୂର୍ଯ୍ୟ ବଂଶୀୟ ରାଜା ଗଜପତି ପୁରୁଷୋତ୍ତମ ଦେବ ରଥଯାତ୍ରା ସମୟରେ ଠାକୁରଙ୍କ ଆଗରେ ଛେରା ପହଁରା କରୁଥିବାରୁ କାଞ୍ଚିରାଜା ତାଙ୍କୁ କୁଆଡ଼େ ‘ଚଣ୍ଡାଳ’ ବୋଲି କହି ନିଜ କନ୍ୟା ପଦ୍ମାବତୀଙ୍କୁ ବିଭାଦେବା ପାଇଁ ମନାକଲେ । ତହୁଁ ପୁରୁଷୋତ୍ତମ ଦେବ ଯେତେବେଳେ ପଦ୍ମାବତୀଙ୍କୁ ଆଣିବା ପାଇଁ କାଞ୍ଚି ଅଭିଯାନ କରିଥିଲେ, ସେତେବେଳେ ଆମର ବଡ଼ ଠାକୁରେ ଜଗନ୍ନାଥ-ବଳଭଦ୍ର କୁଆଡ଼େ କଳା ଘୋଡ଼ା ଓ ଧଳା ଘୋଡ଼ାରେ ଚଢ଼ି–ଚିଲିକା ନିକଟରେ ମାଣିକ ଗଉଡ଼ୁଣୀଠାରୁ ଦହି ପିଇ–ସେହି ଯୁଦ୍ଧରେ ସହାୟତା କରିବାକୁ ଯାଇଥିଲେ । ଆମ ଠାକୁରଙ୍କର ଯେପରି ଆଉ କିଛି କାମ ନ ଥିଲା ! କିଏ ରାଗରେ ଅନ୍ୟ ଉପରେ ପ୍ରତିଶୋଧ ନେବ–କିଏ ଅନ୍ୟ ରାଇଜରୁ ଝିଅଟିଏ ଆଣିବାକୁ ଯିବ–କିଏ ବା ଅପର ରାଜ୍ୟ ଉପରେ ଆକ୍ରମଣ କରିବ, ଏହି ଉଦ୍ଦେଶ୍ୟରେ ଠାକୁରେ ଯିବେ ତାକୁ ସହାୟତା କରିବାକୁ ? ହା ହତୋସ୍ମି ! ଜଗତର ନାଥ ଜଗନ୍ନାଥଙ୍କୁ ଆମେ ଏହାଦ୍ୱାରା କେତେ ଛୋଟ କରି ପକାଇଛୁଁ ! ଏଭଳି ମାରାତ୍ମକ କିଂବଦନ୍ତୀ ଆମର ଜାତୀୟ ମହତ୍ତ୍ୱକୁ କ୍ଷୁର୍ଣ୍ଣ କରୁଛି ! ଏହା ମଧ୍ୟ ଆଦୌ ଇତିହାସସମ୍ମତ ନୁହେଁ । ତେଣୁ ଯଥାସମ୍ଭବ ଐତିହାସିକ ତଥ୍ୟର ଆଶ୍ରୟରେ ଏ ଗଳ୍ପଟି ରଚିତ ହୋଇଛି । –ଲେଖକ)

 

ଦୁଃସମ୍ୱାଦଟା ଶୁଣି ପ୍ରଥମେ ପୁରୁଷୋତ୍ତମ ଟିକିଏ ବିଚଳିତ ହୋଇ ପଡ଼ିଲେ । ‘ହା ଦକ୍ଷିଣ କୁମାର !’–ବୋଲି ଉଚ୍ଚାରଣ କରି ନିଶ୍ଚଳ ଭାବରେ ଦଣ୍ଡେ ବସି ରହିଲେ । ଚକ୍ଷୁ ତାଙ୍କର ଲୋତକପୂର୍ଣ୍ଣ ହୋଇଗଲା । କିନ୍ତୁ କ୍ଷଣକ ମଧ୍ୟରେ ନିଜକୁ ସଂଯତ କରି ସେ ଉଠି ପଡ଼ିଲେ । ବାର୍ତ୍ତାବହଠାରୁ ପୁଙ୍ଖାନୁପୁଙ୍ଖ ଭାବରେ ଯୁଦ୍ଧର ସମସ୍ତ ବିବରଣୀ ଶୁଣିବାକୁ ଲାଗିଲେ ।

 

କାଞ୍ଚିରାଜ ସାଲ୍ୱ ନରସିଂହ ବହୁ ସୈନ୍ୟ ସାମନ୍ତ ସହ ଦକ୍ଷିଣ ଭାରତର ଉତ୍କଳୀୟ ଦୁର୍ଗ ଉଦୟଗିରି ଆକ୍ରମଣ କଲେ । ପ୍ରବଳ ଯୁଦ୍ଧରେ ଉତ୍କଳ ବାହିନୀ ଛିନ୍ନ ଭିନ୍ନ ହୋଇଗଲେ ଏବଂ ଶେଷରେ ପୁରୁଷୋତ୍ତମଙ୍କର ପୁତ୍ର-ପ୍ରତିମ ଦୁର୍ଗାଧିପତି ଦକ୍ଷିଣ କପିଳେଶ୍ୱର କୁମାର ନିହତ ହେଲେ-। ବର୍ତ୍ତମାନ ଉଦୟଗିରି ରାଜ୍ୟ କାଞ୍ଚିରାଜାଙ୍କର କର–କବଳିତ । ଉତ୍କଳ ସାମ୍ରାଜ୍ୟର ଦକ୍ଷିଣ ସୀମା ବିପର୍ଯ୍ୟସ୍ତ ।

 

ପୁତ୍ରହତ୍ୟା, ପୁଣି ରାଜ୍ୟ ହାନି ! ପୁରୁଷୋତ୍ତମ ଉତ୍ତେଜିତ ହୋଇ ପଡ଼ିଲେ । ନିଶ୍ଚୟ ଏହାର ପ୍ରତିବିଧାନ କରିବାକୁ ହେବ । ଉତ୍କଳ ସାମ୍ରାଜ୍ୟର ସାର୍ବଭୌମତ୍ୱ ଉପରେ ଅନ୍ୟାୟ ଭାବରେ ହସ୍ତକ୍ଷେପ କରିଥିବାରୁ ଆକ୍ରମଣକାରୀ ସାଲ୍‌ୱ ନରସିଂହଙ୍କୁ ଉପଯୁକ୍ତ ଶାସ୍ତି ଦେବାକୁ ପଡ଼ିବ ।

 

ବାର୍ତ୍ତାବହକୁ ମେଲାଣି ଦେଇ ପୁରୁଷୋତ୍ତମ ଅସ୍ଥିର ଭାବରେ କକ୍ଷ ମଧ୍ୟରେ ପଦଚାରଣ କରିବାକୁ ଲାଗିଲେ । ରାତ୍ରି ପ୍ରଥମ ପ୍ରହର ଉତ୍ତୀର୍ଣ୍ଣ ହୋଇଛି । ବିରାଟ ବିସ୍ତୀର୍ଣ୍ଣ ବାରବାଟୀ ଦୁର୍ଗ କ୍ରମେ ନୀରବ ନିଶ୍ଚଳ ହୋଇ ଆସୁଛି । ପୁରୁଷୋତ୍ତମ ଚିନ୍ତିତ ମନରେ ପଦଚାରଣ କରୁ କରୁ ରାଜପ୍ରାସାଦର ଚନ୍ଦ୍ରଶାଳା ଉପରକୁ ଆସିଲେ । ଚତୁର୍ଦ୍ଦିଗରେ କୃଷ୍ଣା ରଜନୀର ଘନୀଭୂତ ଅନ୍ଧକାର । ଅଦୂରେ ମହାନଦୀ ବକ୍ଷ ଉପରେ ମଶାଲ ଜଳାଇ ବୋଇତଟିଏ ଭାସି ଯାଉଛି କାହିଁ କେତେ ଦୂରକୁ-! ମହାନଦୀର ଅପର ପାର୍ଶ୍ୱରୁ କେଉଁ ଏକ ନିଶାଚର ପକ୍ଷୀର କରୁଣ ସ୍ୱନ ରହି ରହି ଶୁଣାଯାଉଛି-। ପୁରୁଷୋତ୍ତମ ସେହି ଶାନ୍ତ ଅନ୍ଧକାରମୟ ପରିବେଶ ମଧ୍ୟରେ ଅତୀତ ସ୍ମୃତିର ରୋମନ୍ଥନ କରିବାକୁ ଲାଗିଲେ ।

 

ରୂପାମ୍ୱିକା ! –କାଞ୍ଚି ରାଜଯେମା ରୂପାମ୍ୱିକା !

 

ଆଖି ଆଗରେ ନାଚି ଯାଉଛି ତାଙ୍କର ସେ ଯୌବନ-ରସାଣିତ ଅପରୂପ ତନୁଶ୍ରୀ । ପ୍ରାୟ ପାଞ୍ଚ ବର୍ଷ ତଳେ ପିତା କପିଳେନ୍ଦ୍ର ଦେବଙ୍କ ସହିତ ପୁରୁଷୋତ୍ତମ ଦାକ୍ଷିଣାତ୍ୟ ଅଭିଯାନରେ ଯାଇଥିଲା ବେଳେ ରୂପସୀ ରୂପାମ୍ୱିକାଙ୍କ ସହିତ ପରିଚିତ ହୁଅନ୍ତି । ପ୍ରଥମ ସାକ୍ଷାତରେ ହିଁ ଦୁହେଁ ଦୁହିଁଙ୍କି ସୁଖ ପାଇ ବସନ୍ତି । ତାପରେ କଳନାଦୀ କାବେରୀ ନଦୀ କୂଳରେ ଦୁହିଁଙ୍କର ଚାଲେ ନିର୍ଜ୍ଜନ ଅଭିସାର—ଦିନ ପରେ ଦିନ । ପୁରୁଷୋତ୍ତମ ସେତେବେଳେ ‘ଅଭିନବ ଗୀତ ଗୋବିନ୍ଦ’ର ରଚନା ଆରମ୍ଭ କରି ଥାଆନ୍ତି । ରୂପାମ୍ୱିକାଙ୍କର କିନ୍ନର କଣ୍ଠରୁ ତାହାର ମଧୁର ପଦାବଳୀ ଯେତେବେଳେ ସଙ୍ଗୀତାକାରରେ ଝରି ପଡ଼େ, କାବେରୀ କୂଳର ସେହି ଶାନ୍ତ କାନ୍ତ ପରିବେଶ ଅମୃତ ରାଗିଣୀରେ ଜଙ୍କୃତ ହୋଇଉଠେ । ପୁରୁଷୋତ୍ତମ ସେହି ରୂପ ଓ ରାଗିଣୀ ଭିତରେ ନିଜକୁ ହଜାଇ ଦିଅନ୍ତି ।

 

ଗୋଟି ଗୋଟି ହୋଇ ସବୁ କଥା ମନେ ପଡ଼ୁଛି । ଥରେ ରୂପାମ୍ୱିକା କହିଲେ–ଏ କାବ୍ୟଟି ସମ୍ପୂର୍ଣ୍ଣ ହେଲେ, ପୂର୍ଣ୍ଣାଙ୍ଗ କାବ୍ୟଟି ମୋର ଯେପରି ହସ୍ତଗତ ହୁଏ, ତାହାର ବ୍ୟବସ୍ଥା କରିବ ରାଜପୁତ୍ର ।

 

ପୁରୁଷୋତ୍ତମ ଉତ୍ତର ଦେଇଥିଲେ–କାଞ୍ଚି ଯେମାଙ୍କ ନିକଟରେ ଉତ୍କଳ ରାଜକୁମାର ନିଜ ହୃଦୟର କୃତଜ୍ଞତା ନିଶ୍ଚୟ ନିବେଦନ କରିବ ।

 

‘ଅଭିନବ ଗୀତ ଗୋବିନ୍ଦ’ ସମ୍ପୂର୍ଣ୍ଣ ହେବା ମାତ୍ରେ କଟକରୁ ପୁରୁଷୋତ୍ତମ କାବ୍ୟଟିକୁ ଏକ ଅଶ୍ୱାରୋହୀ ଦୂତ ହସ୍ତରେ କାଞ୍ଚିଯେମାଙ୍କ ନିକଟକୁ ପଠେଇ ଦେଇଥିଲେ ଏବଂ ତା’ ସହିତ ପଠାଇଥିଲେ ଏକ ସାଦର ନିମନ୍ତ୍ରଣ ପତ୍ର :–ଆସନ୍ତା ରଥଯାତ୍ରା ସମୟରେ ମୋର ‘ଅଭିନବ ବେଣୀ ସଂହାର’ ନାଟକର ଅଭିନୟ ପୁରୀ ମନ୍ଦିରସ୍ଥ ଜଗମୋହନରେ ଅନୁଷ୍ଠିତ ହେବ । କଳାପ୍ରେମୀ କାଞ୍ଚି ରାଜଯେମା ଏହି ଅଭିନୟଟି ସ୍ୱଚକ୍ଷୁରେ ଦେଖିଲେ, ମୋର ଶ୍ରମ ସାର୍ଥକ ହେବ । ସାକ୍ଷାତ ଓ ସାନ୍ନିଧ୍ୟ ଲାଭ କାମନାରେ ରହିଲି ।

 

ସେଥର ରଥଯାତ୍ରା ଦେଖିବା ଲାଗି କାଞ୍ଚି ରାଜ ସପରିବାରରେ ଉତ୍କଳ ବିଜେ କରିଥିଲେ । ସେତେବେଳକୁ ପିତା କପିଳେନ୍ଦ୍ର ଦେବଙ୍କର ସ୍ୱର୍ଗାରୋହଣ ହୋଇଯାଇଛି । ପୁରୁଷୋତ୍ତମଙ୍କର ମନେ ଅଛି, କାଞ୍ଚି ରାଜ ସପରିବାରରେ ଉତ୍କଳର ରାଜ ଅତିଥିରୂପେ କେତେ ଦିନ ରହିଥିଲେ । ବେଶ୍‌ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ମଧ୍ୟରେ ସେହି କେତେ ଦିନ ଅତିବାହିତ ହୋଇଥିଲା । ରଥଯାତ୍ରା ସମୟରେ ଦେବତାଙ୍କ ସମ୍ମୁଖରେ ପୁରୁଷୋତ୍ତମ ସମାରୋହରେ ଛେରା ପହଁରା କରୁଥିବାର ଦୃଶ୍ୟ ଦେଖି କାଞ୍ଚିରାଜ ପରିବାର ମୁଗ୍‌ଧ ହୋଇ ଯାଇଥିଲେ । ରୂପାମ୍ୱିକା ଏକାନ୍ତରେ ପୁରୁଷୋତ୍ତମଙ୍କୁ କହିଥିଲେ–ଦେବତାଙ୍କୁ ଏ ଧରଣୀ ସେବା ପୂଜା କରିବାର ଅଧିକାର କେତେ ଜଣଙ୍କର ଅଛି ? ମୋ ଦେବତାଙ୍କୁ ଯଦି ମୁଁ ଏହିପରି ସେବା କରିବାର ଅଧିକାର ପାଆନ୍ତି–

 

ପୁରୁଷୋତ୍ତମ ଇଷତ୍‌ ହସି କହିଥିଲେ—ଭକ୍ତକୁ ଭଗବାନ ସେ ଅଧିକାର କେବେ ଦେଇ ନ ଥାନ୍ତି ରାଜଯେମା ! ନିଜର ଭକ୍ତିପ୍ରୀତି ବଳରେ ଭକ୍ତ ଆପେ ଆପେ ସେପରି ଅଧିକାର ଅର୍ଜନ କରିଥାଏ ।

 

‘ଅଭିନବ ବେଣୀ ସଂହାର’ ନାଟ୍ୟାଭିନୟରେ ମୁଗ୍‌ଧ ହୋଇ ରୂପାମ୍ୱିକା ପୁରୁଷୋତ୍ତମଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇ ଥିଲେ—ଉତ୍କଳର ଗଜପତି ମହାରାଜା କେବଳ କୌଶଳୀ କବି ନୁହଁନ୍ତି, ଜଣେ ଉଚ୍ଚ କୋଟୀର ନାଟ୍ୟକାର ମଧ୍ୟ ।

 

ପୁରୁଷୋତ୍ତମ ବାଧା ଦେଇ କହିଥିଲେ—ଏ ପ୍ରଶଂସା ମୋର ପ୍ରାପ୍ୟ ନୁହେଁ ରୂପାମ୍ୱିକା । ଏ ସବୁ କାର୍ଯ୍ୟରେ ମୋର ପ୍ରେରଣାଦାୟିନୀ ଶକ୍ତି ବର୍ତ୍ତମାନ ମୋ ସମ୍ମୁଖରେ ଦଣ୍ଡାୟମାନ ରହିଛନ୍ତି....

 

ରୂପାମ୍ୱିକାଙ୍କର ମାଦକଭରା ମୁଖମଣ୍ଡଳଟି ଲଜ୍ଜାରୁଣ ହୋଇ ଉଠିଥିଲା ।

 

ଦୂରରୁ ଅନ୍ଧକାରର ବକ୍ଷ ଭେଦ କରି ଶୃଗାଳମାନଙ୍କର ‘ହୁକେ—ହୋ’ ରଡ଼ି ଭାସି ଆସିଲା । ରାତ୍ରି ବୋଧହୁଏ ଦ୍ୱିପ୍ରହର । ପୁରୁଷୋତ୍ତମ ଦୀର୍ଘ ନିଶ୍ୱାସ ପକାଇଲେ । ଏତେ ବୁଝାମଣା–ଏତେ ଆନ୍ତରିକତା ସତ୍ତ୍ୱେ କାଞ୍ଚିରାଜ କିପରି ଉଦୟଗିରି ଆକ୍ରମଣ କଲେ ? କିପରି ଏତେ ସହଜରେ କାଞ୍ଚି—ଉତ୍କଳର ବନ୍ଧୁତ୍ୱ କ୍ଷୁଣ୍ଣ କରି ପାରିଲେ ? ସୁକୁମାରୀ ରୂପାମ୍ୱିକା ନିଜ ପିତାଙ୍କୁ ଏଥିରୁ କ’ଣ ନିବୃତ୍ତ କରାଇ ପାରିଲେ ନାହିଁ ?

 

ପୁରୁଷୋତ୍ତମ ବ୍ୟଥିତ ହୃଦୟରେ ବସି ପଡ଼ିଲେ । ହଠାତ୍‌ ତାଙ୍କର ମନେ ହେଲା—ସେ ଯେପରି ଦୁର୍ବଳ ହୋଇ ପଡ଼ୁଛନ୍ତି ! ଯୁବ-ମନ ତାଙ୍କର କାହିଁକି ମୋହାବିଷ୍ଟ ହୋଇ ଉଠୁଛି ! କିଛି କ୍ଷଣ ପରେ ଶକ୍ତି ସଞ୍ଚୟ କରି ସେ ଉଠି ଠିଆ ହେଲେ । ଉତ୍କଳର ଗଜପତି ରାଜାର କର୍ତ୍ତବ୍ୟ ତାଙ୍କ ସମକ୍ଷରେ ଉଦ୍ଭାସିତ ହୋଇ ଉଠିଲା । ମହାମନ୍ତ୍ରୀ ଓ ପ୍ରଧାନ ସେନାପତିଙ୍କୁ ସଙ୍ଗେ ସଙ୍ଗେ ସାକ୍ଷାତ କରିବା ଲାଗି ସେ ଡକାଇ ପଠାଇଲେ ।

 

ପୁରୀ ଶ୍ରୀମନ୍ଦିରରେ ହଠାତ୍‌ କର୍ମ ତତ୍ପରତା ଦେଖା ଦେଇଛି । ଉତ୍କଳର ଗଜପତି ରାଜା ପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ୟ ଅଭିଯାନରେ ଯିବା ପୂର୍ବରୁ ଆଜି ଦିଅଁ ଦର୍ଶନକୁ ବିଜେ କରିବେ । ପଣ୍ଡା, ସେବକମାନେ ପଟୁଆରରେ ଠିଆ ହୋଇଛନ୍ତି । ଭାଟମାନେ ଉଚ୍ଚ କଣ୍ଠରେ ଯଶୋଗାନ କରୁଛନ୍ତି । ପାତ୍ର ମନ୍ତ୍ରୀଙ୍କ ଗହଣରେ ପୁରୁଷୋତ୍ତମ ଠିକ୍‌ ସମୟରେ ଆସି ଦିଅଁ ଦର୍ଶନ କଲେ । ପ୍ରଥମେ ଠାକୁରଙ୍କ ଧଣ୍ଡା ଚନ୍ଦନାଦି ଗ୍ରହଣ କରି ଚକ୍ଷୁ ମୁଦି ଗୁଣୁ ଗୁଣୁ ସ୍ୱରରେ ପ୍ରାର୍ଥନା ଜଣାଇଲେ-। ତା’ପରେ ସାଷ୍ଟାଙ୍ଗ ପ୍ରଣିପାତ କରି, ଉଠିଲେ । ତାଙ୍କର ବାହୁ ଓ ବକ୍ଷ ଶକ୍ତି–ସାହସରେ ସ୍ଫୀତ ହୋଇ ଉଠିଲା । ମୁଖ ମଣ୍ଡଳରେ ପ୍ରତିଭାତ ହେଲା ଏକ ଐଶ୍ୱର୍ଯ୍ୟମୟୀ ଦୀପ୍ତି ।

 

ବିପୁଳ ସୈନ୍ୟବାହିନୀ ସଙ୍ଗରେ ଘେନି ପୁରୁଷୋତ୍ତମ ଉଦୟଗିରି ଦୁର୍ଗରେ କାଞ୍ଚିରାଜ ସାଲ୍ୱ ନରସିଂହଙ୍କୁ ଆକ୍ରମଣ କଲେ । ଉଭୟ ଶକ୍ତି ମଧ୍ୟରେ ଭୀଷଣ ସଂଘର୍ଷ ହେଲା । ଶେଷରେ ଉତ୍କଳ ବାହିନୀର ଶୌର୍ଯ୍ୟବୀର୍ଯ୍ୟ ନିକଟରେ ସାଲ୍ୱ ନରସିଂହ ମସ୍ତକ ଅବନତ କଲେ । କାଞ୍ଚି ଓ ଉତ୍କଳ ମଧ୍ୟରେ ସନ୍ଧି ହେଲା । ଉଦୟଗିରି ରାଜ୍ୟ ପୁଣି ଉତ୍କଳ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା ।

 

ଦିନକ ପରେ କାଞ୍ଚିଯେମା ରୂପାମ୍ୱିକାଙ୍କ ଠାରୁ ପୁରୁଷୋତ୍ତମ ଖଣ୍ଡିଏ ପତ୍ର ପାଇଲେ–‘‘ହେ ଉତ୍କଳ ରାଜ, ଆପଣ ପ୍ରକୃତରେ ପୁରୁଷୋତ୍ତମ । ଆପଣ କେବଳ ଏଠାରେ ରାଜ୍ୟଜୟ କରି ନାହାନ୍ତି; ଯାହାଙ୍କର ହୃଦୟ-ମନ ଜୟ କରିଛନ୍ତି, ସେ ଆପଣଙ୍କ ଅପେକ୍ଷାରେ ଏହି କାବେରୀ କୂଳରେ ବର୍ତ୍ତମାନ ।’’

 

ପୁରୁଷୋତ୍ତମ ସଙ୍ଗେ ସଙ୍ଗେ ଅଶ୍ୱ ପୃଷ୍ଠରେ କାବେରୀ କୂଳ ଉଦ୍ଦେଶ୍ୟରେ ବହିର୍ଗତ ହେଲେ ।

 

(ସମାବେଶ ପତ୍ରିକାରେ ପ୍ରକାଶିତ ।

ରଚନା ସ୍ଥାନ–ଭଦ୍ରକ, କାଳ–୧୯୬୧)

✽✽✽

 

ଗୋଟିଏ ଗଳ୍ପର ନାୟିକା

 

‘‘କୋଟି ଯୁବକର ହୃଦୟହାରିଣୀ ମେରିଲିନ୍‌ ମନରେ ଆଉ ନାହାନ୍ତି ! ଶୁଣିଲେଣି ଖବର–ସୌନ୍ଦର୍ଯ୍ୟର ରାଣୀ ମେରିଲିନ୍‌ ଆତ୍ମହତ୍ୟା କରିଛନ୍ତି ।’’

 

ଚା-ଟେବୁଲ୍‌ ଉପରେ ହଠାତ୍‌ ଖବରଟା ଶୁଣି ଆମେ ଚମକି ପଡ଼ିଲୁଁ । ସିନେମାଖୋର୍‌ କିଶୋର ବାବୁ ଦୁଃଖ ଓ ବିସ୍ମୟରେ ଏପରି ଚିତ୍କାର କରି ଉଠିଲେ ଯେ—ତାଙ୍କ ହାତରୁ କପ୍‌ଟା ଖସି ପଡ଼ି ଚା ସବୁ ଢାଳି ହୋଇଗଲା । ଯେପରି ତାଙ୍କର ଅତି ଆତ୍ମୀୟ ଲୋକ ଜଣେ ଆତ୍ମହତ୍ୟା କରିଛି-! ସାମ୍ୱାଦିକ ରବିବାବୁ ଏହି ଚମକପ୍ରଦ ସମ୍ୱାଦଟି ଜଣାଇ ଆମରି ପାଖରେ ଆସି ବସି ପଡ଼ିଲେ-। ରେଷ୍ଟୁରେଣ୍ଟ୍‌ରେ ସକାଳର ସେହି ଶାନ୍ତ ଶୀତଳ ପରିବେଶଟା ଅକସ୍ମାତ୍‌ ବେଶ୍‌ ଉତ୍ତାପ ଓ ସତେଜତା ଲାଭ କଲା ଯେପରି !

 

କେତୋଟି ମୁହୂର୍ତ୍ତ ନୀରବରେ କଟିଗଲା । ଅଧ୍ୟାପକ ମିଶ୍ର କହି ଉଠିଲେ—ବାସ୍ତବିକ୍‌, ବଡ଼ ଶୋଚନୀୟ ବିଷୟ ! ମେରିଲିନ୍‌ ଶେଷେ ଆତ୍ମହତ୍ୟା କଲା ? କାହିଁକି ? କ’ଣ ତାହାର ଦୁଃଖ-? କ’ଣ ବା ତା’ର ଅଭାବ ଥିଲା ?

 

ଅଭିନେତା ଭଳି ମୁଖରେ ଦୁଃଖ-ଅନୁତାପର ଭଙ୍ଗୀ ଫୁଟାଇ କିଶୋରବାବୁ କହିଲେ—ନା, ନା, ମେରିଲିନ୍‌ ଆତ୍ମହତ୍ୟା କରି ନାହିଁ ! ଆମେଇ ତାକୁ ହତ୍ୟା କରିଛୁଁ—ଆମେ ଏଇ ଯୁବତୀ ମାଂସଲୋଭୀ କୁକ୍‌କୁର ଦଳ ! ରୂପ ହେଲା ତାହାର ଅଭିଶାପ—ଯୌବନ ହେଲା ଗଳଗ୍ରହ । ପୃଥିବୀର କୋଟି କୋଟି କାମାନ୍ଧ ପୁରୁଷ ତାକୁ କେବଳ ଏକ ‘ଯୌନ ପ୍ରତିମା’ ରୂପେ ଦେଖିଲେ । କେହି ଜଣେ ଚିହ୍ନିଲେ ନାହିଁ ତାହାର ନାରୀହୃଦୟକୁ—ତାହାର ପବିତ୍ର ଆତ୍ମାକୁ । ସେ ବଞ୍ଚିବ କିପରି-? —ବଞ୍ଚନ୍ତା ବା କାହିଁକି ?

 

ରବିବାବୁ ଯୋଗ ଦେଲେ—ସତ କଥା ! ନାରୀ କ’ଣ ଖାଲି ପୁରୁଷର ଶଯ୍ୟା—ସଙ୍ଗିନୀ ହେବା ପାଇଁ ? —କେବଳ ତାହାର ଯୌନ ଲାଳସା ଚରିତାର୍ଥ କରିବା ପାଇଁ ଉଦ୍ଦିଷ୍ଟ ?

 

ଅଧ୍ୟାପକ ମିଶ୍ର ଟେବୁଲରେ ହାତ କଚାଡ଼ି କହିଲେ—କଦାପି ନୁହେଁ । ନାରୀ ଜନନୀ ହୋଇପାରେ, ହୋଇପାରେ ଭଗିନୀ–କରୁଣାମୟୀ ଧାତ୍ରୀ, ଶକ୍ତିଦାୟିନୀ ବାନ୍ଧବୀ ମଧ୍ୟ ।

 

–କିନ୍ତୁ ପ୍ରଧାନତଃ ଯୌନ-ଉପଭୋଗର ଏକ ସରସ ସାମଗ୍ରୀ ରୂପେ ନାରୀ ଆଜି ପରିଗଣିତ । ଏ କଥା ଆପଣ ଅସ୍ୱୀକାର କରି ପାରିବେ ନାହିଁ । –କିଶୋର ବାବୁ ମନ୍ତବ୍ୟ କଲେ ।

 

ପୃଥିବୀର ସର୍ବଜନାଦୃତା ସିନେମା ତାରକା ମେରିଲିନ୍‌ର କରୁଣ ଜୀବନ ଚରିତ ମୋତେ ପୂର୍ବରୁ ଜଣା ଥିଲା । ମୁଁ ଗୋଟିଏ ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲି—ହଁ, ଦୁଃଖର ସହିତ ଆମକୁ ସ୍ୱୀକାର କରିବାକୁ ହେବ—ଜଗତର ରୀତି ଏକ୍ଷଣି ଏଇୟା । ଏହାର କେତେକ ଉଦାହରଣ ମୁଁ ଆପଣମାନଙ୍କୁ ଦେଇପାରେଁ । ହଲିଉଡ୍‌ ତାରକା ମେରିଲିନ୍‌ ତ ଦୂରର କଥା, ଆମ ଗାଁ ହରେକୃଷ୍ଣପୁରର ମେନକା ଭାଗ୍ୟରେ ମଧ୍ୟ ଠିକ୍‌ ଏଇୟା ଘଟିଛି ।

 

ସମସ୍ତେ ଉତ୍ସୁକ ହୋଇ ମୋ ମୁହଁକୁ ଚାହିଁ ରହିଲେ । ମୁଁ କହିଲି—ଖାଣ୍ଟି ସତ ଘଟଣାଟାଏ । ମେନକାର ଡାଏରି ମୋର ହସ୍ତଗତ ହୋଇଛି । ତହିଁରେ ସେ ସବୁ କଥା ବିସ୍ତାରିତ ଭାବେ ଲେଖି ଦେଇ ଯାଇଛି ।

 

ମେନକା-କଥା ମୋ ଠାରୁ ଶୁଣିବା ଲାଗି ବନ୍ଧୁମାନେ ମୋତେ ବାଧ୍ୟ କଲେ । ଗଳାଟା ଥରେ ସଫା କରି ନେଇ ମୁଁ ଆରମ୍ଭ କଲି—ହଁ, ଖାଲି ନାମରେ ନୁହେଁ, ରୂପଲାବଣ୍ୟରେ ବି ସେ ଥିଲା ଠିକ୍‌ ଏକ ମେନକା—ସ୍ୱର୍ଗର ଶାପଭ୍ରଷ୍ଟା ଅନିନ୍ଦ୍ୟ ସୁନ୍ଦରୀ ଅପ୍‌ସରା ଯେପରି ! ଗାଁର ଦରିଦ୍ର ପୋଷ୍ଟମାଷ୍ଟରଙ୍କ ସାନ ଝିଅ ଥିଲା ସେ—ଖତ ଗଡ଼ାରେ ପଦୁଁ ଫୁଲ । ପାଞ୍ଚ ଛ’ ବର୍ଷ ବୟସ ବେଳୁ ନିଜ ରୂପ ଗାରିମାରେ ସମସ୍ତଙ୍କୁ ସେ ମୁଗ୍ଧ କରି ପକାଇଲା । ଡଉଲ ଡାଉଲ ଗୋରା ତକ ତକ କଅଁଳ ଦେହ । ତହିଁରେ ପୁଣି ମୁହଁର ଗଢ଼ଣଟି ଥିଲା ଅତି ଲୋଭନୀୟ । ବାଟଗଲା ଲୋକେ ଦଣ୍ଡେ ଠିଆ ହୋଇ ତାକୁ ଚାହିଁ ଦେଖୁଥିଲେ । ଯେ ପାରୁଥିଲା ତାକୁ କୋଳକୁ ଟାଣି ନେଇ ତା’ର ନାଲି ଟୁକୁ ଟୁକୁ ଗାଲ ଓ ଓଠରୁ ଚୁମା ଖାଉଥିଲା ।

 

ପିଲା ଦିନରୁ ଅତି ଗେହ୍ଲବସରରେ ବଢ଼ିଥିଲା ମେନା । ବାପା ମା’, ବନ୍ଧୁବାନ୍ଧବ, ସାଇପଡ଼ିଶା ସମସ୍ତଙ୍କଠାରୁ ସେ ଅତ୍ୟଧିକ ସ୍ନେହ ଶ୍ରଦ୍ଧା ଲାଭ କରିଥିଲା । ପହିଲେ ପହିଲେ ପଢ଼ାଶୁଣାରେ ମନ ଦେଇ ନ ଥିଲା । ଦିନସାରା ଧୂଳି ଘର କରି ଖେଳୁଥାଏ । କଣ୍ଢେଇକୁ ବର ସଜେଇ ଧୂଳିର ଭାତ-ଡାଲି ପରଷି ଦିଏ–ଟିକି ଟିକି ପୁଅଝିଅଙ୍କୁ ମାଟିର ହଳଦୀ ବୋଳି ଦେଇ ଛାତି ପାଖରେ ଧରି ସ୍ତନ୍ୟ ପିଆଏ । ପୁଣି ରାତିରେ ମେନକା ମା’ କୋଳରେ ଶୋଇ କଲରେଇ ଫୁଲ କଥା, କେଶବତୀ ରାଜାଝିଅ କଥା ଶୁଣେ । କେତେ ସ୍ୱପ୍ନ ଦେଖେ–କେତେ କଳ୍ପନାର ଜାଲ ବୁଣେ ।

 

ଦଶ ବାର ବର୍ଷ ବୟସ ବେଳେ ମେନକା ଥରେ ନିଜ ମାମୁଁ ଘରକୁ ବୁଲିବାକୁ ଯାଇଥିଲା-। ସେଇଠାରୁ ତା’ ଜୀବନରେ ଦୁର୍ଯୋଗର ସୂତ୍ରପାତ ହେଲା । ମାମୁଁ ଘରେ ‘ଟିମା’ ନାମରେ ଜଣେ ଟୋକା ଚାକର ଥାଏ । ମେନା ତାକୁ ଟିମା ଭାଇ ବୋଲି ଡାକେ—ତା’ ସହିତ ଥଟ୍ଟା ତାମସା ଲଗାଏ । ଏକୁଟିଆ ବେଳେ ଟିମା ମେନାକୁ କୋଳରେ ପୁରାଇ ଜାକି ଧରେ ତା’ର ଓଠ ଓ ଛାତିରୁ ଚୁମା ଖାଏ । ମେନାକୁ ସେତେବେଳେ ଟିକିଏ ଟିକିଏ ଲାଜ ଲାଗିଲେ ବି ବେଶ୍‌ ଆନନ୍ଦ ମିଳେ-। ସେ ଆଖି ମୁଦି ଟିମା ଭାଇ କୋଳରେ ଶୋଇ ରହେ ।

 

ଦିନେ ନିରୋଳା ସଞ୍ଜ ବେଳେ ଟିମା ଭାଇ ସଙ୍ଗରେ ଏହିପରି ଝିମିଟି ଖେଳ ଖେଳୁ ମହାଭାରତଟାଏ ସୃଷ୍ଟି ହୋଇଗଲା । ଏପରି ଏକ ଦୁର୍ଘଟଣା ହେବ ବୋଲି ମେନକା କେବେ ଭାବି ନ ଥିଲା । ଯନ୍ତ୍ରଣାରେ ଅସ୍ଥିର ହୋଇ କାନ୍ଦୁଥିଲା ବେଳେ ସେଇ ରାତିରେ ତାକୁ ହସପିଟାଲ ଯିବା ପାଇଁ ପଡ଼ିଲା । ଡାକ୍ତର ତାକୁ କଣ ପରୀକ୍ଷା କରିଥିଲେ । କିଛି ଦିନ ପରେ ମେନା ଶୁଣିବାକୁ ପାଇଲା—ଏଇଥି ପାଇଁ ଟିମା ଭାଇକୁ ଛ’ମାସ ଜେଲଦଣ୍ଡ ହେଇଯାଇଛି ।

 

ଅଧ୍ୟାପକ ମିଶ୍ର ଟିପ୍‌ପଣୀ କାଟିଲେ–ବାଃ, ଏ ତ ନବକୋଭ୍‌ଙ୍କ ‘ଲୋଲିତା’ର ଭାରତୀୟ ସଂସ୍କରଣ !

 

ମୁଁ କହି ଚାଲିଲି–ଯା ହେଉ, ସେହି ଦିନଠାରୁ ବାପ-ମା ମେନାକୁ କଡ଼ା ଶାସନରେ ରଖିଲେ । କୌଣସି ବାନ୍ଧୁବାନ୍ଧବ ଘରକୁ ଛାଡ଼ି ଦେଲେ ନାହିଁ । ଗାଁ ମାଇନର ସ୍କୁଲରେ ମେନକା ସେତେବେଳେ ପଢ଼ୁଥାଏ । ସକାଳ ଦଶଟାରେ ସ୍କୁଲକୁ ଯିବ, ଫେରିବ ସନ୍ଧ୍ୟା ଚାରିଟାରେ । ଏଥିରେ ଟିକିଏ ଏପଟ ସେପଟ ହେଲେ ଗାଳି ମାଡ଼ ଉଭୟ ମେନା ଭାଗ୍ୟରେ ଥୁଆ ହୋଇଥାଏ ।

 

ମେନକା ଏଥିରେ ଏକାବେଳେ ଅଣନିଶ୍ୱାସୀ ହୋଇ ପଡ଼ିଲା । ତାହାର ମନେ ହେଲା–ତାକୁ ଯେପରି ଆଉ କେହି ସୁଖ ପାଉ ନାହାନ୍ତି–ସ୍ନେହ ଶ୍ରଦ୍ଧା କରୁ ନାହାନ୍ତି କେହି ! ଏକାନ୍ତ ନିଃସଙ୍ଗ ଓ ବନ୍ଧୁହୀନ ହୋଇ ପଡ଼ିଛି ସେ । ତା’ ସମ୍ମୁଖସ୍ଥ ଆନନ୍ଦ–ଉଲ୍ଲାସର ଝରଣାଟି ଯେପରି ହଠାତ୍‌ ଶୁଷ୍କ ହୋଇଗଲା ! ପ୍ରାଣ ବିକଳରେ ସେ ଖାଲି ଛଟପଟ ହେବାକୁ ଲାଗିଲା ।

 

ଏହିପରି ସ୍ନେହ–କାଙ୍ଗାଳିନୀ ମେନାର ଜୀବନରେ ହଠାତ୍‌ ଦିନେ ଦେଖା ଦେଲା ନବ ବସନ୍ତ । ଅଙ୍ଗେ ଅଙ୍ଗେ ତା’ର ଫୁଟି ଉଠିଲା ରକ୍ତ ପଲାଶ–ମନ ଗହନରେ ପ୍ରବାହିତ ହେଲା ମଦିର ମଳୟର ସୁରଭି । ସେତେବେଳେ ସେ ମାଇନର ସପ୍ତମ ଶ୍ରେଣୀର ଛାତ୍ରୀ । ଆପଣାର ଅତୁଳନୀୟ ରୂପ ଯୌବନରେ ସେ କେବଳ ସମସ୍ତଙ୍କୁ ମୁଗ୍‌ଧ–ଚକିତ କଲା ନାହିଁ, ଏକାବେଳେ ଉନ୍ନତ୍ତ ପାଗଳ କରି ପକେଇଲା । ସ୍କୁଲର ହେଡ଼ମାଷ୍ଟରଙ୍କ ଲୋଲୁପ ଦୃଷ୍ଟି ଓ କାମୁକ ମନର ଶିକାର ହେଲା ସେ ପ୍ରଥମେ ।

 

ହେଡ୍‌ମାଷ୍ଟର ଥିଲେ ସୁଦର୍ଶନ ଯୁବକ । ମେନକା ତାଙ୍କ ପୌରୁଷରେ ମୁଗ୍‌ଧ ହୋଇଥିଲା ଏବଂ ପାର୍ବଣ ପ୍ରାଣର ପ୍ରଥମ ଅର୍ଘ୍ୟ ନିବେଦନ କରିଥିଲା ତାଙ୍କରି ଚରଣ ତଳେ । ବିଚାରୀ ଭାବିଥିଲା—ଜୀବନରେ ସେ ନିଜ ମନର ମଣିଷଙ୍କୁ ପାଇଛି, ତାଙ୍କୁଇ ଘେନି ଆପଣାର ସୁନାର ସଂସାର ଗଢ଼ି ପାରିବ ।

 

କିନ୍ତୁ ହା ଦୁର୍ଭାଗ୍ୟ ! ମେନା ଜାଣି ପାରିଲା ନାହିଁ—ସେ କେଡ଼େ କଣ୍ଟକିତ ପଥରେ ପାଦ ଦେଇଛି ! ଯେତେବେଳେ ସବୁ ରହସ୍ୟ ଉଦ୍‌ଘାଟିତ ହୋଇଗଲା, ଆଖି ଲୁହ ପୋଛୁ ପୋଛୁ ମେନାର ଦିନ ସରିଲା ନାହିଁ । ବାପ-ମା’ଙ୍କର ବିରକ୍ତି, ଲାଲ ଆଖି, ଗାଳି-ଗୁଲଜ ଛାତି ପଥର କରି ସେ ସହିଲା । ଶେଷରେ ଦିନେ ମା’କୁ କହିଲା, ମୁଁ ହେଡ଼ମାଷ୍ଟରଙ୍କ ପାଖକୁ ଯିବି । ମୋତେ ବାହା ହେବା ଲାଗି ସେ ଯବାବ ଦେଇଥିଲେ ।

 

କିନ୍ତୁ ନିଜ ଯବାବ ରକ୍ଷା ପାଇଁ ହେଡ଼ମାଷ୍ଟର ମହୋଦୟ ଆଉ ସେଠାରେ ନ ଥିଲେ । ସେ ଥିଲେ ବିବାହିତ ଏବଂ ଗୋଟିଏ ସନ୍ତାନର ଜନକ । ଆସନ୍ନ ବିପଦର ସୂଚନା ପାଇ ଆଗରୁ ବାଟ କାଟିବାକୁ ସେ ସ୍କୁଲ ଛାଡ଼ି ପଳାଇ ଯାଇଥିଲେ ।

 

ତା’ପରେ ଗାଁ ଠାରୁ ବହୁ ଦୂର ଏକ ସହରକୁ ମେନାକୁ ପଠାଇ ଦିଆଗଲା । ତାହା ଯେପରି ଏକ ନିଷ୍ଠୁର ଜୀବନମରା ରାଜ୍ୟ ! ସେଠାରେ ଡାକ୍ତର ମହାନ୍ତିଙ୍କର ନିର୍ଜନ ପରୀକ୍ଷାଗାରରେ ପୂରା ତିନିଟି ଦିନ ତାକୁ ରହିବା ପାଇଁ ପଡ଼ିଲା । ଯମଦୂତ ଭଳି ସ୍ଥୂଳକାୟ ପୌଢ଼ ଡାକ୍ତର ମହାନ୍ତି ପ୍ରଥମେ ମେନକାକୁ ଦେଖି ଘଡ଼ିଏ କାଳ ଚାହିଁ ରହିଲେ । ଏଭଳି ଅପୂର୍ବ ସୁନ୍ଦର ରୂପ ଜୀବନରେ ସେ ବୋଧହୁଏ ପ୍ରଥମେ ଦେଖୁଛନ୍ତି । ମେନକାର ଚଟୁଳ ଚିବୁକକୁ ଟିକିଏ ହଲାଇ ଦେଇ ସେ ଆଶ୍ୱାସନା ବାଣୀ ଶୁଣାଇଲେ—କିଛି ଚିନ୍ତା କର ନା । ମୁଁ ସବୁ ସଜାଡ଼ି ଦେବି ।

 

ମେନକା ସବୁ କଥା ବୁଝି ସାରିଥିଲା । ପିତୃପ୍ରତିମ ଡାକ୍ତରଙ୍କ ଠାରୁ ସାନ୍ତ୍ୱନା ପାଇ ସେ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଉଠିଲା ଏବଂ ଡାକ୍ତରଙ୍କ ପାଦ ତଳେ ପଡ଼ି କହିଲା–କିଛି ମୋର ସଜାଡ଼ିବା ଦରକାର ନାଇଁ ଡାକ୍ତର ବାବୁ, ମୋର ସେ ସତୀତ୍ୱର ରକ୍ଷା କବଚ ଲୋଡ଼ା ନାହିଁ-। କଳଙ୍କିନୀ ହୁଏ ପଛକେ, ମୁଁ ମାଆ ହେବାକୁ ଚାହେଁ । ମୋତେ ବଞ୍ଚାନ୍ତୁ ଆପଣ......

 

ଡାକ୍ତର ମହାନ୍ତି ଟିକିଏ ହସିଲେ । ତାଙ୍କର ପକେଟ୍‌ ଗରମ ଥିଲା, ମନରେ ବି ଉତ୍ତାପ ଜମି ଆସୁଥିଲା । ସେ ମେନାକୁ ତଳୁ ଉଠାଇ ନିକଟସ୍ଥ ଖଟ ଉପରେ ନେଇ ବସାଇଲେ । ତା’ପରେ ତାକୁ କୋଳକୁ ଆଉଯାଇ ଆଣି ତା’ ଆଖିରୁ ଲୁହ ପୋଛି ଦେଲେ ଏବଂ ତା’ର କମ୍ପିତ କୋମଳ ଅଧରକୁ ବାରଂବାର ଚୁମ୍ୱନ କଲେ ।

 

କିଛି କ୍ଷଣ ପରେ ମେନକା ବୁଝି ପାରିଲା–ଏହା ପିତୃ–ସ୍ନେହ ନୁହେଁ, କୁତ୍ସିତ ପୌଢ଼ ଡାକ୍ତରଙ୍କର ଜଘନ୍ୟ ପାଶବିକତା ମାତ୍ର । ତାହାର ଇଚ୍ଛା ହେଲା–ସେ ଗଳା ଫଟାଇ ଚିତ୍କାର କରିବ ଏବଂ ଗୋଇଠା ମାରି ନିଜ ଛାତି ଉପରୁ ସେହି ଭଦ୍ରବେଶୀ ଜାନୁଆର୍‌ଟାକୁ ତଳକୁ ଫିଙ୍ଗି ଦେବ । କିନ୍ତୁ ତାହାର ଦେହ-ମନ ସେତେବେଳକୁ ଏପରି କବଳିତ ହୋଇ ସାରିଥିଲା ଯେ ସେ କିଛି ହେଲେ କରିବା ଲାଗି ଶକ୍ତି ବା ସାହସ ପାଇଲା ନାହିଁ ।

 

ମୋର ବନ୍ଧୁମାନେ ସମସ୍ତେ ଦୁଃଖରେ ଦୀର୍ଘ ନିଶ୍ୱାସ ପକାଇ କହି ଉଠିଲେ—ହା ବିଚାରୀ ମେନକା !

 

ମୁଁ କହିଲି–କିନ୍ତୁ ସେତିକିରେ ବିଚାରୀର ଦୁର୍ଦ୍ଦିନ ଶେଷ ହୋଇଗଲା ନାହିଁ । ଡାକ୍ତରଖାନାରୁ ଫେରି ମେନକା ସେହି ସହରସ୍ଥ ଏକ ଦୂର—ସମ୍ପର୍କୀୟା ମାଉସୀଙ୍କ ଘରେ କିଛି ଦିନ ରହିଲା । ଅଳ୍ପ ସମୟ ମଧ୍ୟରେ ମାଉସୀଙ୍କ ପୁଅ ରାଜକିଶୋର ସହିତ ତାହାର ଘନିଷ୍ଠତା ହୋଇଗଲା । କଲେଜ ଛାତ୍ର ରାଜକିଶୋରର ସ୍ୱପ୍ନପ୍ରବଣ ରୋମାଣ୍ଟିକ୍‌ ମନ ରୂପସୀ ମେନକାର ସାନ୍ନିଧ୍ୟ ଲାଭ ପାଇଁ ବ୍ୟସ୍ତ ବ୍ୟାକୁଳ ହୋଇ ଉଠିଲା ।

 

ଦିନେ ମେନାକୁ ଏକାନ୍ତରେ ପାଇ ରାଜକିଶୋର ପ୍ରେମ ନିବେଦନ କରି ବସିଲା । ମେନକା ଲାଜ ଲାଜ ହୋଇ କହିଲା—ରାଜୁ ଭାଇ, ତମେ ଭାରି ଭଲ । କେତେ ପାଠ ପଢ଼ିଛ, କେତେ କଥା ଜାଣ....ମୁଁ କଣ ତମ ଲାଖି ହୋଇ ପାରିବି?

 

—ତୁ’ ରାଜାର ଲାଖି ରୂପ ପାଇଛୁ ଲୋ ମେନା ! ତୋତେ ପାଇଲେ, ଯେ କୌଣସି ପୁରୁଷ ଧନ୍ୟ ହେବ । –ମେନାକୁ କୋଳରେ ଜଡ଼ାଇ ଧରି ରାଜକିଶୋର କହିଲା ।

 

ମେନକା କହିଲା—ତା’ହେଲେ ଆମେ ବାହା ହେବା ରାଜୁ ଭାଇ । ତମେ ଶପଥ କର–ମୋତେ ଛାଡ଼ି କୁଆଡ଼େ ଯିବ ନାଇଁ । ତମେ ମୋର, ଆଉ ମୁଁ ତୁମର ।

 

ମେନକାର ସୁନ୍ଦର ସୁଗଠିତ ଦେହ—ବେଦୀ ଉପରେ ପ୍ରେମର ଏହି ପବିତ୍ର ଶପଥ ସେଦିନ ପାଠ କରିଥିଲା ରାଜକିଶୋର ।

 

ଆଉ ଦିନେ ସେମାନେ ସାନ୍ଧ୍ୟ ଭ୍ରମଣରେ ଯାଉଁ ଯାଉଁ ରାସ୍ତାରେ ଗୋଟିଏ ଦମ୍ପତ୍ତିଙ୍କୁ ଦେଖିଲେ । ଦମ୍ପତ୍ତିଟି ହସ ଖୁସି ହୋଇ ଚାଲିଛନ୍ତି—ଆଗରେ ସ୍ତ୍ରୀ, ପଛରେ ସ୍ୱାମୀ । ସ୍ୱାମୀ କୋଳରେ ଲହୁଣୀ ପିତୁଳା ପରି ଶିଶୁଟିଏ । ମେନା ଥିଇରି ଥିଇରି କହିଲା—ଦେଖିଲୁ ରାଜୁ ଭାଇ, କି ସୁନ୍ଦର ଛୁଆଟିଏ ! ଆମର ଯଦି ଏହିପରି ଛୁଆଟିଏ ହୁଏ, ତାହାର ନାଁ କଣ ଦେବା କହିଲ ?

 

ରାଜକିଶୋର ହସି ହସି କହିଲା–ଝିଅ ହେଲେ ମଞ୍ଜୁ କି ମନୀଷା, ଆଉ ପୁଅ ହେଲେ ରାମ କି ରାହୁଳ ନାଁ ଦେବା ।

 

ମେନକା କହିଲା–ଉଁ ହୁଁ, ତା’ ହେବ ନାହିଁ । ପୁଅ ହେଲେ ମୋ ନାଁର ପ୍ରଥମ ଅକ୍ଷର ଅନୁଯାୟୀ ହେବ ମହେନ୍ଦ୍ର କି ମେଘନାଦ । ଆଉ ଝିଅ ହେଲେ ତମ ନାଁ ଅନୁସାରେ ହେବ ରାଧା କି ରାଜଶ୍ରୀ ।

 

ଦୁହେଁ ପ୍ରାଣଖୋଲା ହସ ହସିବାକୁ ଲାଗିଲେ ।

 

କିନ୍ତୁ ଏ ହସ ଅଚିରାତ୍‌ କାନ୍ଦରେ ପରିଣତ ହେଲା । ମେନକା ଏଥର ବି ହେଲା ପ୍ରତାରିତା । ତାହାର ଗତିରୀତିରେ ସନ୍ଦେହ କରି ମଉସା-ମାଉସୀ ଅତି ବ୍ୟସ୍ତ ହୋଇ ପଡ଼ିଲେ । ଦିନେ ଅକସ୍ମାତ୍‌ ବାପା ଆସି ପହଞ୍ଚିଲେ—ମେନାକୁ ଘେନିଗଲେ ଘରକୁ । ଗଲାବେଳେ ମେନକା ରାଜକିଶୋରକୁ ବହୁତ ଖୋଜିଲା, କିନ୍ତୁ ତାହାର ପତ୍ତା ପାଇଲା ନାହିଁ । ବାପା-ମା’ ସବୁ କଥା ଜାଣି ପାରିଛନ୍ତି ଦେଖି ରାଜକିଶୋର ଠିକଣା ବେଳକୁ କାପୁରୁଷ ଭଳି କୁଆଡ଼େ ଲୁଚିଲା । ଆଉ ହତଭାଗିନୀ ମେନା ଆଖି ଲୁହରେ ପଣତ ଭିଜାଇ ଭିଜାଇ ଗାଁକୁ ଫେରିଗଲା ।

 

ସାମ୍ୱାଦିକ ରବିବାବୁ ଉତ୍ତେଜିତ ହୋଇ କହି ଉଠିଲେ—ମୋରାଭିଆଙ୍କର The Woman of Rome ପଢ଼ିଛନ୍ତି ଆପଣମାନେ ? ଠିକ୍‌ ସେହିପରି ଏ ମେନକାର କାହାଣୀ.....

 

ତାଙ୍କ ତୁଣ୍ଡରୁ କଥା ଛଡ଼ାଇ ନେଇ ଅଧ୍ୟାପକ ମିଶ୍ର କହିଲେ—ସେ Fiction, ଆଉ ଏ ତ ପୂରାପୂରି Fact ! ଇଣ୍ଡିଆ ଓ ଇଟାଲି ମଧ୍ୟରେ ଦୂରତ୍ୱ ଥାଇପାରେ, କିନ୍ତୁ ଚିନ୍ତାରେ କଳ୍ପନାରେ ବା କାମନା-ବାସନାରେ ମଣିଷ ଜାତି ପରସ୍ପରର ନିକଟତର—ଏହା ଆପଣମାନଙ୍କୁ ସ୍ୱୀକାର କରିବାକୁ ହେବ ।

 

ମୁଁ କହିଲି—ମୋତେ ଆଗେ କଥାଟା ଶେଷ କରିବାକୁ ଦିଅନ୍ତୁ ! ତା’ପରେ ଦୀର୍ଘ ଛ’ମାସ ମେନକା ରହିଲା ଗାଁରେ—ନିଜ ଘରେ ବନ୍ଦିନୀ ହୋଇ । ବାଟରେ ଘାଟରେ ଗାଁ ମାଇପେ ତାକୁ କଣେଇ କରି ଚାହିଁ ମୁରୁକି ମୁରୁକି ହସନ୍ତି—ତା’ ବିଷୟରେ କେତେ କଣ ଗୁପ୍‌ଚୁପ୍‌ କଥା ହୁଅନ୍ତି । ଟୋକା ଦଳ ତା’ରି ବିଷୟ ଚର୍ଚ୍ଚାରେ ଅବସର–ବିନୋଦନ କରନ୍ତି । ପଞ୍ଚାୟତର ସରପଞ୍ଚ ପ୍ରାଣବନ୍ଧୁ ବାବୁ ମେନା ବିଷୟରେ ବଡ଼ ଆଗ୍ରହୀ, ବେଳରେ ଅବେଳରେ ବାରଂବାର ଆସି ତା’ ଖବର ବୁଝି ଯାଆନ୍ତି । ମେନକା ଏଇମାନଙ୍କ ଦାଉରୁ ପଦାକୁ ବାହାରି ପାରେ ନାହିଁ, ଘର ଭିତରେ ମାଟି କାମୁଡ଼ି ପଡ଼ି ରହିଥାଏ ।

 

ବାପ-ମା’ ତେଣେ ଚାରିଆଡ଼େ ବର ପାତ୍ରଟିଏ ଖୋଜୁଥାଆନ୍ତି । ଝିଅଟିକି ଯଥାଶିଘ୍ର ବିଭା କରି ଦେଇ ସେମାନେ ହେବେ ନିଶ୍ଚିନ୍ତ । କିନ୍ତୁ ପୋଡ଼ାକପାଳୀ ମେନା ଲାଗି ପାତ୍ରଟିଏ ମିଳିବା ମଧ୍ୟ କଷ୍ଟକର ହେଲା । ପ୍ରଥମ ପ୍ରତିବନ୍ଧକ ହେଲା ଯୌତୁକ । ଯେଉଁଠି ବା ଯୌତୁକ ଉପରେ ଜୋର୍‍ ଦିଆ ନ ଗଲା, ସେଠି ବାଧା ସୃଷ୍ଟି କଲା–ମେନକା ନାମରେ ରଟିଥିବା କଳଙ୍କ ।

 

ମାଆ ଏଣିକି କଥାରେ କଥାରେ ମେନକା ଉପରେ ରାଗନ୍ତି–ବିରକ୍ତ ହୁଅନ୍ତି–ଦେଖେଇ ଶୁଣେଇ ଖୁଣ୍ଟା ଦିଅନ୍ତି । ବାପାଙ୍କର ସ୍ନେହ ଶ୍ରଦ୍ଧା ମଧ୍ୟ ମେନାଠାରେ ଊଣା ହୋଇ ଆସିଲା । ଦୁଃଖ ଓ ଦୁଶ୍ଚିନ୍ତାର ହା-ହୁତାଶ ଭିତରେ ମେନକା ଦଗ୍‌ଧୀଭୂତ ହେବାକୁ ଲାଗିଲା । ଭାବିଲା–ତାହାର ଏ ଅଲୋଡ଼ା ଜୀବନରେ ଆଉ କି ଲାଭ ? ନିଜେତ ଯାହା ଅବସ୍ଥା ଭୋଗିବାର ଭୋଗୁଛି; ବାପ-ମାଆଙ୍କୁ ସେ କାହିଁକି ଜଳାଇ ପୋଡ଼ାଇ ମାରିବ ?

 

ବହୁତ ଭାବି ଚିନ୍ତି ଦିନେ ସେ ରାତି ଅଧରେ ଘରୁ ଗୋଡ଼ କାଢ଼ିଲା । ବାପ-ମାଆଙ୍କୁ ଚିଠି ଖଣ୍ଡିଏ ଲେଖି ଦେଇଗଲା—ଝିଅ ଜନମି ବୋଝ ହୋଇ ରହିଥିଲି । ବହୁତ ଦୁଃଖ ଦେଇଛି—ବଂଶର ଦୁର୍ନାମ କରିଛି । ଆଜି ଯାଉଛି । ମୋତେ ଆଉ ଖୋଜିବ ନାହିଁ । ଆଶୀର୍ବାଦ କର—ଏତେ ବଡ଼ ଦୁନିଆଁରେ ମଥା ଗୁଞ୍ଜିବାକୁ ମୋତେ ଯେମିତି ଥାନ ବକଟେ ମିଳେ !

 

ସରପଞ୍ଚ ପ୍ରାଣବନ୍ଧୁ ବାବୁ ଆଗରୁ ମେନାକୁ ଭରସା ଦେଇଥିଲେ–ମାଷ୍ଟରାଣୀ କି ନର୍ସ କାମଟାଏ କରି ସେ ଆନନ୍ଦରେ ପେଟ ପୋଷି ପାରିବ । ତାଙ୍କରି ସଙ୍ଗରେ ମେନକା ଯାଇ ପହଞ୍ଚିଲା ସହରରେ । ପ୍ରାଣବନ୍ଧୁ ବାବୁ ବହୁ ପୂର୍ବରୁ ଜଣେ ସ୍ତ୍ରୀର ‘ପ୍ରାଣବନ୍ଧୁ’ ହୋଇ ସାରିଥିଲେ ବି ମାନସୀ ମେନାକୁ ସଙ୍ଗରେ ଧରି ସହରରେ କିଛି ଦିନ ବେଶ୍‌ ଫୁର୍ତ୍ତି କରିବାକୁ ଲାଗିଲେ । ମେନକା ତହିଁରେ କୌଣସି ଆପତ୍ତି କଲା ନାହିଁ । ସରପଞ୍ଚଙ୍କ ଠାରୁ ସେ ତାହା ହିଁ ଆଶା କରୁଥିଲା । ଦିନେ ସେ ଅତି ବ୍ୟସ୍ତ ହୋଇ କହିଲା—ମୋ ଉପରେ ତମେ ଯେତେ ଅତ୍ୟାଚାର କରୁଛ କର ସରପଞ୍ଚ ବାବୁ, ମୁଁ ସବୁ ସହିବି । କିନ୍ତୁ ମୋତେ କେଉଁଠି ଟିକିଏ ଲଖେଇ ଦିଅ ! ତମ ଗୋଡ଼ ତଳେ ପଡ଼ୁଛି–ମୋତେ ଏ ବିପଦରେ ସାହାଯ୍ୟ କର ।

 

ଶେଷ ସରପଞ୍ଚ ବାବୁଙ୍କ ସାହାଯ୍ୟରେ ମେନକା ସ୍ଥାନୀୟ ମେଡ଼ିକାଲ କଲେଜରେ ନର୍ସିଙ୍ଗ୍‌ ଟ୍ରେନିଂରେ ଭର୍ତ୍ତି ହୋଇଗଲା ।

 

କିନ୍ତୁ ନୂତନ ଜୀବନର ସ୍ୱାଦ ଅଚିରେ ତା’ ନିକଟରେ ତିକ୍ତ ହୋଇ ଉଠିଲା । ସେଠାରେ ମଧ୍ୟ ନିସ୍ତାର ନାହିଁ । ଅଳ୍ପ ଦିନ ମଧ୍ୟରେ ତାହାର ପ୍ରସ୍ଫୁଟିତ ରୂପଶ୍ରୀ ନିକଟରେ ବହୁ ଭ୍ରମରର ଗୁଞ୍ଜନ ଶୁଣାଗଲା । ଡାକ୍ତର, କଂପାଉଣ୍ଡର, ଛାତ୍ର, ହାଉସ୍‌ ସର୍ଜ୍ଜନ୍‌–ସମସ୍ତେ ଆକର୍ଷିତ ହୋଇ ଆସିଲେ । ବହୁ ସତର୍କ ଲୋଲୁପ ଦୃଷ୍ଟି ତା’ରି ଆଡ଼କୁ ଉଦ୍‌ଗ୍ରୀବ ହୋଇ ଧାଇଲା । ମେନକାର ବର୍ତ୍ତମାନ ବହୁ ବନ୍ଧୁ–ଅନେକ ହିତାକାଙ୍‌କ୍ଷୀ ।

 

ଆଉ କୌଣସି ଅଭାବ-ଅସୁବିଧା ମେନକାର ରହିଲା ନାହିଁ । ଖାଇବା ପିନ୍ଧିବା ସବୁଥିରେ ଆସିଲା ପୂର୍ଣ୍ଣତା । ତଥାପି ସୁଖୀ ହୋଇ ପାରିଲା ନାହିଁ ସେ । ସୁଅ ମୁହଁରେ କୁଟା ଖଣ୍ଡକ ପରି ଜୀବନରେ ସେ ଏ ପର୍ଯ୍ୟନ୍ତ ଭାସି ଭାସି ଆସିଲା କେବଳ । କେଉଁଠି ହେଲେ କୂଳରେ ଲାଖି ପାରିଲା ନାହିଁ । କାହିଁ ତା’ର ଆଶ୍ରୟ ? କିଏ ତା’ର ଅବଲମ୍ୱନ ? ଆଶ୍ରୟ-ଅବଲମ୍ୱନ ଭାବି ଯେଉଁଠିକି ସେ ହାତ ବଢ଼େଇଛି, ସେଠାରୁ ନିରାଶ ହୋଇ ଫେରିଛି । ଜୀବନରେ ସେ ଦେଇଛି ଅନେକ–ହରେଇଛି ଅନେକ, କିନ୍ତୁ ପାଇଛି କଣ କାହିଁ ?

 

ଦିନେ ଦିନେ ମେନକା ବିଛଣାରେ ଶୋଇ କାନ୍ଦେ । ତକିଆ ଉପରେ ମଥା କଚାଡ଼ି ଡାକେ–ହେ ଭଗବାନ, କାହିଁକି ମୋତେ ଏ ସୁନ୍ଦର ରୂପ ଖଣ୍ଡକ ଦେଲ ? ଲୋଡ଼ା ନାହିଁ ମୋର–ନଷ୍ଟ ହେଉ, ବିକୃତ ହେଇଯାଉ ଏ ରୂପ । ମୋତେ ଟିକିଏ ଶାନ୍ତି ଦିଅ ପ୍ରଭୁ, ମଣିଷ ଭଳି ବଞ୍ଚାଅ ।

 

କିନ୍ତୁ ବନ୍ଧୁଗଣ ! —ମୁଁ ଅତି ଆବେଗଭରା ସ୍ୱରରେ କହିବାକୁ ଲାଗିଲି—ମେନାକୁ ମଣିଷ ଭଳି ବଞ୍ଚିବାକୁ ଦିଆଗଲା ନାହିଁ । ତାହାର କାନ୍ତ କୋମଳ ରକ୍ତ–ମାଂସର ଦେହକୁ ପଶୁ ଭଳି ଆମେ ପୁଳା ପୁଳା କରି କାମ-କ୍ଷୁଧା ପରିତୃପ୍ତି ପାଇଁ ବ୍ୟବହାର କଲୁଁ । ଏଇ ଆମର ବିଂଶ ଶତାବ୍ଦୀର ସଭ୍ୟତା !

 

ମୋଟେ ଦୁଇବର୍ଷ ମେନକା ନର୍ସିଙ୍ଗ୍‌ ଟ୍ରେନିଂ ନେଇଛି । ତା’ ମଧ୍ୟରେ ସେ ପ୍ରାୟ ଦଶ ଥର ବାଧ୍ୟ ହୋଇ–ପରିସ୍ଥିତି ଚାପରେ ପଡ଼ି ଦେଶୀ ବିଦେଶୀ କେତେକ ପୁରୁଷ-ଜାନୁଆରଙ୍କୁ ନିଜ ଦେହର ମାଂସ ଚଖାଇଛି । ସେ ସବୁର ବିସ୍ତୃତ ବିବରଣୀ ମେନକା ଆପଣା ଡାଏରିରେ ଲେଖି ଦେଇଯାଇଛି ।

 

ଶେଷ ଘଟଣାଟା କହେଁ । ଥରେ ଜଣେ ବଡ଼ ରାଜନୀତିଜ୍ଞ ନେତା ମେଡ଼ିକାଲ କଲେଜ ପଡ଼ିଆରେ ଏକ ବିରାଟ ସଭାରେ ଉଦ୍‌ବୋଧନ ଦେଇଥିଲେ । ଉଦ୍ୟୋକ୍ତାମାନଙ୍କ ଅନୁରୋଧରେ ମେନକା ସେହି ସଭାରେ ମାନ୍ୟବର ନେତାଙ୍କୁ ମାଲ୍ୟାର୍ପଣ କରିଥିଲା । ସେଦିନ ରାତି ଦଶଟା ବେଳେ ବିଚାରୀକୁ ଡାକରା ଆସିଲା ସହରସ୍ଥ ସର୍କିଟ୍‌ ହାଉସ୍‌କୁ । ନେତାଙ୍କର ଜଣେ ପାଖ ଲୋକ ତାକୁ ବାଧ୍ୟ କରି ଜିପ୍‌ରେ ବସାଇ ଘେନିଗଲେ ।

 

ସାର୍କିଟ୍‌ ହାଉସ୍‌ ଉପର ତାଲାର ଗୋଟିଏ କ୍ଷୁଦ୍ର ପ୍ରକୋଷ୍ଠରେ ମେନକା ଅପେକ୍ଷା କଲା । ତଳେ ରାଜନୈତିକ ଦଳର କର୍ମୀ ଓ ସମର୍ଥକମାନଙ୍କ ଗହଣରେ ନେତା ମହୋଦୟ ନୈଶ ଭୋଜନରେ ବ୍ୟସ୍ତ, ଆଳାପ–ଆଲୋଚନା ଜମି ଉଠିଛି । ଭୋଜନ ସମାପ୍ତ ହେବାକୁ ବହୁତ ଡେରି-। ନେତାଙ୍କ ପାଖ ଲୋକ ଜଣକ ଏହି ସୁଯୋଗରେ ମେନକା ପାଖକୁ ଗଲେ । ମାନ୍ୟବର ନେତାଙ୍କ ନିର୍ଦ୍ଦେଶ କ୍ରମେ ମେନାଲାଗି ସେ ମୂଲ୍ୟବାନ୍‌ ଶାଢ଼ି ଓ ସ୍ୱର୍ଣ୍ଣାଳଙ୍କାର ଉପହାର ଆଣିଥିଲେ-। ପ୍ରତିବଦଳରେ ସଙ୍ଗେ ସଙ୍ଗେ ମେନାଠାରୁ ମଧ୍ୟ ମନଲାଖି ଉପହାର ଆଦାୟ କଲେ । ମେନକା ଆପତ୍ତି କରି ପାରିଲା ନାହିଁ—କରି ଲାଭ ବି ନାହିଁ । ପ୍ରାୟ ଅଧଘଣ୍ଟା ପରେ ଭଦ୍ରବ୍ୟକ୍ତିଟି ତର ତର ହୋଇ ଉଠି ଯିବାକୁ ବାହାରିଲେ ଏବଂ ମେନାକୁ କହିଗଲେ—ତମେ ଆଉ ଅଳ୍ପ ସମୟ ଅପେକ୍ଷା କର । ଖିଆ ପିଆ ବୋଧହୁଏ ସରି ଗଲାଣି । ନେତା ମହୋଦୟ ସଙ୍ଗେ ସଙ୍ଗେ ଆସି ପହଞ୍ଚି ଯିବେ-

 

ଭଗ୍ନ ମନ, ଭଗ୍ନ ହୃଦୟରେ ମେନକା ସେହି ନିର୍ଜ୍ଜନ କୋଠରୀ ମଧ୍ୟରେ ବସି ରହିଲା । ତାହାର ନିପୀଡ଼ିତ ତନୁ-ବଲ୍ଲରୀ ଥରାଇ ଅସଂଖ୍ୟ ଦୀର୍ଘଶ୍ୱାସ ବାହାରି ପ୍ରକୋଷ୍ଠର ଶାନ୍ତ ବାୟୁମଣ୍ଡଳକୁ ବେଦନାବିଧୁର କରି ପକାଇଲା । ଲାଞ୍ଛିତ ଅପମାନିତ ଆତ୍ମା ତାହାର ତୁହାଇ ତୁହାଇ ବିଳାସ କରି ଉଠିଲା ।

 

ସକଳ ଅଙ୍ଗ ପ୍ରତ୍ୟଙ୍ଗ ତାହାର ଅବଶ–କେଶବାସ ସମସ୍ତ ବିପର୍ଯ୍ୟସ୍ତ । ମାନ୍ୟବର ନେତା ଏକ୍ଷଣି ଆସିବେ । ଏଇ ତ–ପାହାଚରେ କାହାର ଜୋତା ଶବ୍ଦ ଶୁଭିଲାଣି । କୋଟି ଯୁବକର ହୃଦୟ-ହାରିଣୀ ଅନିନ୍ଦ୍ୟ ରୂପସୀ ମେନକା ନିଜକୁ କଣ ଏଇ ବେଶରେ ମାନ୍ୟବର ନେତାଙ୍କ ନିକଟରେ ସମର୍ପଣ କରିବ ?

 

ଆଖି ଆଗରେ ଶାଢ଼ି–ଅଳଙ୍କାର ଆଦି ଉପହାର ସାମଗ୍ରୀ ପଡ଼ି ରହିଛି । ମେନକା ଧୀରେ ଧୀରେ ଉଠି ଠିଆ ହେଲା ।

 

କିଛି କ୍ଷଣ ପରେ ନେତା ମହୋଦୟ ଦରଜା ଠେଲି ପ୍ରକୋଷ୍ଠ ମଧ୍ୟରେ ପଶି ଆତଙ୍କରେ ଶିହରି ଉଠିଲେ । ଏ କଣ ? ଛାତର କଡ଼ି ଦେହରେ ଖଣ୍ଡିଏ ନୂଆ ମହୀଶୂରୀ ସିଲକ୍‌ ଶାଢ଼ୀ ବାନ୍ଧି ବେକରେ ଲଗାଇ ଝୁଲୁଛି ଏକ ଅପୂର୍ବ ସୁନ୍ଦରୀ ଯୁବତୀ । ଆଃ.....କି କରୁଣ ଅଥଚ ଭୀଷଣ ଏ ଦୃଶ୍ୟ !

 

କଥାଟା ଶୁଣି ଆଘାତପ୍ରାପ୍ତ ହେଲା ପରି ମୋର ବନ୍ଧୁମାନେ ନୀରବ ନିଶ୍ଚଳ ହୋଇ ବସି ରହିଲେ । ଶେଷେ କିଶୋର ବାବୁ ଆବେଗଭରା କଣ୍ଠରେ କହିଲେ–ହେ ମୋ ନମସ୍ୟା ମେନକା, ତୁମ ପବିତ୍ର ନିଷ୍କଳଙ୍କ ଆତ୍ମାର ସଦ୍‌ଗତି ହେଉ ।

 

(ରଚନା ସ୍ଥାନ–ଭଦ୍ରକ, କାଳ–୧୯୬୨)

Image